ସେ ଆମ ସହ ବଗିଚାରେ ବୁଲିଲେ, ଆମେ ତାଙ୍କୁ କବିତା ଶୁଣାଇଲୁ

ରାଜ୍ୟସ୍ତରୀୟ ଶିଶୁ ଦିବସ ପୋଷ୍ଟର୍‌ରେ ତପୋବନ ସ୍କୁଲର ଛାତ୍ରଛାତ୍ରୀ

ମୁଖ୍ୟମନ୍ତ୍ରୀଙ୍କ ସହ ଫଟୋ ଉଠା ବେଳର ଅଭୁଲା ଅନୁଭୂତି ବଖାଣିଲେ

ଭୁବନେଶ୍ୱର (ସତ୍ୟନାରାୟଣ ରାଉତରାୟ): ସବୁ ଯେମିତି ସ୍ୱପ୍ନ ପରି ଲାଗୁଥିଲା। ସେ ଆମ ସହ ବଗିଚାରେ ବୁଲୁଥିଲେ। ଆମକୁ ବହି ଆଡ଼େଇ କୋଣାର୍କର ସୂର୍ଯ୍ୟ ମନ୍ଦିର ଦେଖଉଥିଲେ। ଦେଖିସାରିବା ପରେ ଆମେ କହିଲୁ, ଗୋଟେ ଓଡ଼ିଆ କବିତା ଶୁଣିବେ? ସେ କହିଲେ, ହଁ..ଶୁଣାଅ। ମଂଜୁଳା ଆଉ ମୁଁ ଦି ଜଣ ପଢ଼ିଲୁ। ସେ ମନଦେଇ ଶେଷ ଯାଏଁ କବିତା ଶୁଣିଲେ। ଆମେ କହିଲୁ, ବୁଝିଲେ ? ସେ କହିଲେ, ହଁ..ଭେରି ଗୁଡ୍‌…। ବିଶ୍ୱାସ ହେଉନଥିଲା। ତାଙ୍କୁ ପାଖରେ ପାଇବା ପରେ ସେ ଆମକୁ ଏତେ ସହଜ କରିଦେଇଥିଲେ ଯେ ଲାଗୁଥିଲା ଯେମିତି ଆମେ ଜଣେ ସାଙ୍ଗକୁ ଭେଟୁଛୁ।

ଶିଶୁ ଦିବସ ପାଳନ ପୂର୍ବରୁ ସାରା ରାଜ୍ୟରେ ଛାଇଯାଇଥିବା ‘ଆମେ ପଢ଼ିବୁ, ଗଢ଼ିବୁ, ଶ୍ରେଷ୍ଠ ହେବୁ’ ପୋଷ୍ଟରରେ ମୁଖ୍ୟମନ୍ତ୍ରୀଙ୍କ ସହ ବିଜ୍ଞାପିତ ହୋଇ ରାତାରାତି ଚିହ୍ନା ମୁହଁ ପାଲଟି ଯାଇଥିବା ତପୋବନ ହାଇସ୍କୁଲ୍‌ର ଛାତ୍ରୀ ମିନତି ମୁର୍ମୁଙ୍କର ଏ ଥିଲା ପୋଷ୍ଟର ପାଇଁ ଫଟୋ ଉଠା ସମୟର ଅନୁଭୂତି। ସ୍ଥାନ ଥିଲା ନବୀନ ନିବାସ। ଆଉ ସାଥିରେ ଥିଲେ ଖୋଦ୍‌ ମୁଖ୍ୟମନ୍ତ୍ରୀ।

ନଭେମ୍ବର ୯ ତାରିଖ ପୂର୍ବାହ୍‌ଣ ସାଢ଼େ ୧୦ଟାରୁ ୧୧ଟା। ଖାଲି ମିନତି ନୁହଁନ୍ତି, ସେହି ସ୍କୁଲ୍‌ର ଷଷ୍ଠ ଶ୍ରେଣୀର ଛାତ୍ରୀ ବାଲେମା ହେସାଃ, କାଶୀନାଥ ହେମ୍ବ୍ରମ୍‌, ମଂଜୁଳା ମଲ୍ଲିକ, ଚରଣ ମାର୍ଣ୍ଡି ଏବଂ ଦୁଃଖୀରାମ ହାଁସ୍‌ଦା ପୋଷ୍ଟର ପାଇଁ ଫଟୋ ଉଠାଇବାକୁ ଯାଇଥିଲେ ନବୀନ ନିବାସ। ଯେଉଁ ନବୀନ ନିବାସର ବାଡ଼ ଭିତରେ ମୂଷାଟିଏ ଗଳିବା ଦୁରୁହ ବ୍ୟାପାର, ତା ଭିତରେ ସେମାନେ ନବୀନଙ୍କ ସହ ଗୋଟିଏ ଟି ପୟ ଉପରେ ଥଣ୍ଡା ପାନୀୟର ମଜା ଉଠାଇଲେ। ଚକ୍‌ଲେଟ୍‌ ବି ଖାଇଥିଲେ। ଆଉ ଖୁସି ମଜା କରି ଫେରିଥିଲେ।

ଗପ ଚାଲିଥାଏ। ଫଟୋ ସେସନ୍‌ ବି ଚାଲିଥାଏ। ହଠାତ୍‌ ମୁଖ୍ୟମନ୍ତ୍ରୀ ବସିବା ସ୍ଥାନରୁ ଉଠି କହିଲେ, ଚାଲ ଗାର୍ଡେନ୍‌ ଯିବା। ବଗିଚାରେ ବୁଲୁବୁଲୁ ସେ ଗୋଟେ ଗଛ ମୂଳେ ଅଟକି ଗଲେ। ଆମେ ସାଙ୍ଗମାନେ କୁହାକୋହି ହେଲୁ, ଏଇଟା ବୋଧେ କମଳା ଗଛ। ସେ ଆମ କଥା ଶୁଣିଦେଲେ କି କ’ଣ। କହିଲେ, ନା ନା ଏଇଟା କମଳା ନୁହେଁ, ଲେମ୍ବୁ। ମୁଁ ଜାଣିଜାଣି ପଚାରିଲି ଏଟା କ’ଣ ହୁଏ ଜାଣନ୍ତି? ସେ କହିଲେ ଆଚାର ହୁଏ। ପୁଣି ମୁଁ ଜାଣିଜାଣି ପଚାରିଲି ଏଟା ଖଟା ନା ମିଠା? ସେ କହିଲେ, ଖଟା। କହିଲିି, ଆପଣ ୟାକୁ ଖାଆନ୍ତି। ସେ କହିଲେ, ହଁ ମୁଁ ଖାଏ। ଏତେ କଥା ପଚାରିବା ପରେ ବି ସେ ଯେ ମୁଖ୍ୟମନ୍ତ୍ରୀ ତା’ର ବାସ୍ନା ବି ଆମକୁ ବାରିବାକୁ ଦେଇନଥିଲେ ବୋଲି ଗଦ୍‌ଗଦ ହୋଇ କହି ପକାଇଥିଲେ ୯ମ ଶ୍ରେଣୀ ଛାତ୍ରୀ ମଂଜୁଳା ମଲ୍ଲିକ। ନବୀନ ନିବାସରୁ ଫେରିବା ପରେ ମଂଜୁଳା ଯେମିତି ନିଜେ ନିଜେ ସଂକଳ୍ପ କରିନେଇଛନ୍ତି, ସେ ବି ପାଠ ପଢ଼ି ଏମିତି ଗୋଟେ ବ୍ୟକ୍ତିତ୍ୱ ହେବେ। ଯେମିତି ତାଙ୍କ ସହ ଫଟୋ ଉଠାଇବା ପାଇଁ ଅନେକ ପିଲା ବ୍ୟାକୁଳ ହେବେ।

ସ୍କୁଲ୍‌ର ପ୍ରଧାନ ଶିକ୍ଷକ ରାମଚନ୍ଦ୍ର ସାହୁଙ୍କ କହିବା ଅନୁଯାୟୀ, ଏହା ହିଁ ସେମାନଙ୍କ ପାଇଁ ସବୁଠୁ ବଡ଼ ଉପଲବ୍ଧି। ଏହା ଖାଲି ସ୍କୁଲ୍‌ର ଅନ୍ୟ ଛାତ୍ରଛାତ୍ରୀଙ୍କୁ ନୁହେଁ ବରଂ ଓଡ଼ିଶାର ପିଲାମାନଙ୍କୁ ଉତ୍ସାହିତ କରିବ। ଏତିକିରେ ପାଖରେ ଠିଆ ହୋଇଥିବା ଛାତ୍ର କାଶୀନାଥ ହେମ୍ବ୍ରମ୍‌ ନିଜକୁ ଆଉ ଅଟକାଇ ରଖିପାରିଲେନି। ନବୀନ ନିବାସର ଅଭିଜ୍ଞତାକୁ ବଖାଣି କହି ପକାଇଲେ, ମୁଁ ମୟୂରଭଂଜରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ବହୁତ ଥର ଇଚ୍ଛା କରିଥିଲି। ମୁଖ୍ୟମନ୍ତ୍ରୀ ଯୋଉ କାର୍ଯ୍ୟକ୍ରମକୁ ଯାଉଥିଲେ ସେଠିକି ଯାଉଥିଲି। କିନ୍ତୁ ଆଜି ଏତେ ବର୍ଷ ପରେ ମୋ ଇଚ୍ଛା ଭଗବାନ ପୂରଣ କରିଦେଲେ। ଏବେ ବି ବିଶ୍ୱାସ ହେଉନି ଯେ, ମୁଁ ନବୀନ ନିବାସରୁ ଫେରିଛି ବୋଲି। ଆରମ୍ଭରୁ ଆମେ ନବୀନ ନିବାସରେ ପହଞ୍ଚିବା ମାତ୍ରେ ଆମକୁ ସେ ନାଲି ଗୋଲାପ ଦେଇ କହିଲେ, ଓ୍ଵଲ୍‌କମ୍‌। ପଚାରିଲେ କୋଉ ସ୍କୁଲ୍‌ରୁ ଆସିଛ? ଆମେ କହିଲୁ ତପୋବନ ହାଇସ୍କୁଲ୍‌। ସେ କହିଲେ, ତମ ସ୍କୁଲ୍‌ କୋଉଠି? ମୁଁ କହିଲି, ଖଣ୍ଡଗିରିରେ। ଯେତେବେଳେ ଆମେ ଫେରୁଥିଲୁ, ସେ ପଚାରିଲେ କ’ଣ ଖାଇଛ ? ଆମେ କହିଲୁ, ଭାତ, ଡାଲି ଆଉ ମିକ୍ସ ତରକାରି। ଆମେ ବି ପଚାରିଦେଲୁ, ଆପଣ କ’ଣ ଖାଇଛନ୍ତି ? ସେ କହିଲେ ଭାତ, ଡାଲ୍‌ମା ଆଉ ତରକାରି। ଆସିଲା ବେଳେ କହିଲେ, ଲଞ୍ଚ୍‌ ଖାଇବନି ? ଆମେ କହିଲୁ ନା, ଆମେ ଖାଇଛୁ। ସେ ବିଦାୟ ଦେବାକୁ ଗେଟ୍‌ ଯାଏଁ ଆସିଲେ। ହସିହସି କହିଲେ, ଥ୍ୟାଙ୍କ୍‌ ୟୁ…ଗୁଡ୍‌ ବାଏ…।

ସମ୍ବନ୍ଧିତ ଖବର