ତପସ୍ୟା ଫାଉଣ୍ଡେସନ୍‌ ସାହିତ୍ୟ ପୁରସ୍କାର: ସମ୍ବର୍ଦ୍ଧିତ ହେବେ ଅଚ୍ୟୁତାନନ୍ଦ, ରଞ୍ଜନ ଓ ପରମବୀର

ଭୁବନେଶ୍ୱର: ଭୁବନେଶ୍ୱରର ‘ତପସ୍ୟା ଫାଉଣ୍ଡେସନ’ ପକ୍ଷରୁ ୨୦୨୧ ମସିହା ପାଇଁ ଓଡ଼ିଆ ସାହିତ୍ୟ ପୁରସ୍କାର ଘୋଷଣା କରାଯାଇଛି। ବର୍ଷୀୟାନ ସାହିତ୍ୟିକ ଅଚ୍ୟୁତାନନ୍ଦ ପତିଙ୍କୁ ‘ତପସ୍ୟା ଶାଶ୍ୱତ ପୁରସ୍କାର-୨୦୨୧’, ଓଡ଼ିଶାର ନଦନଦୀ ସମ୍ପର୍କରେ ବିଶେଷ ଗବେଷଣା ଓ ପୁସ୍ତକ ରଚନା କରିଥିବା ଯୁବ ସାହିତ୍ୟିକ ତଥା ‘ସମ୍ବାଦ’ର କନ୍ଧମାଳ ଜିଲ୍ଲା ପ୍ରତିନିଧି ରଞ୍ଜନ ପ୍ରଧାନଙ୍କୁ ‘ତପସ୍ୟା ସୃଜନ ପୁରସ୍କାର-୨୦୨୧’ ଓ ଯୁବ ଲେଖକ ପରମବୀର ଚକ୍ରଙ୍କୁ ‘ତପସ୍ୟା ସମ୍ଭାବନା ପୁରସ୍କାର-୨୦୨୧’ରେ ସମ୍ମାନିତ କରାଯିବ ବୋଲି ଫାଉଣ୍ଡେସନ୍‌ର ପରିଚାଳନା ଟ୍ରଷ୍ଟି ଜୁଲି ମିଶ୍ର ଘୋଷଣା କରିଛନ୍ତି।

ଉପରୋକ୍ତ ତିନି ସାହିତ୍ୟିକଙ୍କୁ ପୁରସ୍କାର ବାବଦରେ ଯଥାକ୍ରମେ ୫୦ ହଜାର, ୩୦ ହଜାର ଓ ୨୦ ହଜାର ଟଙ୍କା (ମୋଟ୍ ୧ ଲକ୍ଷ ଟଙ୍କା), ମାନଫଳକ ଓ ଉପାୟନ ପ୍ରଦାନ କରାଯିବ। ପ୍ରକାଶଥାଉ କି, ଶ୍ରୀ ପତିଙ୍କୁ ଜୀବନବ୍ୟାପୀ ସାଧନା ନିମନ୍ତେ, ଡ. ପ୍ରଧାନଙ୍କୁ ତାଙ୍କ ପୁସ୍ତକ ‘ଗୋନାସିକା ନନ୍ଦିନୀ ବୈତରଣୀ’ ଓ ‘ବୁଢ଼ାବଳଙ୍ଗର ମାଝୀ’ ପୁସ୍ତକ ନିମନ୍ତେ ଏବଂ ଶ୍ରୀ ଚକ୍ରଙ୍କୁ ୩୦ ବର୍ଷରୁ କମ୍ ବୟସ ବର୍ଗରେ ପୁରସ୍କୃତ କରାଯିବ। ଆସନ୍ତା ଏପ୍ରିଲରେ ଆୟୋଜିତ ହେବାକୁ ଥିବା ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ପୁରସ୍କୃତ ପ୍ରତିଭାମାନଙ୍କୁ ସମ୍ବର୍ଦ୍ଧିତ କରାଯିବ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର