ଭୁବନେଶ୍ବର: ପୁରୁଣା ବିଲ୍ ପାସ୍‌ କରାଇବା ପାଇଁ ଜଣେ ଠିକାଦାରଙ୍କଠାରୁ ଲାଞ୍ଚ ନେଉଥିବା ବେଳେ ଟାଟା ପାୱାର୍‌ର ଇଂଜିନିୟର୍‌ ଭିଜିଲାନ୍‌ସ ପଞ୍ଝାରେ ପଡ଼ିଛନ୍ତି। ଲାଞ୍ଚୁଆ ଇଂଜିନିୟର୍‌ ହେଲେ ତୁଷାରକାନ୍ତ ରାୟ। ଲାଞ୍ଚ ବାବଦରେ ୨୦ ହଜାର ଟଙ୍କା ନେଉଥିବା ବେଳେ ଭିଜିଲାନ୍‌ସ ସ୍କ୍ବାଡ୍‌ ରେଡ୍‌ ହ୍ୟାଣ୍ଡେଡ୍‌ ତାଙ୍କୁ ଧରିଛି। ଆଜି ତାଙ୍କୁ କୋର୍ଟ ଚାଲାଣ କରାଯାଇଥିଲା ଏବଂ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। କେବଳ ସେତିକି ନୁହେଁ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥବା ଅଭିଯୋଗରେ ଇଞ୍ଜିନିୟର୍‌ ଶ୍ରୀ ରାୟଙ୍କ କାନନବିହାର ଫେଜ୍‌-୧ସ୍ଥିତ ପୈତୃକ ଘର, ଶୈଳଶ୍ରୀବିହାରସ୍ଥିତ ଆବାସିକ ଘର, ଭୁବନେଶ୍ବର ଅଫିସ ସମେତ ୪ଟି ସ୍ଥାନରେ ଚଢ଼ଉ କରାଯାଇଛି। ଚଢ଼ଉ ବେଳେ ତାଙ୍କଠାରୁ ନଗଦ ସାଢ଼େ ୯ଲକ୍ଷ ଟଙ୍କା ଓ ବିପୁଳ ସୁନାଗହଣା ଜବତ କରାଯାଇଛି। ଏହାଛଡ଼ା ବିଭିନ୍ନ ବ୍ୟାଙ୍କ୍‌ ଓ ପୋଷ୍ଟ ଅଫିସ ଆଦିରେ ୧.୮୫ କୋଟି ଟଙ୍କା ଜମା ଥିବା ଜଣାପଡ଼ିଛି। ଏସବୁ ସମ୍ପତ୍ତିର ଉତ୍ସ ବାବଦରେ ଭିଜିଲାନ୍‌ସ ଟିମ୍‌ ଖୋଳତାଡ଼ କରୁଛି। 

Advertisment

୨ ମାସ ହେବ ଜଣେ ଠିକାଦାରଜଣକ ଇଂଜିନିୟର୍‌ ଶ୍ରୀ ରାୟଙ୍କ ପାଖକୁ ପୁରୁଣା ବିଲ୍‌ ପାସ୍‌ କରାଇବା ପାଇଁ ଧାଉଁଥିଲେ। ହେଲେ ଶ୍ରୀ ରାୟ ଉଦ୍ଦେଶ୍ୟମୂଳକ ଭାବେ ବିଲ୍‌ ପାସ୍‌ ନ କରାଇ ଦିନ ଗଡ଼ାଇ ଚାଲିଥିଲେ। କିଛିଦିନ ପରେ ସେ ଠିକାଦାରଙ୍କୁ ବିଲ୍‌ ପାସ୍‌ କରାଇବା ପାଇଁ ୨୦ ହଜାର ଟଙ୍କା ଦାବି କରିଥିଲେ। ବହୁ ଦିନ ଧାଇଁଧାଇଁ ହତାଶ ଓ ବିରକ୍ତ ହୋଇପଡ଼ିଥବା ଠିକାଦାର ଇଂଜିନିୟର୍‌ ଶ୍ରୀ ରାୟଙ୍କୁ ପାନେ ଦେବାକୁ ବାଟ ପାଇଯାଇଥିଲେ। ସେ ୨୦ ହଜାର ଟଙ୍କା ଦେବାକୁ ରାଜି ହୋଇଥିଲେ ଏବଂ ଭିଜିଲାନ୍‌ସ ଅଧିକାରୀଙ୍କୁ ଜଣାଇଥିଲେ। ଭିଜିଲାନ୍‌ସ ଅଧିକାରୀଙ୍କ ଯୋଜନା ମୁତାବକ ୨୪ ତାରିଖ ରାତିରେ ଶ୍ରୀ ରାୟ ଠିକାଦାରଜଣଙ୍କୁ ନିଜ ଘର ନିକଟ ଏକ ପାର୍କକୁ ଡାକିଥିଲେ। ସେଠାରେ ଟଙ୍କା ନେବା ବେଳେ ପୂର୍ବରୁ ଛକି ରହିଥିବା ଭିଜିଲାନ୍‌ସ ଟିମ୍‌ ତାଙ୍କୁ ମାଡ଼ିବସିଥିଲା।