‘୫ ଲକ୍ଷ ହେକ୍ଟର ଜମି ଜଳସେଚନ ଧାର୍ଯ୍ୟ ଲକ୍ଷ୍ୟ ପୂରଣ ହେବ’

୫୦ ବର୍ଷରେ ଉଠା ଜଳସେଚନ ନିଗମ

ଭୁବନେଶ୍ବର: ଓଡ଼ିଶା ଉଠା ଜଳସେଚନ ନିଗମକୁ ୫୦ ବର୍ଷ ପୂର୍ତ୍ତି ଅବସରରେ ଗତ ୨୧ ତାରିଖ ସନ୍ଧ୍ୟାରେ ଭୁବନେଶ୍ୱର ଓଏଲ୍ଆଇସି ଡିଭିଜନ ଠାରେ ନୂତନ ଟେକ୍ନୋଲୋଜିର ଆଇଏସ୍ଓ ପ୍ରାମାଣୀକୃତ ପମ୍ପ ପରୀକ୍ଷା ପ୍ରୟୋଗଶାଳା ଉଦ୍‌ଘାଟିତ ହୋଇଛି। ଏହାକୁ ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଶୁଭାରମ୍ଭ କରିଛନ୍ତି। ସନ୍ଧ୍ୟାରେ ନିଗମର ସାଂସ୍କୃତିକ ପରିଷଦ ଦ୍ୱାରା ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜଳସଂପଦ, ବାଣିଜ୍ୟ ଓ ପରିବହନ ବିଭାଗୀୟ ମନ୍ତ୍ରୀ ଟୁକୁନି ସାହୁ ଯୋଗ ଦେଇଥିଲେ। ଏଥିରେ ଶ୍ରୀମତୀ ଗର୍ଗଙ୍କ ସମେତ ନିଗମ ଅଧ୍ୟକ୍ଷ ଅମରେଶ ପତ୍ରୀ ଓ ପରିଚାଳନା ନିର୍ଦ୍ଦେଶିକା ଅର୍ଚ୍ଚନା ପଟ୍ଟନାୟକ ଯୋଗଦେଇ ବାର୍ଷିକ ପତ୍ରିକା ଉନ୍ମୋଚନ କରିବା ସହ ସଫଳ ଚାଷୀମାନଙ୍କୁ ସମର୍ଦ୍ଧିତ କରିଥିଲେ।

ଜଳସେଚନ କ୍ଷେତ୍ରରେ ଓଏଲ୍ଆଇସିର ଉଦ୍ୟମ ପ୍ରଶଂସନୀୟ ବୋଲି ମନ୍ତ୍ରୀ କହିଥିବା ବେଳେ ସମ୍ମାନିତ ଅତିଥି ଶ୍ରୀମତୀ ଗର୍ଗ ଓଏଲ୍ଆଇସି ଗୋଲ୍ଡ କାଟାଗୋରିରେ ଅନ୍ତର୍ଭୁକ୍ତ ହୋଇଥିବାରୁ ଶୁଭେଚ୍ଛା ଜଣାଇବା ସହ କୃଷକମାନଙ୍କୁ କେବଳ ଧାନ ଫସଲ ନକରି ଅଧିକରୁ ଅଧିକ ଡାଲି, ତୈଳବୀଜ, ପନିପରିବା ପରି ଅର୍ଥକରୀ ଫସଲ କରିବାକୁ ପରାମର୍ଶ ଦେଇଥିଲେ। ଅଧ୍ୟକ୍ଷତା କରିବା ଅବସରରେ ଅଧ୍ୟକ୍ଷ ଶ୍ରୀ ପତ୍ରୀ ଓଏଲ୍ଆଇସି ସବୁ ଅପହଂଚ ସ୍ଥାନରେ ପହଞ୍ଚି ଜଳଚସଚନ ସୁବିଧା ଉପଲବ୍ଧ କରାଇ ପାରୁଥିବା କହିଥିଲେ। ତା ସହିତ ମୁଖ୍ୟମନ୍ତ୍ରୀ ଆଗାମୀ ପାଞ୍ଚ ବର୍ଷରେ ୫ଲକ୍ଷ ହେକ୍ଟର ଜମିରେ ଜଳସେଚନର ଯେଉଁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି ତାହା ପୂରଣ କରିବାକୁ ଓଏଲ୍ଆଇସି ପ୍ରୟାସ ଜାରି ରଖିବ ବୋଲି କହିଥିଲେ। ନିଗମର କାର୍ଯ୍ୟନିର୍ବାହୀ ନିର୍ଦେଶକ ବାଲେଶ୍ୱର ନାଥ ସାହୁ ଧନ୍ୟବାଦ ଦେଇଥିଲେ। ଏହାପରେ ନିଗମର ସାଂସ୍କୃତିକ ପରିଷଦ ଦ୍ୱାରା ନାଟକ ‘ଶେଷ ନିଷ୍ପତ୍ତି’ ପରିବେଷଣ କରାଯାଇଥିଲା।

ସମ୍ବନ୍ଧିତ ଖବର