ଭୁବନେଶ୍ବର: ଦୟା ପ୍ରଦୂଷଣକୁ ରୋକିବା ଓ ଏହାର ସ୍ଥାୟୀ ପ୍ରତିକାର ଦିଗରେ ଗଠିତ ଟାସ୍କଫୋର୍ସର ୧୨ତମ ବୈଠକ ବିଡିଏ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ବିଡିଏ ଉପାଧ୍ୟକ୍ଷ ଡ. ଏନ୍ ଥିରୁମାଲା ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଦୟା ପ୍ରଦୂଷଣ ରୋକିବା ଦିଗରେ ଆବଶ୍ୟକ ପଦକ୍ଷେପର ସମୀକ୍ଷା କରାଯାଇଛି। ବିଏମ୍‌ସି ଓ ବିଡିଏ ଅଞ୍ଚଳର ଶିଳ୍ପ, ସ୍ବାସ୍ଥ୍ୟ, ଘରୋଇ ଆବର୍ଜନା ଦୟାକୁ ପ୍ରଦୂଷିତ କରୁଥିବାବେଳେ ଏ ଉପରେ ନଜର ରଖିବାକୁ ଡ. ନାଏକ ସଂପୃକ୍ତ ବିଭାଗର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଗଙ୍ଗୁଆକୁ ସିଧାସଳଖ ଛଡ଼ାଯାଉଥିବା ବର୍ଜ୍ୟଜଳ ରୋକିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଅବସରରେ ନୂଆ ଏସ୍‌ଟିପି (ସ୍ବେରେଜ୍ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ) ନିର୍ମାଣର ଅଗ୍ରଗତି ଓ ପୁରୁଣା ଏସ୍‌ଟିପିର ସ୍ଥିତାବସ୍ଥାର ସମୀକ୍ଷା କରାଯାଇଛି। ‘ଗ୍ରିନ୍ ଗଙ୍ଗୁଆ, ଗ୍ରିନ୍ ଦୟା’ ଅଭିଯାନକୁ ଗୁରୁତ୍ବ ଦିଆଯାଇଛି।

Advertisment

୫୨ହଜାର ଘର ଓ ୯୬ହଜାର ବସ୍ତିବାସିନ୍ଦାଙ୍କ ନାହିଁ ସ୍ବେରେଜ ସଂଯୋଗ

ଭୁବନେଶ୍ବର ସହରର ସବୁ ବର୍ଜ୍ୟଜଳ ଗଙ୍ଗୁଆ ନାଳ ଦେଇ ଦୟାକୁ ନିଷ୍କାସିତ ହେଉଛି। ୧୧ଟି ମୁଖ୍ୟ ନାଳର ବର୍ଜ୍ୟଜଳ ଗଙ୍ଗୁଆ ଦେଇ ସିଧାସଳଖ ଦୟାକୁ ଯାଉଛି। ଯାହା ଦୟାକୁ ପ୍ରଦୂଷିତ କରିବା ସହ ଚିଲିକାକୁ ବି ପ୍ରଦୂଷିତ କରୁଛି। ବର୍ଜ୍ୟଜଳ ସିଧାସଳଖ ଗଙ୍ଗୁଆକୁ ନ ଯାଇ କିଭଳି ଏସ୍‌ଟିପିକୁ ଯାଇ ବିଶୋଧନ ପରେ ଗଙ୍ଗୁଆକୁ ଛଡ଼ାଯିବ, ସେ ଦିଗରେ ବୈଠକରେ ବିଚାରବିମର୍ଶ କରାଯାଇଛି। ଡ. ନାଏକ କହିଛନ୍ତି, ୱାଟ୍‌କୋ ଅଧିକାରୀଙ୍କୁ ସହରର ବର୍ଜ୍ୟଜଳକୁ ଏସ୍‌ଟିପିରେ ବିଶୋଧନରେ ପରେ ଗଙ୍ଗୁଆରେ ଛାଡ଼ିବା ବ୍ୟବସ୍ଥା କରିବାକୁ କୁହାଯାଇଛି। ଯେଉଁମାନେ ସିଧାସଳଖ ଗଙ୍ଗୁଆକୁ ବର୍ଜ୍ୟଜଳ ଛାଡ଼ୁଛନ୍ତି, ସେମାନଙ୍କ ଉପରେ ନଜର ରଖିବାକୁ କୁହାଯାଇଛି। ଏହାକୁ ବନ୍ଦ କରିବା ଓ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବାକୁ କୁହାଯାଇଛି।

ସ୍ବାସ୍ଥ୍ୟ ବିଭାଗକୁ ସ୍ବାସ୍ଥ୍ୟ ବର୍ଜ୍ୟକୁ ନାଳରେ ନ ଛାଡ଼ିବା ଉପରେ ନଜର ରଖିବାକୁ କୁହାଯାଇଛି। ବିଏମ୍‌ସିକୁ କଠିନ ବର୍ଜ୍ୟ ନାଳରେ ନ ଛାଡ଼ିବା ଦିଗରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁମାନେ ଶିଳ୍ପ ବର୍ଜ୍ୟ ଛାଡ଼ୁଛନ୍ତି, ସେମାନଙ୍କ ଉପରେ ନଜର ରଖିବାକୁ ଇଡ୍‌କୋକୁ ବି କୁହାଯାଇଛି। ସମୀକ୍ଷା ବେଳେ ଭୁବନେଶ୍ବରର ୫୨ହଜାର ଘର ସ୍ବେରେଜ ସଂଯୋଗ ନେଇନଥିବା ସର୍ଭେରୁ ଜଣାପଡ଼ିଛି ବୋଲି ୱାଟ୍‌କୋ ଅଧିକାରୀମାନେ ସୂଚନା ଦେଇଥିଲେ। ଏହି ଘରକୁ ତୁରନ୍ତ କିଭଳି ସ୍ବେରେଜ ସଂଯୋଗ ଦିଆଯିବ ସେ ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ଡ. ନାଏକ ନିର୍ଦ୍ଦେଶ ଦେଇଥିଲେ। ଅପରପକ୍ଷେ ୯୬ହଜାର ବସ୍ତିବାସିନ୍ଦା ସ୍ବେରେଜ ସଂଯୋଗ ନେଇନାହାନ୍ତି। ଏମାନେ ରାସ୍ତାଘାଟରେ ଆବର୍ଜନା ପାଣି ଛାଡ଼ୁଛନ୍ତି। ଏହି ବର୍ଜ୍ୟଜଳ ଏସ୍‌ଟିପିକୁ ଯାଇପାରୁନି କି ବିଶୋଧନ ହୋଇପାରୁନି। ଏଣୁ ଏହି ବସ୍ତିବାସିନ୍ଦାଙ୍କୁ ସ୍ବେରେଜ ସଂଯୋଗ ଦେବାକୁ ୱାଟ୍‌କୋ ଟେଣ୍ଡର କରିଛି। ୨ ବର୍ଷ ଭିତରେ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ବିଏମ୍‌ସି ସିଟି ଇଂଜିନିୟର ବିଳାସ କୁମାର ବେହେରା କହିଛନ୍ତି। ବୈଠକରେ ବିଏମ୍‌ସି ଅତିରିକ୍ତ କମିସନର୍ ଶୁଭେନ୍ଦୁ କୁମାର ସାହୁଙ୍କ ସମେତ ୱାଟ୍‌କୋ, ସ୍ବାସ୍ଥ୍ୟ ବିଭାଗ, ଇଡ୍‌କୋ ଅଧିକାରୀମାନେ ଉପସ୍ଥିତ ଥିଲେ।