ଏବେ ଟାର୍ଗେଟ୍ ଦୁବାଇ, ଡିସେମ୍ବର ୭ରୁ, ବ୍ୟାଙ୍କକ୍‌କୁ ବିମାନ

ଭୁବନେଶ୍ବର: ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଖୁବ୍‌ଶୀଘ୍ର ଅନ୍ତର୍ଜାତୀୟ ବିମାନବନ୍ଦର ହବ୍‌ ହେବାକୁ ଯାଉଛି। ଭୁବନେଶ୍ବରରୁ କ୍ବାଲାଲମ୍ପୁର୍‌କୁ ବିମାନ ଉଡ଼ାଣ ସଫଳ ହେବା ପରେ ଏୟାର ଏସିଆ ବ୍ୟାଙ୍କକ୍‌କୁ ବିମାନ ସେବା ଆରମ୍ଭ କରିବାକୁ ଯାଉଛି। ଆସନ୍ତା ଡିସେମ୍ବର ୭ରୁ ଏହି ବିମାନ ସେବା ଆରମ୍ଭ ହେବାକୁ ଯାଉଛି। ମିଳିଥିବା ସୂଚନା ଅନୁଯାୟୀ, ଏୟାର ଏସିଆ ପକ୍ଷରୁ ସପ୍ତାହକୁ ତିନି ଦିନ ଭୁବନେଶ୍ବରରୁ ବ୍ୟାଙ୍କକ୍ ବିମାନ ସେବା ଆରମ୍ଭ ହେବ। ଭୁବନେଶ୍ବରରୁ ରବିବାର, ବୁଧବାର ଓ ଶୁକ୍ରବାର ବିମାନ ବ୍ୟାଙ୍କକ୍ ଅଭିମୁଖେ ଯିବ। ଏଠାରୁ ବିମାନ ଏଫ୍‌ଡି-୧୧୩ ବିମାନ ରାତି ୧୨ଟା ୨୫ରେ ବାହାରି ବ୍ୟାଙ୍କକ୍‌ରେ ସ୍ଥାନୀୟ ସମୟ ଅନୁଯାୟୀ ରାତି ୪ଟା ୩୦ରେ ପହଞ୍ଚିବ। ୨ଘଣ୍ଟା ୩୫ମିନିଟରେ ବିମାନ ବ୍ୟାଙ୍କକ୍‌‌େର ପହଞ୍ଚିବ। ସେହିପରି ବିମାନ ଏଫ୍‌ଡି-୧୧୨ ବ୍ୟାଙ୍କକ୍‌ରୁ ସ୍ଥାନୀୟ ସମୟ ଅନୁଯାୟୀ ରାତି ୧୦ଟା ୩୫ରେ ବାହାରି ଭୁବନେଶ୍ବରରେ ରାତି ୧୧ଟା ୫୫ରେ ଅବତରଣ କରିବ। ୨ ଘଣ୍ଟା ୫୦ ମିନିଟରେ ବିମାନ ଭୁବନେଶ୍ବରରେ ପହଞ୍ଚିବ। ଏହି ବିମାନ ବ୍ୟାଙ୍କକ୍‌ର ଡନ୍ ମୁଏଙ୍ଗ ବିମାନବନ୍ଦରରୁ ଯାତାୟାତ କରିବ। ଏୟାର ଏସିଆର ୧୮୦ ସିଟ୍ ବିଶିଷ୍ଟ ଏୟାରକ୍ରାଫ୍ଟ-୩୨୦ ଏହି ରୁଟ୍‌ରେ ଚାଲିବ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ ଯେ, ଗତବର୍ଷ ଡିସେମ୍ବର ୧୦ରେ ଭୁବନେଶ୍ବରରୁ ବ୍ୟାଙ୍କକ୍‌କୁ ସିଧା ବିମାନ ସେବା ଆରମ୍ଭ କରିଥିବା ଏୟାର ଇଣ୍ଡିଆ ଚଳିତବର୍ଷ ଜୁଲାଇ ୧୬ରୁ ହଠାତ୍ ସେପ୍ଟେମ୍ବର ୩୦ତାରିଖ ପର୍ଯ୍ୟନ୍ତ ଉଡ଼ାଣ ବନ୍ଦ କରିଦେଇଥିଲା। ଏନେଇ ଏୟାର ଇଣ୍ଡିଆ କର୍ତ୍ତୃପକ୍ଷ କିଛି ସ୍ପଷ୍ଟ ସୂଚନା ଦେଇନଥିଲେ। ପରବର୍ତ୍ତୀ ସମୟରେ କୁହାଯାଇଥିଲା ଯେ, ଡିସେମ୍ବର ୧ରୁ ପୁଣି ବ୍ୟାଙ୍କକ୍‌କୁ ବିମାନ ସେବା ଆରମ୍ଭ ହେବ। ଏନେଇ କେତେକ ଟିକେଟ୍ ବୁକିଂ ୱେବସାଇଟ୍‌ରେ ମଧ୍ୟ ସୂଚନା ଦିଆଯାଇଥିଲା। ହେଲେ ବିମାନ ଉଡ଼ାଣ କଲାନି। ଅପରପକ୍ଷେ ଏୟାର ଏସିଆ ବିମାନ ଭୁବନେଶ୍ବରରୁ ବିମାନ ଉଡ଼ାଣ ଆରମ୍ଭ କରିବାରେ ପ୍ରମୁଖ ଭୂମିକା ନିଭାଇଥିବା ହୋଟେଲ୍‌ କ୍ରାଉନ୍‌ର ନିର୍ଦ୍ଦେଶକ ଦେବାଶିଷ ପଟ୍ଟନାୟକ କହିଛନ୍ତି ଯେ, ଆସନ୍ତା ଏପ୍ରିଲ୍ କିମ୍ବା ମେ’ରୁ ଭୁବନେଶ୍ବରରୁ ଦୁବାଇକୁ ବିମାନ ଉଡ଼ାଣ ନେଇ ଆଲୋଚନା ଚାଲିଛି। କ୍ବାଲାଲମ୍ପୁର ଓ ବ୍ୟାଙ୍କକ୍‌ ପରେ ଏବେ ଆମ ଟାର୍ଗେଟ୍ ଦୁବାଇ। ଖୁବ୍ ଶୀଘ୍ର ଫ୍ଲାଇ ଦୁବାଇ ଓ ଇଣ୍ଡିଗୋ ବିମାନ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରାଯିବ। ଦୁବାଇରେ ରହୁଥିବା ପ୍ରବାସୀ ଭାରତୀୟ, ଦୁଇ ବିମାନ ସଂସ୍ଥାର ଅଧିକାରୀ ବସି ଆଲୋଚନା କରାଯିବ। ଦୁବାଇରେ କେତେ ଓଡ଼ିଆ ରହୁଛନ୍ତି, ମାସକୁ କେତେ ଓଡ଼ିଆ ଦୁବାଇ ଏବଂ ଏହା ଆଖପାଖ ଦେଶକୁ ଯାତାୟାତ କରୁଛନ୍ତି, ଏହି ରୁଟ୍‌ରେ ବିମାନ ଚାଲିଲେ ଅନ୍ୟ କେଉଁ ଦେଶକୁ ସୁବିଧାରେ ଯାତାୟାତ କରିହେବ, ଫ୍ଲାଇ ଏମିରେଟ୍‌ସ ବିମାନ ଉଡ଼ାଣ ସମୟ ସହିତ କିପରି ଏହାକୁ ସଂଯୋଗ କରାଯାଇପାରିବ ସେନେଇ ସବିଶେଷ ଆଲୋଚନା ହେବ। ଏହାର ଏକ ବିସ୍ତୃତ ରିପୋର୍ଟ ରାଜ୍ୟ ସରକାରଙ୍କୁ ଦିଆଯିବ। ରାଜ୍ୟ ସରକାର ଅଧିକ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ପାଇଁ ସମସ୍ତ ପ୍ରକାରର ସହଯୋଗ କରୁଥିବାରୁ ଆସନ୍ତା ବର୍ଷ ହିଁ ଦୁବାଇକୁ ବିମାନ ଉଡ଼ାଣ ହୋଇପାରିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ସୂଚନାଯୋଗ୍ୟ ଯେ ଫ୍ଲାଇ ଦୁବାଇ ୨୦୧୧ ମସିହାରୁ ଭୁବନେଶ୍ବରରୁ ବିମାନ ଉଡ଼ାଣ କରିବାକୁ ଉଦ୍ୟମ ଜାରି ରଖିଛି।

ସମ୍ବନ୍ଧିତ ଖବର