ଭୁବନେଶ୍ୱର: ରାଜ୍ୟର ସମସ୍ତ ମହାନଗର ନିଗମ ମଧ୍ୟରେ ବିଏମ୍ସି ସର୍ବାଧିକ ରାଜସ୍ୱ ଆଦାୟ କରିବାର ରେକର୍ଡ କରିଛି। ଏପରିକି ଚଳିତବର୍ଷ ବିଏମ୍ସି ୧୧୦କୋଟି ରାଜସ୍ୱ ଆଦାୟ କରିବାକୁ ଟାର୍ଗେଟ୍ ରଖିଥିବାବେଳେ ୧୩୫କୋଟି ଆଦାୟ କରିଛି। ଯାହା ବିଏମ୍ସିର ସର୍ବକାଳୀନ ରେକର୍ଡ। ପୌରସଂସ୍ଥାଗୁଡ଼ିକ ନିଜସ୍ୱ ଆୟ ବଢ଼ାଇବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ତାଗିଦ୍ କରିବା ପରେ ବିଏମ୍ସି ଏଥର ରେକର୍ଡ ମାତ୍ରାରେ ରାଜସ୍ୱ ଆଦାୟ କରିଛି। ଏପରିକି ୨୦୧୮-୧୯ ଆର୍ଥିକ ବର୍ଷରେ ବିଏମ୍ସି ୧୩୫କୋଟି ରାଜସ୍ୱ ଆଦାୟ କରିବାକୁ ଲକ୍ଷ୍ୟ ରଖିଥିବାବେଳେ ଗତ ଆର୍ଥିକ ବର୍ଷରେ ଏହି ଟାର୍ଗେଟ୍ ହାସଲ କରିଦେଇଛି। ତେଣୁ ଚଳିତ ଆର୍ଥିକ ବର୍ଷରେ ବିଏମ୍ସି ଟାର୍ଗେଟରୁ ଅଧିକ ରାଜସ୍ୱ ଆଦାୟ କରିବ ବୋଲି ବିଏମ୍ସି ଡେପୁଟି କମିସନର (ରାଜସ୍ୱ) ଶ୍ରୀମନ୍ତ ମିଶ୍ର କହିଛନ୍ତି। ବିଏମ୍ସି ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ୨୦୧୫-୧୬ରେ ବିଏମ୍ସି ୭୬କୋଟି ରାଜସ୍ୱ ଆଦାୟ କରିଥିବାବେଳେ ୨୦୧୬-୧୭ରେ ୧୦୦କୋଟି ଛୁଇଁଥିଲା। ଆଉ ୨୦୧୭-୧୮ରେ ବହୁ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ୧୩୫କୋଟି ଛୁଇଁଛି। ୨୦୧୬-୧୭ରେ ବିଏମ୍ସି ଗୃହ ଟିକସ ବାବଦକୁ ୩୫.୦୭କୋଟି ଆଦାୟ କରିଥିବାବେଳେ ୨୦୧୭-୧୮ରେ ୪୧.୦୮ ଆଦାୟ କରିଛି। ସେହିପରି ଟ୍ରେଡ୍ ଲାଇସେନ୍ସ ବାବଦକୁ ୪.୮୨କୋଟି ଆଦାୟ କରିଥିବାବେଳେ ଏଥର ୪.୯୮କୋଟି, ବିଜ୍ଞାପନ ବାବଦକୁ ଗତ ଥର ୧୫.୮୫କୋଟି ଆଦାୟ କରିଥିବାବେଳେ ଏଥର ୧୭.୩୧କୋଟି, ନିଜସ୍ୱ ସମ୍ପତ୍ତିରୁ ଭଡ଼ା ବାବଦକୁ ୨.୯୮କୋଟି ଆଦାୟ କରିଥିବାବେଳେ ଏଥର ୪.୮୬କୋଟି, ଅନ୍ୟାନ୍ୟ ରାଜସ୍ୱ ବାବଦକୁ ୩୯କୋଟି ଆଦାୟ କରିଥିବାବେଳେ ଏଥର ୬୪.୨୯କୋଟି ଆଦାୟ କରିଛି। ଏହିପରି ମୋଟ୍ ୧୩୫.୦୪କୋଟି ଆଦାୟ କରିଛି। ୟୁଜର ଫି’ ଆଦାୟରେ ଉଚ୍ଚ ନ୍ୟାୟାଳୟଙ୍କ ରହିତାଦେଶ ଥିବାରୁ ଏହା ଆଦାୟ କରାଯାଇପାରିନି ବୋଲି ଶ୍ରୀ ମିଶ୍ର କହିଛନ୍ତି। ଏହି ରାଜସ୍ୱ ଆଦାୟ ଟାର୍ଗେଟ୍ ସଫଳ ହେବା ପାଇଁ ଉଚ୍ଚ ଅଧିକାରୀଙ୍କ ପରାମର୍ଶ ଓ ସମର୍ଥନ, ବିଭିନ୍ନ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ, କର୍ପୋରେଟର୍ଙ୍କ ସହଯୋଗ, ତିନିଟି ଜୋନ୍ର ଡେପୁଟି କମିସନର୍ ଏବଂ ରାଜସ୍ୱ ଆଦାୟ ସେଲ୍ର କର୍ମଚାରୀଙ୍କ ସହଯୋଗରୁ ଦିଆଯାଇଥିବା ଟାର୍ଗେଟ୍ରୁ ଅଧିକ ରାଜସ୍ୱ ଆଦାୟ ହେଲା ବୋଲି ଶ୍ରୀ ମିଶ୍ର କହିଛନ୍ତି।
ଟାର୍ଗେଟ୍ରୁ ୨୫କୋଟି ଅଧିକ ଆଦାୟ
୨୦୧୭-୧୮ରେ ୧୩୫.୦୪କୋଟି ଆୟ