ରାସ୍ତା ମଝିରେ ଜଳିଗଲା ଟାଟା ଏସ୍‌ : ଅଳ୍ପକେ ବର୍ତିଲେ ୬ଯୁବକ, ୭ ମୋପେଡ୍‌ କ୍ଷତିଗ୍ରସ୍ତ

ଚନ୍ଦ୍ରଶେଖରପୁର : ଆଜି ମଧ୍ୟାହ୍ନ ସାଢ଼େ ଗୋଟାଏ ବେଳେ ଇନ୍‌ଫୋସିଟି ଥାନା ଅଧୀନ କିଟ୍ ଇଣ୍ଟରନ୍ୟାସନାଲ୍ ବିଦ୍ୟାଳୟ ନିକଟରେ ଏକ ଟାଟା ଏସ୍‌ ହଠାତ୍ ହୁତୁ ହୁତୁ ହୋଇ ଜଳିଗଲା। ଗାଡ଼ି ଚାଳକ ଓ ହେଲପର୍ ପ୍ରାଣ ବିକଳରେ ଗାଡ଼ି ଛାଡ଼ି ବାହାରକୁ ପଳାଇ ଆସିଲେ। ଆଖି ପିଛୁଳାକେ ଗାଡ଼ି ଇଞ୍ଜିନରୁ ନିଆଁ ବହାରି ବ୍ୟାପି ଯାଇଥିଲା। ମାତ୍ର ୧୫ ମିନିଟ୍ ମଧ୍ୟରେ ଗାଡ଼ିଟି ରାସ୍ତା ଉପରେ ସମ୍ପୂର୍ଣ୍ଣ ଜଳି ଯାଇଥିଲା। ସୂଚନା ପାଇ ପ୍ରଥମେ କିଟ୍ ବିଶ୍ବବିଦ୍ୟାଳୟର ଦମକଳ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭା କାର୍ଯ୍ୟ ଆରମ୍ଭ କରିଥିବା ବେଳେ ଚନ୍ଦ୍ରଶେଖରପୁର ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ସହଯୋଗ କରିଥିଲା। ଏହି ସମୟରେ ଉକ୍ତ ସ୍ଥାନରେ ଟ୍ରାଫିକ୍ ସମସ୍ୟା ଦେଖାଦେବାରୁ ଇନ୍‌ଫୋସିଟି ଥାନା ପୁଲିସ ଭିଡ଼ ନିୟନ୍ତ୍ରଣ କରିବା ସହ ଆହତଙ୍କୁ ନିକଟସ୍ଥ ହସ୍ପିଟାଲ୍‌ରେ ଭର୍ତି କରାଇଥିଲା। ଗାଡ଼ିଟି ଜଳି ଯାଉଥିବା ବେଳେ ରାସ୍ତା କଡ଼ରେ ରଖାଯାଇଥିବା ୭ଟି ମୋପେଡ୍‌ ନିଆଁ ଧାସ‌ରେ କ୍ଷତିଗ୍ରସ୍ତ ହୋଇଥିଲା।

ସୂଚନା ଅନୁଯାୟୀ, ଗାଡ଼ିଚାଳକ ଜଣକ ନିକଟରେ ଥିବା ଏକ ଫିନାଇଲ୍ କମ୍ପାନି ପାଇଁ କେମିକାଲ୍ ଓ ଏସିଡ୍‌ ଡ୍ରମ୍ ବୋଝେଇ କରି ନେଉଥିଲେ। ଯାହା ଲିକ୍ କରି ଗାଡ଼ି ଇଞ୍ଜିନରେ ମିଶି ନିଆଁ ଲାଗିଥିଲା। ହଠାତ କେମିକାଲ୍ ଡ୍ରମ୍ ଫାଟି ଗାଡ଼ି ଜଳି ଯାଇଥିଲା। କେମିକାଲ୍ ଡ୍ରମ୍ ଫାଟିବା ବେଳେ‌ ସେହି ରାସ୍ତାଦେଇ କିଛି ବାଇକ୍ ଚାଳକଙ୍କ ଉପରେ ତେଲ ଛିଟା ପଡ଼ିଥିଲା। ତୁରନ୍ତ ସେହି ସ୍ଥାନରୁ ପଳାଇ ଆସିଥିବାରୁ ୬ଜଣ ଯୁବକ ଅଳ୍ପକେ ବର୍ତି ଯାଇଥିଲେ। ନିଆଁର ଧାସ ୫୦ ଫୁଟ୍ ଉପରକୁ ଉଠୁଥିବାରୁ ସେଠାରେ ବିଦ୍ୟୁତ୍ ଖୁଣ୍ଟରେ ଥିବା କେବୁଲ୍ ମଧ୍ୟ ଜଳି ଯାଇଥିଲା।

ସମ୍ବନ୍ଧିତ ଖବର