ଦୋକାନ ଉପରେ ମାଡ଼ିଗଲା ଟାଟା ଏସ୍‌, ପରିବା ଦୋକାନୀ ଅ‌ାହତ

ଖଣ୍ଡଗିରି: ମଙ୍ଗଳବାର ପୂର୍ବାହ୍ନ ପ୍ରାୟ ୧୦ଟା ବେଳେ ୧୬ ନମ୍ବର ଜାତୀୟ ରାଜପଥ ରେତଙ୍ଗ ଛକରେ ଏକ ଟାଟା ଏସ୍‌ ରାସ୍ତା କଡ଼ରେ ଥିବା ଦୁଇଟି ଦୋକାନ ଉପରକୁ ମାଡ଼ି ଯାଇଥିଲା। ଫଳରେ ପରିବା ଦୋକାନୀ ଟିଟୁ ବସ୍ତିଆ ଓ ଫଳ ଦୋକାନୀ ଦିଲୁ ମହାପାତ୍ର ଗୁରୁତର ଆହତ ହୋଇଛନ୍ତି। ଏହି ଦୁର୍ଘଟଣାରେ ଦୁଇ ଦୋକାନୀଙ୍କର ହଜାର ହଜାର ଟଙ୍କା ମୂଲ୍ୟର ପରିବ‌ା ଓ ଫଳ ନଷ୍ଟ ହୋଇଛି। ଯାଁଳା ଫାଣ୍ଡି ପୁଲିସ ଦୁର୍ଘଟଣା ଘଟାଇଥିବା ଗାଡ଼ିକୁ ଜବତ କରି ଅଧିକ ତଦନ୍ତ ଜାରି ରଖିଛି।

ସୂଚନାନୁସାରେ, ଖୋର୍ଧା କଳାପଥରର ଟିଟୁ ଓ ବାଙ୍କୀର ଦିଲୁ ରେତଙ୍ଗ ଛକ‌ ଜାତୀୟ ରାଜପଥ କଡ଼ରେ ଦୁଇଟି ଅସ୍ଥାୟୀ ଦୋକାନ କରିଛନ୍ତି। ଆଜି ସେମାନେ ଦୋକାନ ଖୋଲି ବସିଥିବା ବେଳେ ଭୁବନେଶ୍ବରରୁ ଖୋର୍ଧା ଦିଗରେ ଯାଉଥିବା ଏକ ଟାଟା ଏସ୍‌(ଓଡି୦୫ଏଏମ୍‌-୨୩୯୧) ହଠାତ୍ କୌଣସି କାରଣରୁ ଦୋକାନ ଆଡ଼କୁ ମାଡ଼ି ଯାଇଥିଲା। ସୌଭାଗ୍ୟକୁ ଦୁଇ ଜଣଯାକ ଗୁରୁତର ଆହତ ହୋଇଥିଲେ ବି ବଡ଼ ଅଘଟଣରୁ ବର୍ତ୍ତି ଯାଇଥିଲେ। ଗାଡ଼ି ଚାଳକ ଘଟଣାସ୍ଥଳରୁ ଚମ୍ପଟ୍‌ ମାରିଥିଲା। ଉଲ୍ଲେଖଯୋଗ୍ୟ ଯେ ସମ୍ପ୍ରତି ଖଣ୍ଡଗିରିରୁ ଯାଁଳା ପର୍ଯ୍ୟନ୍ତ ୧୬ ନମ୍ବର ଜାତୀୟ ରାଜପଥ କଡ଼ରେ ବହୁ ଉଠା ଦୋକାନୀ ପେଟପାଟଣା ପାଇଁ ବସୁଛନ୍ତି। କିନ୍ତୁ ଏହା ବହୁ ସମୟରେ ସଡ଼କ ଦୁର୍ଘଟଣାର କାରଣ ହେଉଛି। ପାତ୍ରପଡ଼ା ମାର୍କେଟ୍‌ କମ୍ପ୍ଲେକ୍ସ, ତମାଣ୍ଡୋ କାର୍‌ ସୋ’ ରୁମ୍‌ ସମ୍ମୁଖ ଭଳି ପ୍ରାୟ ସବୁଠାରେ ବିପଦସଂକୁଳ ଅବସ୍ଥାରେ ଜାତୀୟ ରାଜପଥର ଫୁଟପାଥ୍‌ ଅବରୋଧ ହେଉଛି।

ସମ୍ବନ୍ଧିତ ଖବର