ଛୋଟା ସାମ୍ରାଜ୍ୟ ଧୂଳିସାତ୍‌ ଯୋଜନା, ଟାର୍ଗେଟରେ ୩ ସହଯୋଗୀ

ବେଆଇନ ଖାଦାନରୁ ଆସୁଥିଲା ପଥର

ଭୁବନେଶ୍ୱର: ଖଣି ତଥା ଡ୍ରଗ୍ସ ମାଫିଆ ଶୁଭ୍ରାଂଶୁ ପରିଡ଼ା ଓରଫ ଛୋଟାଠାରୁ ରିମାଣ୍ଡ କାଳରେ ମିଳିଥିବା ତଥ୍ୟକୁ ଆଧାର କରି ଏସ୍‌ଟିଏଫ୍‌ ଚଢ଼ଉ ଜୋରଦାର କରିଛି। ଆଜି କେତେକ ବେଆଇନ କ୍ରସର ଉପରେ ଚଢ଼ଉ ହୋଇଛି। ସେଥିରୁ କେତେକ କ୍ରସର ସହ ଛୋଟା ସିଧାସଳଖ ସମ୍ପର୍କରେ ଥିବା ଏସ୍‌ଟିଏଫ୍ ଜାଣିବାକୁ ପାଇଛି। ଆଗକୁ ମଧ୍ୟ ଏହି ଭଳି ଚଢ଼ଉ ହେବା ଯୋଜନା ରହିଥିବା କହିଛନ୍ତି ଏସ୍‌ଟିଏଫ୍ ଏସ୍‌ପି ରାହୁଲ ପି.ଆର। ଛୋଟାର ଅପରାଧ ସାମ୍ରାଜ୍ୟ ଧୂଳିସାତ କରିବା ପାଇଁ ଯୋଜନା ହୋଇଛି। ଆଜି ୧୨୦ କ୍ରସରର କାଗଜପତ୍ର ଓ ଷ୍ଟକ୍‌ ଯାଞ୍ଚ ହୋଇଥିବା ବେଳେ ଆଗକୁ ସମସ୍ତ କ୍ରସର ଯାଞ୍ଚ ହେବ ବୋଲି ଏସ୍‌ଟିଏଫ୍‌ କହିଛି।

ବେଆଇନ କ୍ରସର: ବେଆଇନ ଖାଦାନରୁ ପଥର ଆସୁଥିଲା। ସେଠାରୁ ପଥର ଆସି ବେଆଇନ କ୍ରସରରେ ଗୁଣ୍ଡ କରାଯାଇ ବିଭିନ୍ନ ଆକୃତିର ଚିପ୍ସ ତିଆରି କରାଯାଉଥିଲା। ଏନେଇ ଛୋଟା ପାଖରୁ ସୂଚନା ମିଳିଥିଲା। ସୂଚନା ମୁତାବକ ଚଢ଼ଉ ହୋଇଥିଲା। ଏସ୍‌ଟିଏଫ୍‌ ଏସ୍‌ପିଙ୍କ କହିବା ମୁତାବକ, ଆଜି ୧୦ଟି ଟିମ୍‌ ୧୨୦ଟି କ୍ରସରର କାଗଜପତ୍ର ଯାଞ୍ଚ କରିଛନ୍ତି। ସେଗୁଡ଼ିକ ମଧ୍ୟରୁ ୬୦ ପ୍ରତିଶତରୁ ଊର୍ଦ୍ଧ୍ବ ଆବଶ୍ୟକ କାଗଜପତ୍ର ଦେଖାଇ ପାରିନାହାନ୍ତି। କେତେକ ମାଲ୍‌ ଗଦାଇ ରଖିଥିଲେ ମଧ୍ୟ ଷ୍ଟକ୍‌ର ହିସାବ ଦେଖାଇ ପାରିନଥିଲେ। ଏଣୁ ସେମାନଙ୍କ ଠାରୁ ବୈଧ ସ୍ବୀକୃତିପତ୍ର ସହ ଷ୍ଟକ୍‌ର ହିସାବ ତଲବ କରାଯାଇଛି। ଦେଖାଇ ନ ପାରିଲେ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ତେବେ କେବଳ ଏତିକି ନୁହେଁ, ଆହୁରି ଅନେକ କ୍ରସର ରହିଛି, ସେଠାରେ ପରେ ଚଢ଼ଉ କରାଯିବା ସହ ବୈଧ କାଗଜପତ୍ର ଯାଞ୍ଚ କରାଯିବ ବୋଲି କହିଛନ୍ତି।

ଖାଦାନ୍‌ରୁ କ୍ରସର ପର୍ଯ୍ୟନ୍ତ: ଛୋଟା ଅନେକ ବେଆଇନ କ୍ରସର ଚଳାଉଥିଲା। ଖାଦାନରୁ ପଥର ଆସି କ୍ରସରରେ ଗୁଣ୍ଡ କରାଯାଉଥିଲା। କେତେକ ବେଆଇନ ଭାବରେ କ୍ରସର ଚଳାଉଥିବା ବେଳେ କେତେକ ଆଇନସିଦ୍ଧ କ୍ରସର ମଧ୍ୟ ଏହି ବେଆଇନ ପଥରକୁ ଗୁଣ୍ଡ କରୁଥିଲେ। ଖାଦାନରୁ ପଥର କ୍ରସର ପର୍ଯ୍ୟନ୍ତ ପହଞ୍ଚିବା, କ୍ରସରରୁ ଗ୍ରାହକଙ୍କ ପର୍ଯ୍ୟନ୍ତ ଯିବା ଏ ସବୁ କାରବାରକୁ ଛୋଟା ପରିଚାଳନା କରୁଥିଲା। ରାତି ଅଧିଆ ଏହି ସବୁ ଚୋରା ଚାଲାଣ ହେଉଥିଲା। ସ୍କାନରରେ ସହଯୋଗୀ: ଏହି ଖଣି କିମ୍ବା ଡ୍ରଗ୍‌ସ୍‌ ବେପାରରେ ଆହୁରି ଅନେକ ଅଛନ୍ତି। ଛୋଟାର ବୟାନକୁ ଆଧାର କରି ଏସ୍‌ଟିଏଫ୍‌ ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଠାବ କରିଛି। ସେମାନେ ଏସ୍‌ଟିଏଫ୍‌ର ଟାର୍ଗେଟ୍‌ରେ ଅଛନ୍ତି। ୪ ଦିନ ଭିତରେ ୧୭ରୁ ଊର୍ଦ୍ଧ୍ବ ଜାଗାରେ ଚଢ଼ଉ ହୋଇ ସାରିଥିବା ଏକ ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି। ଏସ୍‌ଟିଏଫ୍‌ର ତନାଘନା ଏହି ଅଭିଯୁକ୍ତଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି କରିଛି।

ଛାନିଆ ନେତା: ଛୋଟା ସହ ଜଣେ ଲୋକପ୍ରତିନିଧିଙ୍କର ସମ୍ପୃକ୍ତି ରହିଛି। ଏସ୍‌ଟିଏଫ୍‌ ମଧ୍ୟ କେତେକ ପ୍ରମାଣ ଯୋଗାଡ଼ କରିଛି। ଏ ନେଇ ଖବର ପ୍ରଚାରିତ ହେବା ପରେ ନେତା ଛାନିଆଁ ହୋଇଛନ୍ତି। ସମ୍ପୃକ୍ତ ଲୋକପ୍ରତିନିଧି ଜଣକ ଛୋଟାର ଅତି ପରିଚିତ। ଉଚ୍ଚ ପଦ ପାଇବା ପାଇଁ ଛୋଟା ଠାରୁ ଆର୍ଥିକ ସହାୟତା ନେଇ ଖର୍ଚ୍ଚ କରିଥିଲେ। ଛୋଟା ଆତ୍ମସମର୍ପଣ କରିବା ପୂର୍ବରୁ ବିଭିନ୍ନ ଜାଗାରେ ଉଭୟଙ୍କୁ ଏକତ୍ର ଠାବ କରାଯାଇଛି। ତା’ ସହିତ କେତେକ ଠୋସ୍‌ ପ୍ରମାଣ ଏସ୍‌ଟିଏଫ୍ ହାତରେ ଲାଗିଛି।

ସମ୍ବନ୍ଧିତ ଖବର