ଭୁବନେଶ୍ବର: ୨୦୨୨ ମସିହା ମେ’ ୧୦ ତାରିଖରେ ସହିଦନଗରରେ ଖୋଲିଥିଲା ରାଜଧାନୀର ପ୍ରଥମ ସେନ୍ସୋରି ପାର୍କ। ଉଦ୍ଦେଶ୍ୟ ଥିଲା, ଭିନ୍ନକ୍ଷମ ପିଲାଙ୍କର ବୌଦ୍ଧିକ ବିକାଶରେ ସହାୟତା କରିବା ଆଉ ବିନା ପ୍ରତିବନ୍ଧକରେ ସେମାନଙ୍କ ପାଇଁ ଅବସର ବିନୋଦନର ଏକ ନିଆରା ପରିବେଶ ସୃଷ୍ଟି କରିବା। ଉଦ୍ଘାଟନ ପରେ ଭିନ୍ନକ୍ଷମ ପିଲା ଓ ବୟସ୍କ ବ୍ୟକ୍ତିଙ୍କ ଭି ବି ସେଠାରେ ଜମିଲା। ପାର୍କଟି ନିର୍ମାଣ କରି ସ୍ମାର୍ଟ ସିଟି କର୍ତ୍ତୃପକ୍ଷ ବେଶ୍ ପ୍ରଶଂସା ସାଉଁଟିଲେ। ଏହା ମଧ୍ୟରେ ୨ବର୍ଷ ବିତିଯାଇଛି। ପାର୍କ ଅଛି, କିନ୍ତୁ ଚିତ୍ର ବଦଳିଗଲାଣି। ଯେଉଁ ଲକ୍ଷ୍ୟରେ ପାର୍କ ହୋଇଥିଲା, ତାହା ଯେମିତି ବାଟବଣା ହୋଇଯାଇଛି। ଅନେକ ସାମଗ୍ରୀ ରକ୍ଷଣାବେକ୍ଷଣା ଅଭାବରୁ ନଷ୍ଟ ହୋଇଗଲାଣି। ଭିନ୍ନକ୍ଷମ ପିଲାମାନଙ୍କ ପାଇଁ ଏହା ଆଉ ଆକର୍ଷଣର କେନ୍ଦ୍ର ହୋଇରହିନାହିଁ। ସାଧାରଣ ପାର୍କରେ ଏହା ପରିଣତ ହୋଇଯାଇଛି। ଭିନ୍ନକ୍ଷମ ଯେତିକି ଆସୁନାହାନ୍ତି, ଅନ୍ୟ ସାଧାରଣ ଲୋକ ଅଧିକ ଆସୁଛନ୍ତି।
ଉଦ୍ଘାଟନୀ ବେଳେ ପାର୍କରେ ସ୍ୱତନ୍ତ୍ର ଭାବେ ରବର୍ ପକାଯାଇଥିଲା। ପାର୍କକୁ ପ୍ରବେଶ ଓ ପ୍ରସ୍ଥାନ ପାଇଁ ର୍ୟା ମ୍ପ ବ୍ୟବସ୍ଥା ହୋଇଥିଲା। ଦୃଷ୍ଟିହୀନ ପିଲା ଯେପରି ବିଭିନ୍ନ ଖେଳକୁ ବୁଝିପାରିବେ ଓ ମଜା ନେଇପାରିବେ ସେଥିପାଇଁ ବ୍ରେଲି ଵାଲ୍ ଓ ସାଉଣ୍ଡ୍ ଵାଲ୍ କରାଯାଇଥିଲା। କିନ୍ତୁ ତାହା ଏବେ ସେଠାରେ ଦେଖିବାକୁ ମିଳୁନି। ସେହିପରି ଭିନ୍ନକ୍ଷମ ପିଲାଙ୍କ ପାଇଁ ଚାଲିବା ସମୟରେ ଅଲଗା ଅନୁଭୂତି ଦେବାକୁ ମାଟି, ଘାସ ଓ ପେଭର୍ ପକାଇ ରାସ୍ତା ନିର୍ମାଣ କରାଯାଇଥିଲା। ତେବେ ରକ୍ଷଣାବେକ୍ଷଣା ଅଭାବରୁ ଘାସ ଗୁଡ଼ିକ ମରିଯିବା ସହିତ କିଛି ସ୍ଥାନରୁ ପେଭର୍ ଉଠିଯାଇଛି। ଭିନ୍ନକ୍ଷମ ପିଲାଙ୍କ ପାଇଁ ହୋଇଥିବା ବାକ୍ସ ଦୋଳି ଓ ହ୍ୱିଲ୍ ଚେୟାର ଦୋଳି ଛିଡ଼ିଗଲାଣି। ଏହାସହ ବଲ୍ ପୁଲ୍, ବାଲିରେ ବିଭିନ୍ନ ଖେଳର ସୁବିଧା ସହିତ ହ୍ୱିଲ୍ ଚେୟାରରେ ଆସିବାକୁ ଥିବା ପିଲା ଯେପରି ହାତରେ ବିଭିନ୍ନ ବ୍ୟାୟାମ କରିପାରିବେ, ସେଥିପାଇଁ ସ୍ୱତନ୍ତ୍ର ଯନ୍ତ୍ରାଂଶ ଲାଗିଥିଲା। ପିଲାଙ୍କୁ ବିଭିନ୍ନ ଶବ୍ଦର ଅନୁଭୂତି ଦେବା ପାଇଁ ବିଭିନ୍ନ ଖେଳ ସରଞ୍ଜାମରେ ଡ୍ରମ୍, ମ୍ୟୁଜିକ୍ ପୋଲ୍ ଆଦି ଅତ୍ୟାଧୁନିକ ଖେଳ ଉପକରଣ ରହିଥିଲା। କିନ୍ତୁ ସେଥିରୁ ମଧ୍ୟ ଅନେକ ନଷ୍ଟ ହୋଇଯାଇଛି। ଏହା ବ୍ୟତିତ ନିରୀକ୍ଷଣ ଟାୱାର, କ୍ଷୁଦ୍ର ବାସ୍କେଟ ବଲ୍ କୋର୍ଟ, ମୁକ୍ତାକାଶ ଗ୍ୟାଲେରୀର କିଛି କିଛି ଅଂଶ ଭାଙ୍ଗି ଯାଇଥିଲା ବେଳେ ଅନେକ ସାମଗ୍ରୀ ଚୋରି ହୋଇଯାଇଛି। ପିଲାଙ୍କୁ ଆକର୍ଷିତ କରିବା ପାଇଁ ଜଳ ଫୁଆରାରେ ବିଭିନ୍ନ ଲାଇଟ୍ ଲଗାଇ ସୁସଜ୍ଜିତ କରାଯାଇଥିଲା, ଯାହା କି ଏବେ ନାହିଁ। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ପାର୍କର ପାଚେରି ଛୋଟ ଥିବାରୁ ଅସାମାଜିକ ବ୍ୟକ୍ତି ଲାଗିଥିବା ଲାଇଟ୍ ଚୋରି କରି ନେଇଛନ୍ତି। ଆଉ ପିଲାଙ୍କ କିଛି ଖେଳ ସାମଗ୍ରୀ ମଧ୍ୟ ଚୋରି ହୋଇଯାଇ ଥିବାବେଳେ କିଛି ନଷ୍ଟ ହୋଇଯାଇଛି।
କେବଳ ସରଞ୍ଜାମ ନୁହେଁ, ମୌଳିକ ସୁବିଧା ମଧ୍ୟ ଉପଲବ୍ଧ ନାହିଁ। ପିଇବା ପାଣି ବ୍ୟବସ୍ଥା ବି ଠିକ୍ କରାଯାଇନି। ପାର୍କରେ ଥିବା ଚାରୋଟି ଶୌଚାଳୟରୁ ଦୁଇଟି ଶୌଚାଳୟକୁ ପାଣି ଆଦୌ ଆସୁନି। ଅନ୍ୟ ଦୁଇଟି ଶୌଚାଳୟର କିଛି ଅଂଶ ଭାଙ୍ଗିଯାଇଛି। ତାହା ନିୟମିତ ସଫା ହେଉ ନଥିବାରୁ କବାଟ ଖୋଲିବା କ୍ଷଣି ଦୁର୍ଗନ୍ଧରେ ନାକ ଫାଟି ପଡ଼ୁଛି। ପାର୍କର କିଛି ସ୍ଥାନରେ ଲାଇଟ୍ ନଥିବାରୁ ଅସାମାଜିକ ଲୋକ ତାର ଫାଇଦା ଉଠାଉଛନ୍ତି। ଏପରି ଅବ୍ୟବସ୍ଥାକୁ ନେଇ ଭିନ୍ନକ୍ଷମ ପିଲାଙ୍କ ଅଭିଭାବକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ରାଜଧାନୀରେ ସବୁ ବର୍ଗର ଲୋକ ଯେପରି ସ୍ବଚ୍ଛନ୍ଦରେ ରହିପାରିବେ, ତାହାର ଦାୟିତ୍ବ ହେଉଛି ସ୍ଥାନୀୟ ପ୍ରଶାସନର। ଭିନ୍ନକ୍ଷମଙ୍କ ପାଇଁ ଏକ ଉତ୍ସର୍ଗୀକୃତ ପାର୍କକୁ ଠିକ୍ ଭାବେ ରକ୍ଷଣାବେକ୍ଷଣ କରାଯାଇ ନପାରିବାା ନିଶ୍ଚିତ ଚିନ୍ତାର ବିଷୟ ବୋଲି ସଚେତନ ନାଗରିକମାନେ ମତ ଦେଇଛନ୍ତି। ଏନେଇ ଜେନରାଲ ଡେପୁଟି କମିସନର(ଜେଡିସ) ପୁରନ୍ଦର ନନ୍ଦ କହିଛନ୍ତି, ‘‘ ଅତିଶୀଘ୍ର ପାର୍କର ମରାମତି କରାଯିବ। ସେଥିପାଇଁ ପ୍ରସ୍ତୁତି ମଧ୍ୟ ହୋଇଛି।’’