ଭୁବନେଶ୍ବର: ଏସ୍ପ୍ଲାନେଡ୍ ନିକଟରେ ଏକ ଟାଟା ଏସ୍ ସାଇକେଲ୍ ଚାଳକଙ୍କୁ ଧକ୍କା ଦେବାରୁ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ସେ ହେଲେ ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ୍ ଅଞ୍ଚଳର ଦିଲୀପ କୁମାର ବେହେରା (୨୬)। ଏଠାରେ ମଞ୍ଚେଶ୍ବରସ୍ଥିତ ବେହେରା ବସ୍ତିରେ ରହି ସେ ପ୍ରତିଯୋଗିତା ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ।
ପୁଲିସ ସୂଚନା ମୁତାବକ, ଶନିବାର ସକାଳ ପ୍ରାୟ ୭ଟା ସମୟରେ ଦିଲୀପ ସାଇକେଲ୍ରେ ବମିଖାଲ ଆଡ଼କୁ ଯାଉଥିଲେ। ସେ ଏସ୍ପ୍ଲାନେଡ୍ ସମ୍ମୁଖରେ ଯାଉଥିବା ସମୟରେ ପଛପଟୁ ଦ୍ରୁତ ଗତିରେ ଆସୁଥିବା ଏକ ଟାଟା ଏସ୍ ତାଙ୍କ ସାଇକେଲ୍କୁ ଧକ୍କା ଦେଇଥିଲା। ଫଳରେ ଦିଲୀପ ସାଇକେଲ୍ ସହ କିଛି ବାଟ ଘୋଷାଡ଼ି ହୋଇ ଡିଭାଇଡର୍ରେ ପିଟି ହୋଇଯାଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦିଲୀପଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲ୍ ନେଇଥିଲା। ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଏ ନେଇ ପୁଲିସ ଏକ ମାମଲା ରୁଜୁକରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। ଅନ୍ୟପଟେ ପୁଲିସ ଦୁର୍ଘଟଣା ଘଟାଇଥିବା ଚାଳକ ସେକ୍ ଅବ୍ଦୁଲ (୨୩)କୁ ଗିରଫ କରିବା ସହ ଗାଡ଼ିକୁ ଜବତ କରିଛି। ସେ ମସ୍ଜିଦ୍ କଲୋନିର ବୋଲି ଜଣାପଡ଼ିଛି। ଥାନାକୁ ଆଣି ପଚରାଉଚରା ପରେ ତାକୁ କୋର୍ଟ ଚାଲାଣ କରାଯାଇଛି।