ଟାର୍ଗେଟ୍‌ରେ ବସ୍ତି, ଉଠାଦୋକାନୀ: ୟୁଜର୍ସ ଫି’ ଆଦାୟ କଡ଼ାକଡ଼ି ହେବ

ଭୁବନେଶ୍ବର: ବିଏମ୍‌ସି ପକ୍ଷରୁୁ ଚଳିତ ଆର୍ଥିକ ବର୍ଷରୁ ହିଁ ୟୁଜର୍ସ ଫି’ ଆଦାୟ ହେବ। ଗତ ୫ବର୍ଷର ବକେୟା ଫି’ ସହ ଚଳିତବର୍ଷର ଫି’ ଆଦାୟ ହେବ। କେଉଁଠୁ କିପରି ୟୁଜର୍ସ ଫି’ ଆଦାୟ ହେବ ସେନେଇ ଆଜି ବିଏମ୍‌ସି ପକ୍ଷରୁ ୱାର୍ଡ ଅଫିସରମାନଙ୍କୁ ତାଲିମ୍ ଦିଆଯାଇଛି। ସରକାରୀ କ୍ବାର୍ଟର୍ସ ଆରମ୍ଭ କରି ରାଜଧାନୀରେ ଘର କରିଥିବା ପ୍ରତ୍ୟେକ ଲୋକଙ୍କ ଘରୁ ୟୁଜର୍ସ ଫି’ ଆଦାୟ ହେବ। ହେଲେ ଫୋକସ୍‌ରେ ବସ୍ତିରେ ଘର କରିଥିବା ଲୋକ ଓ ଉଠା ଦୋକାନୀ ରହିବେ। ଯେଉଁମାନେ ବିଏମ୍‌ସିକୁ କୌଣସି ପ୍ରକାରର ଟିକସ ଦିଅନ୍ତିନି କିନ୍ତୁ ବିଏମ୍‌ସି ସେମାନଙ୍କ ଅଳିଆ ଉଠାଏ।

ବିଏମ୍‌ସିର ନିଷ୍ପତ୍ତି ଅନୁଯାୟୀ, ୨୦୧୫-୧୬ ଆର୍ଥିକ ବର୍ଷରୁ ଏହି ଟିକସ ଆଦାୟ ହେବ। ଯେଉଁମାନେ ୨୦୧୫-୧୬, ୨୦୧୬-୧୭ରେ ହୋଲଡିଂ ଟିକସ ଦେଇଥିଲେ ସେମାନେ ରସିଦ୍‌ ଦେଖାଇଲେ ସେମାନଙ୍କୁ ଟିକସ ଛାଡ଼ ହେବ। ବାକି ୩ବର୍ଷର ବକେୟା ଫି’ ଆଦାୟ ହେବ। ଏହାବାଦ୍ ଚଳିତବର୍ଷର ଫି’ ଆଦାୟ ହେବ।
ବିଶେଷକରି ବସ୍ତିରେ ରାଜଧାନୀର ପ୍ରାୟ ୪୦% ବାସିନ୍ଦା ବାସ କରୁଥିବାବେଳେ ଏଠାରେ ୮୦ହଜାରରୁ ଅଧିକ ଘର ଅଛି। ବସ୍ତିରୁ ଦୈନିକ ପ୍ରାୟ ୧୫୦ ଟନ୍ ଆବର୍ଜନା ବାହାରୁଛି। କିନ୍ତୁ ସେମାନେ ବିଏମ୍‌ସିକୁ ଏଥିପାଇଁ କୌଣସି ଟିକସ ଦେଉନାହାନ୍ତି। ସେମାନଙ୍କ ଠାରୁ ବି ହୋଲଡିଂ ଟିକସ ଆଦାୟ ହେଉନି। ତେଣୁ ବିଏମ୍‌ସି ବସ୍ତିରେ ଥିବା ପ୍ରତ୍ୟେକ ଘର ମାସକୁ ୨୦ଟଙ୍କା ଲେଖାଏ ଆଦାୟ କରିବ। ବସ୍ତିର ଗୋଟିଏ ଘରୁ ୫ବର୍ଷର ବକେୟା ୟୁଜର୍ସ ଫି’ ବାବଦକୁ ୧୨୦୦ଟଙ୍କା ଏବଂ ଚଳିତ ବର୍ଷର ଫି’ ବାବଦକୁ ୨୪୦ଟଙ୍କା ଆଦାୟ ହେବ।
ସେହିପରି ରାଜଧାନୀର ସମସ୍ତ ହାଟ ଓ ବଜାରରୁ ବି କଡ଼ାକଡ଼ି ଭାବେ ୟୁଜର୍ସ ଫି’ ଆଦାୟ ହେବ। ହାଟରେ ଦୋକାନ ଅନୁଯାୟୀ ମାସକୁ ୧୦୦ରୁ ୫୦୦ଟଙ୍କା ହିସାବରେ ଫି’ ଆଦାୟ ହେବ।
ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଲା ରାସ୍ତା କଡ଼ ଦୋକାନୀଙ୍କ ଠାରୁ ମାସକୁ ୫୦ଟଙ୍କା କିମ୍ବା ଦିନକୁ ୨ଟଙ୍କା ଲେଖାଏଁ ହିସାବରେ ଫି’ ଆଦାୟ ହେବ। ଯିଏ ଯେତେ ବର୍ଷ ହେଲା (୨୦୧୫ ପରଠାରୁ) ଦୋକାନ କଲେଣି ସେମାନଙ୍କ ଠାରୁ ସେହି ଅନୁଯାୟୀ ଫି’ ଆଦାୟ ହେବ। ୱାର୍ଡ ଅଫିସରମାନେ ଏବେ ୟୁଜର୍ସ ଫି’ ଆଦାୟ ବେଳେ ଏହି ଅଞ୍ଚଳକୁ ଫୋକସ୍‌ କରିବାକୁ କୁହାଯାଇଛି। ବାକି ଘରଗୁଡ଼ିକ ଆସନ୍ତା ଆର୍ଥିକ ବର୍ଷରୁ ଅନଲାଇନ୍‌ରେ ୟୁଜର୍ସ ଫି’ ଦେବେ। ତେଣୁ ଏବେ ଯିଏ ନଦେବେ ସେମାନେ ଅନଲାଇନ୍‌ରେ ପରେ ଦେବେ। କିନ୍ତୁ ନିୟମିତ ଭାବେ ଯେଉଁମାନଙ୍କ ଠାରୁ ଆଦାୟ ହେବ, ଯେଉଁମାନେ ଅନଲାଇନ୍ ବ୍ୟବସ୍ଥାରେ ଖାପ ଖୁଆଇନାହାନ୍ତି ସେମାନଙ୍କ ଠାରୁ ୱାର୍ଡ ଅଫିସରମାନେ ଫି’ ଆଦାୟ କରିବାକୁ କୁହାଯାଇଛି। ଭୁବନେଶ୍ବର ମହାନଗର ନିଗମ ‘ପୌରାଞ୍ଚଳ କଠିନ ବର୍ଜ୍ୟବସ୍ତୁ ପରିଚାଳନା ବାଇ ଲ-୨୦୧୮’ ଅନୁଯାୟୀ ଏହି ୟୁଜର୍ସ ଫି’ ଆଦାୟ ହେବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର