ଭୁବନେଶ୍ବର: ଗୁରୁବାର ରବି ଟକିଜ୍ ଛକସ୍ଥିତ କୌଶଲ୍ୟା ମେଡିସିନ୍ ଷ୍ଟୋର୍ରୁ ଔଷଧ କିଣିବା ବାହାନାରେ ପ୍ରାୟ ୨୫ ହଜାର ଟଙ୍କା ଲୁଟିବା ପରେ ଆଜି ଆଉ ଏକ ଦୋକାନରେ ଔଷଧ ଦୋକାନକୁ ଟାର୍ଗେଟ୍ କରିଛନ୍ତି ଲୁଟେରା। ଆଜି ସମାନ ଢଙ୍ଗରେ ୩ ଜଣିଆ ଏକ ଲୁଟେରା ଗ୍ୟାଙ୍ଗ୍ ଆଇଆର୍ସି ଭିଲେଜସ୍ଥିତ ବୃନ୍ଦାବନ ମେଡିସିନି ଷ୍ଟୋର୍ରୁ ନଗଦ ୪୮ ହଜାର ଟଙ୍କା ଲୁଟି ନେଇଛନ୍ତି। ଏନେଇ ଦୋକାନ ମାଲିକ ଶିବରାଜ ଦିଗଲ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଛନ୍ତି। ଶିବରାଜଙ୍କ ଅଭିଯୋଗ ଅନୁଯାୟୀ, ଆଜି ଦିନ ପ୍ରାୟ ୧୦ଟା ବେଳେ ଜଣେ ଯୁବକ ତାଙ୍କ ଦୋକାନକୁ ଆସି ଭୋଲିନି ସ୍ପ୍ରେ’ ମାଗିବା ସହ ୨ ହଜାର ଟଙ୍କିଆ ନୋଟ୍ ବଢ଼ାଇଥିଲା। ସକାଳୁ ସକାଳୁ ବ୍ୟବସାୟ ଆରମ୍ଭ ହୋଇ ନଥିବାରୁ ଶିବରାଜ ତାଙ୍କୁ ଖୁଚୁରା ମାଗିଥିଲେ। ମାତ୍ର ଖୁଚୁରା ନଥିବାରୁ ଯୁବକଜଣଙ୍କ ସେଠାରୁ ପଳାଇଥିଲା। କିଛି ସମୟ ପରେ ଆଉ ଜଣେ ଯୁବକ ଆସି ଶିବରାଜଙ୍କୁ ଏକ ହର୍ଲିକ୍ସ ମାଗିଥିଲା। ହର୍ଲିକ୍ସ ବାବଦକୁ ୨୨୦ ଟଙ୍କା ହୋଇଥିଲା। ଯୁବକ ଜଣକ ତାଙ୍କୁ ୧୦ଟଙ୍କିଆ ନୋଟ୍ର ଏକ ବିଡ଼ା ଧରାଇ ଦେଇ ହର୍ଲିକ୍ସ ଧରି ଦୌଡ଼ି ପଳାଇଥିଲା। ଶିବରାଜ ଟଙ୍କା ଗଣିବାରୁ ୪୦ଟଙ୍କା କମ୍ ଥିବା ଜଣାପଡ଼ିଥିଲା। ତେଣୁ ସେ ପାଟି କରି ଉକ୍ତ ଯୁବକ ପଛରେ ଧାଇଁଥିଲେ। ଦୋକାନରେ କେହି ନଥିବା ସୁଯୋଗରେ ଆଉ ଜଣେ ଯୁବକ ଦୋକାନରେ ପଶି କ୍ୟାସ୍ ଡ୍ର’ରୁ ୪୮ ହଜାର ଟଙ୍କା ଲୁଟି ନେଇଥିଲା। ଏ ସମସ୍ତ ଘଟଣା ଦୋକାନର ସିସି କ୍ୟାମେରାରେ କଏଦ୍ ହୋଇଛି। ଆଗପଛ ହୋଇ ଦୋକାନକୁ ଆସିଥିବା ୩ ଯୁବକ ଗୋଟିଏ ଗ୍ୟାଙ୍ଗର ଓ ସେମାନେ ଏପରି ଅଭିନବ ଉପାୟରେ ଲୁଟ୍ କରିଛନ୍ତି ବୋଲି ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ସିସିଟିଭି ଫୁଟେଜ୍ ଆଧାରରେ ପୁଲିସ ଯୁବକଙ୍କୁ ଧରିବା ପାଇଁ ଉଦ୍ୟମ ଚଳାଇଛି।
ସୂଚନାଯୋଗ୍ୟ, ଆଜିକୁ ମିଶାଇ ଗତ ସପ୍ତାହକ ମଧ୍ୟରେ ରାଜଧାନୀରେ ଏପରି ୩ଟି ଲୁଟ୍ ଘଟଣା ସାମ୍ନାକୁ ଆସିଲାଣି। ଗତ ସପ୍ତାହରେ ଏକ କଂସା ବାସନ ଦୋକାନରୁ ଜିନିଷ ଦେଖିବା ବାହାନାରେ ସାମଗ୍ରୀ ନେଇ ଦୌଡ଼ିଥିଲେ। ଦୋକାନ ମାଲିକ ଲୁଟେରାକୁ ଧରିବା ପାଇଁ ଗୋଡ଼ାଇଥିଲେ। ସେ ଜିନିଷ ଧରି ଦୋକାନକୁ ଫେରିବା ବେଳକୁ ତାଙ୍କ କ୍ୟାସ୍ ବାକ୍ସରୁ ୬୫ ହଜାର ଟଙ୍କା ଗାଏବ୍ ହୋଇଯାଇଥିଲା।
ଲୁଟେରା ଗ୍ୟାଙ୍ଗ୍ ପଶ୍ଚିମବଙ୍ଗର!
ନୂଆ ଉପାୟରେ ଦୋକାନରୁ ଲୁଟ୍ କରୁଥିବା ଏହି ଗ୍ୟାଙ୍ଗ ପଶ୍ଚିମବଙ୍ଗର ବୋଲି ପୁଲିସ ଅନୁମାନ କରୁଛି। ଗତକାଲି ରବି ଟକିଜ୍ ଓ ଆଜିର ଘଟଣାରେ ଅନେକ ସାମଞ୍ଜସ୍ୟ ଅଛି। ଲୁଟେରାମାନେ ଔଷଧ କିଣିବା ବେଳେ ଦୋକାନୀଙ୍କ ସହ ବଙ୍ଗଳା ମିଶା ଖଣ୍ଡି ଓଡ଼ିଆରେ କଥା ହେଉଥିଲେ। ତେଣୁ ସେମାନେ ରାଜଧାନୀର କୌଣସି ବସ୍ତି କିମ୍ବା ହୋଟେଲରେ ଆତ୍ମଗୋପନ କରିଥିବା ଅନୁମାନ କରାଯାଉଛି।
ଅପରପକ୍ଷେ, ଏହି ଲୁଟେରାମାନେ ଲୁଟ୍ ପାଇଁ ସକାଳ ବେଳାକୁ ଟାର୍ଗେଟ୍ କରୁଛନ୍ତି। ଦୋକାନ ଖୋଲିବା ବେଳେ ଦୋକାନୀ ଓ କର୍ମଚାରୀମାନେ ସେତେଟା ପ୍ରସ୍ତୁତ ନଥା’ନ୍ତି। ସେହିପରି ଲୋକଙ୍କ ଆତଯାତ ମଧ୍ୟ କମ୍ ରହିଥାଏ। ତେଣୁ ସେହି ସମୟକୁ ମୌକା ଭାବି ଲୁଟ୍ କରୁଛନ୍ତି। ଲୁଟ୍ କରିବାର ଗୋଟିଏ କିମ୍ବା ଦୁଇ ଦିନ ପୂର୍ବରୁ ସେମାନେ ଦୋକାନ ଆଖପାଖରେ ରେକି କରିଥା’ନ୍ତି। ଦୋକାନୀ ଓ କର୍ମଚାରୀଙ୍କ ଗତିବିଧି ଉପରେ ନଜର ରଖୁଛନ୍ତି ବୋଲି ପୁଲିସ ଅନୁମାନ କରୁଛି। ତେଣୁ ଦୁଇ ଦୋକାନ ପାଖରେ ଥିବା ଅନ୍ୟ ସିସିଟିଭି ଫୁଟେଜ୍ ସଂଗ୍ରହ କରିବା ପାଇଁ ପୁଲିସ ଉଦ୍ୟମ ଚଳାଇଛି।