ଜଟଣୀ: ପୂର୍ବତଟ ରେଳପଥର ଖୋର୍ଦ୍ଧାରୋଡ୍ ରେଳମଣ୍ଡଳ ଓ ଖୋର୍ଦ୍ଧା ଟାଉନ୍ ରେଳ ଷ୍ଟେସନ୍ ମଧ୍ୟରେ ଥିବା ତରାବୋଇଠାରେ ଏକ ନୂତନ ପାସେଞ୍ଜର ହଲ୍ଟ ଆଜି ଉଦ୍ଘାଟିତ ହୋଇଯାଇଛି। କାର୍ଯ୍ୟକ୍ରମରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ଯୋଗଦେଇ ଉଦ୍ଘାଟନ କରିଥିଲେ। ଏହି ଅବସରରେ ଶ୍ରୀମତୀ ଷଡ଼ଙ୍ଗୀ କହିଛନ୍ତି ଯେ, ଖୋର୍ଦ୍ଧାରୋଡ୍-ବଲାଙ୍ଗିର ରେଳ ଲାଇନ୍ର ତରାବୋଇରେ ନୂତନ ପାସେଞ୍ଜର ହଲ୍ଟ ବହୁ ପ୍ରତୀକ୍ଷିତ ସୁବିଧା ତରାବୋଇ ଏବଂ ଆଖପାଖ ଗ୍ରାମ ପଞ୍ଚାୟତର ଲୋକମାନଙ୍କୁ ପ୍ରଦାନ କରିବ। ଏଠାରେ ଚାରି ଯୋଡ଼ା ଟ୍ରେନ୍ ରହିବା ସହ ଦୈନନ୍ଦିନ ଯାତ୍ରୀଙ୍କ ସୁବିଧା ବହୁଗୁଣିତ ହେବ। ଆଇଆଇଟି ନିକଟରେ ଅବସ୍ଥିତ ଏହି ପାସେଞ୍ଜର ହଲ୍ଟ ବରୁଣେଇ ପାହାଡ଼, ଖୋର୍ଦ୍ଧା ଦୁର୍ଗ ଏବଂ ବରୁଣେଇ ମନ୍ଦିର ଭଳି ଐତିହାସିକ ସ୍ଥାନଗୁଡ଼ିକରେ ପର୍ଯ୍ୟଟନ ବିକାଶକୁ ପ୍ରୋତ୍ସାହିତ କରିବ ବୋଲି ଶ୍ରୀମତୀ ଷଡ଼ଙ୍ଗୀ କହିଛନ୍ତି। କାର୍ଯ୍ୟକ୍ରମରେ ଯୋଗ ଦେଇ ଖୋର୍ଦ୍ଧାରୋଡ୍ ରେଳ ମଣ୍ଡଳ ପ୍ରବନ୍ଧକ ଆଲୋକ ତ୍ରିପାଠୀ ପାସେଞ୍ଜର ହଲ୍ଟର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ।
କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ ପ୍ରବକ୍ତା ସୁଦୀପ୍ତ ରାୟ, ଜିଲ୍ଲା ସଭାପତି ବିଶ୍ୱରଂଜନ ବଡ଼ଜେନା ପ୍ରମୁଖ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ଜାନୁଆରି ୨୦୨୪ରେ ରେଳ ବୋର୍ଡ ଦ୍ୱାରା ଏହି ପାସେଞ୍ଜର୍ ହଲ୍ଟ ଅନୁମୋଦିତ ହୋଇଥିଲା। ୮୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ଏହି ପାସେଞ୍ଜର୍ ହଲ୍ଟ ଉପରେ ଅଞ୍ଚଳର ୫ରୁ ଅଧିକ ଗ୍ରାମ ପଞ୍ଚାୟତବାସୀ ନିର୍ଭର କରିବେ। ଖୋର୍ଦ୍ଧାରୋଡ୍ରୁ ଦଶପଲ୍ଲା ମଧ୍ୟରେ ଚଳାଚଳ କରୁଥିବା ୪ ଯୋଡ଼ା ଟ୍ରେନ୍ର ରହଣୀ ଏହି ଷ୍ଟେସନରେ ଅଛି। ଭଦ୍ରକ-ଦଶପଲ୍ଲା ମେମୁ ତରାବୋଇରେ ପୂର୍ବାହ୍ନ ୯ଟା ୧୮ରେ ପହଞ୍ଚିବ। ଭୁବନେଶ୍ୱର-ଦଶପଲ୍ଲା ମେମୁ ପୂର୍ବାହ୍ନ ୧୦ଟା୧୯, ଭୁବନେଶ୍ୱର-ଦଶପଲ୍ଲା ଏକ୍ସପ୍ରେସ୍ ସନ୍ଧ୍ୟା ୭ ଓ ପୁରୀ-ଦଶପଲ୍ଲା ମେମୁ ସନ୍ଧ୍ୟା ୭ଟା ୨୫ରେ ପହଞ୍ଚିବ। ସେହିପରି ଖୋର୍ଦ୍ଧାରୋଡ୍ ଅଭିମୁଖେ ଯାତ୍ରା କରିବାକୁ ଥିବା ଦଶପଲ୍ଲା-ଭୁବନେଶ୍ୱର ଏକ୍ସପ୍ରେସ୍ ତରାବୋଇ ଠାରେ ସକାଳ ୭ଟା ୫୫, ଦଶପଲ୍ଲା-ପୁରୀ ମେମୁ ସକାଳ ୮ଟା ୧୮ ଓ ଦଶପଲ୍ଲା-ଭୁବନେଶ୍ୱର ମେମୁ ସନ୍ଧ୍ୟା ୫ଟା ୨୫, ଦଶପଲ୍ଲା-ଭଦ୍ରକ ମେମୁ ସନ୍ଧ୍ୟା ୬ଟା ୦୮ରେ ପହଞ୍ଚିବ।