ଧରା ଦେଉନି ଫେରାର୍‌ ତାମାରିନ୍‌ ମାଙ୍କଡ଼

ବାରଙ୍ଗ: ନନ୍ଦନକାନନ ପ୍ରାଣୀଉଦ୍ୟାନ ପରିସର କ୍ୱାରେନ୍‌ଟାଇନ୍‌ରୁ ୪ ଦିନ ତଳେ ଚମ୍ପଟ ମାରିଥିବା ପୁରୁଷ ତାମାରିନ୍‌ ମାଙ୍କଡ଼ଟି କର୍ମଚାରୀଙ୍କୁ ନାକେଦମ୍‌ କଲାଣି। ତାକୁ ଧରିବା ପାଇଁ ସବୁ ପ୍ରକାର ପ୍ରୟାସ କରାଯାଉଥିଲେ ହେଁ ସେ କର୍ମଚାରୀଙ୍କ ହାତରୁ ଖସି ଯାଉଛି। ଯନ୍ତାରୁ ଫେରାର୍‌ ହେବା ପରେ କର୍ମଚାରୀମାନେ ତାକୁ ଖୋଜାଖୋଜି କରି ସେହିଦିନ କ୍ୱାରେନ୍‌ଟାଇନ ପଛପାଖ ଏକ ଗଛରେ ଠାବ କରିଥିଲେ। ପରଦିନ ସକାଳେ ତାକୁ ଧରିବାକୁ ଯୋଜନା କରାଯାଇଥିଲା। ତା’ ସାଥୀକୁ କ୍ୱାରେନ୍‌ଟାଇନ୍‌ର ପଛ ପାଖରେ ଯନ୍ତାରେ ରଖି କର୍ମଚାରୀମାନେ ଆଉ ଏକ ଯନ୍ତା ଧରି ଛକି ରହିଥିଲେ। ସନ୍ଧ୍ୟା ପର୍ଯ୍ୟନ୍ତ ଜଗି ଜଗି କର୍ମଚାରୀମାନେ ନୟାନ୍ତ ହେବା ପରେ ମାଙ୍କଡ଼ଟି କ୍ୱାରେନ୍‌ ଟାଇନ୍‌ ପଛପାଖ ବାଉଁଶ ଗଛକୁ ଆସିଥିଲା। ତାକୁ ନାନା ପ୍ରଲୋଭନ ଦେଖାଇ ଡକାଯାଇଥିଲେ ହେଁ ଦୂରରୁ ଯନ୍ତା ଭିତରେ ତା’ ପ୍ରେମିକାକୁ ଦେଖି ସେ ପଛପାଖ ଜଙ୍ଗଲରେ ଲୁଚି ଯାଇଥିଲା। ଶନିବାର ମଧ୍ୟ ଅନୁରୂପ ଭାବେ ଦେଖାଦେଇ ଅଦୃଶ୍ୟ ହୋଇଯାଇଥିଲା। ତେଣୁ ବାଧ୍ୟ ହୋଇ ମାଈ ତାମାରିନ୍‌ଟିକୁ କ୍ୱାରେନ୍‌ଟାଇନକୁ ଫେରାଇ ଅଣାଯାଇଛି। ରବିବାର ତାକୁ ଧରିବାକୁ ନୂଆ କୌଶଳ କରାଯାଇଥିଲା। ସବୁଦିନ ଆସୁଥିବା ବାଉଁଶ ଗଛକୁ କଟାଯାଇ ଜାଲ ସହାଯ୍ୟରେ ଧରିବାକୁ ଯୋଜନା କରାଯାଇଥିଲା। କିନ୍ତୁ ସେ ଆସି ପୁଣି ଲୁଚି ଯାଇଥିବା ଜଣାଯାଇଛି। ବନ କର୍ମଚାରୀମାନେ ତା’ ରାତ୍ରିକାଳୀନ ବିଶ୍ରାମସ୍ଥଳୀକୁ ଠାବ କରିବାକୁ ଚେଷ୍ଟା କରି ତାକୁ ଧରିବାକୁ ଯୋଜନା କରିଥିବା ଜଣାଯାଇଛି। ତେବେ ଆଜି ସୁଦ୍ଧା ମାଙ୍କଡ଼ଟିକୁ ଧରିବାକୁ ଯେତେ ଯୋଜନା କରାଯାଇଛି, ସେସବୁକୁ ସେ ଚତୁରତାର ସହ ପଣ୍ଡ କରିଦେଇଛି। ଗତ ଗୁରୁବାର ଦ୍ୱିପ୍ରହରେ ଖାଦ୍ୟ ଦେବା ଲାଗି ଜନ୍ତୁରକ୍ଷକ ଯନ୍ତାର କବାଟ ଖୋଲିବା ବେଳେ ଏହି ମାଙ୍କଡ଼ଟି ଚମ୍ପଟ ମାରିଥିଲା।

ସମ୍ବନ୍ଧିତ ଖବର