ଟାଟା ପାୱାରର ମନମାନି: ସଂକଟରେ ୬୦ ଟ୍ରାନ୍ସଫର୍ମର୍‌ ନିର୍ମାଣ ୟୁନିଟ୍‌

କଠୋର ନୀତି ପାଇଁ ଟେଣ୍ଡରରେ ଭାଗ ନେଇ ପାରୁନାହାନ୍ତି, ରାଜ୍ୟ ସରକାରଙ୍କ ହସ୍ତକ୍ଷେପ ଲୋଡ଼ିଲା ୨ ସଂଘ

ଚନ୍ଦ୍ରଶେଖରପୁର: ରାଜ୍ୟ‌ରେ ଟାଟା ପାୱାର୍‌ ବିଦ୍ୟୁତ୍‌ ବଣ୍ଟନ ବ୍ୟବସ୍ଥା ହାତକୁ ନେବା ପରେ ୬୦ରୁ ଅଧିକ ଟ୍ରାନ୍ସଫର୍ମର୍ ନିର୍ମାଣ ୟୁନିଟ୍‌ ଓ ସେଥିରେ କାମ କରୁଥିବା ୫ ହଜାରରୁ ଊର୍ଧ୍ବ ଲୋକଙ୍କ ଜୀବନଜୀବିକା ପ୍ରତି ବିପଦ ସୃଷ୍ଟି ହୋଇଛି। ଏହି ସବୁ ସଂସ୍ଥାଗୁଡ଼ିକ ରାଜ୍ୟ ସରକାରଙ୍କ ଏମ୍‌ଏସ୍‌ଏମ୍‌ଇ ନୀତି ଅଧୀନରେ ସ୍ଥାପନ କରାଯାଇଛି। କିନ୍ତୁ ଟାଟା ପାୱାର୍‌ର ଏକପାଖିଆ ଓ ମନମାନି ନୀତି ଯୋଗୁଁ ଏହି ଟ୍ରାନ୍ସଫର୍ମର୍ ନିର୍ମାଣ ୟୁନିଟ୍‌ ଓ ତତ୍ ସଂକ୍ରାନ୍ତୀୟ ସଂସ୍ଥାଗୁଡ଼ିକ ଆଉ ବରାଦ ପାଉନାହାନ୍ତି। ଟାଟା ପାୱାର ଜାଣିଶୁଣି ଏଭଳି ନୀତି ପ୍ରସ୍ତୁତ କରିଛି, ଯାଦ୍ୱାରା ଏହି ସଂସ୍ଥାଗୁଡ଼ିକ ଟେଣ୍ଡର୍‌ରେ ଭାଗ ନେଇପାରିବେ ନାହିଁ। ଏହି ସଂସ୍ଥାଗୁଡ଼ିକ ପାଖରେ ବିଆଇଏସ୍‌, ବିଇଇ ଓ ଆଇଏସ୍‌ଓ ଭଳି ମାନ୍ୟତା ଥିଲେ ମଧ୍ୟ ସେମାନଙ୍କୁ ଭେଣ୍ଡର ଭାବେ ବିଚାର କରାଯାଉନାହିଁ। ଆଜି ଓଡ଼ିଶା ଟ୍ରାନ୍ସଫର୍ମର୍ସ ନିର୍ମାତା ସଂଘ(ଓଟିଏମ୍‌ଏ) ଓ ଓଡ଼ିଶା କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ସଂଘ (ଓସ୍‌ମି) ପକ୍ଷରୁ ମିଳିତ ସାମ୍ବାଦିକ ସମ୍ମିଳନୀରେ ଏପରି ଅଭିଯୋଗ କରାଯାଇଛି।

ସଂଘ ପକ୍ଷରୁ କୁହାଯାଇଛି, ଓଡ଼ିଶାରେ ଥିବା ୬୦ରୁ ଅଧିକ ଟ୍ରାନ୍ସଫର୍ମର୍‌ ୟୁନିଟ୍ ୧୦୦ କୋଟି ଟଙ୍କାରୁ ଅଧିକ ନିବେଶ କରିଛନ୍ତି। ଏହି ସଂସ୍ଥାରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବ‌ରେ ସାଢ଼େ ୪ ହଜାର ଲୋକ ନିଯୁକ୍ତି ପାଇଛନ୍ତି। ସେମାନେ ବ୍ୟାଙ୍କଗୁଡ଼ିକରୁ ୪୦ କୋଟି ଟଙ୍କାର ଋଣ ଆଣିଛନ୍ତି। ଟ୍ରାନ୍ସଫର୍ମର୍‌ ନିର୍ମାତାମାନେ ୨୦୧୯-୨୦ରେ ୧୯ କୋଟି ଓ ୨୦୨୦-୨୧ରେ ୧୧ କୋଟି ଟଙ୍କା ଜିଏସ୍‌ଟି ମଧ୍ୟ ପ୍ରଦାନ କରିଛନ୍ତି। କିନ୍ତୁ ଟାଟା ପାୱାର ପକ୍ଷରୁ ନିକଟରେ ଜାରି ହୋଇଥିବା ଟେଣ୍ଡର୍‌ରେ ସେମାନଙ୍କ ଆବେଦନ ଯୋଗ୍ୟତା ମାନଦଣ୍ଡ ପୂରଣ କରିପାରିନଥିଲା। ଟାଟା ପାୱାର୍‌ ଜାଣିଶୁଣି ଏଭଳି କିଛି କଠୋର୍‌ ମାନଦଣ୍ଡ ଧାର୍ଯ୍ୟ କରିଛି ଯେପରି ସ୍ଥାନୀୟ ଟ୍ରାନ୍ସଫର୍ମର୍‌ ୟୁନିଟ୍‌ଗୁଡ଼ିକ ଟେଣ୍ଡର୍‌ ଆବେଦନ ପ୍ରକ୍ରିୟାରେ ଭାଗ ନେଇପାରିବେ ନାହିଁ ବୋଲି ସଂଘ ଅଭିଯୋଗ କରିଛି।

ଓଟିଏମ୍‌ଏର ସଭାପତି ଶାରଦା ପ୍ରସନ୍ନ ଦାସ କହିଛନ୍ତି ଯେ ଆଶ୍ଚର୍ଯ୍ୟର ବିଷୟ ଯେ ଡିସ୍‌କମ୍‌ରେ ସରକାରଙ୍କ ଅଂଶଧନ ଥିବା ସତ୍ତ୍ବେ ଟାଟା ପାୱାର ରାଜ୍ୟର ପ୍ରକ୍ୟୁରମେଣ୍ଟ ନୀତିକୁ ପାଳନ କରୁନାହିଁ। ଏଥିରୁ ସ୍ପଷ୍ଟ ଯେ ଟାଟା ପାୱାର ରାଜ୍ୟ ବାହାରୁ ଟ୍ରାନ୍ସଫର୍ମର୍‌ କିଣିବାକୁ ମସୁଧା ଚଳାଇଛି। ଏହାଦ୍ୱାରା ରାଜ୍ୟ ବିପୁଳ ରାଜସ୍ୱ ହରାଇବ ଏବଂ ସ୍ଥାନୀୟ ୟୁନିଟ୍‌ଗୁଡ଼ିକ ରୁଗ୍‌ଣ ହୋଇଯିବ। ସେହିପରି ଓସ୍‌ମିର ସାଧାରଣ ସମ୍ପାଦକ ସାତ୍ୱିକ ସ୍ୱାଇଁ କହିଛନ୍ତି, ଟାଟା ପାୱାର ଓଡ଼ିଶାକୁ ଆସିବା ପରେ ସ୍ଥାନୀୟ ଟ୍ରାନ୍ସଫର୍ମର୍‌ ଓ ତତ୍ ସମ୍ପର୍କିତ ୟୁନିଟ୍‌ଗୁଡ଼ିକୁ ଅଣଦେଖା କରାଯାଉଛି। ରାଜ୍ୟର ପ୍ରକ୍ୟୁରମେଂଟ୍ ନୀତି ମାନିବା ଓ ତୁରନ୍ତ ଭେଣ୍ଡର୍‌ ଡେଭେଲପମେଣ୍ଟ କାର୍ଯ୍ୟକ୍ରମ ଆରମ୍ଭ କରି ସ୍ଥାନୀୟ ୟୁନିଟ୍‌ଗୁଡ଼ିକୁ ଭେଣ୍ଡର୍‌ ଭାବେ ଗ୍ରହଣ କରିବା ଲାଗି ଟାଟା ପାୱାରକୁ ନିର୍ଦ୍ଦେଶ ଦେବାକୁ ସେ ଅନୁରୋଧ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଓଟିଏମ୍‌ଏର ଉପସଭାପତି ହୃଷୀକେଶ ଦାସ, ସମ୍ପାଦକ ପ୍ରଦୀପ୍ତ କୁମାର ନାୟକ, ଯୁଗ୍ମ ସମ୍ପାଦକ ବିଜୟ କୁମାର ନନ୍ଦ, କୋଷାଧ୍ୟକ୍ଷ କୃଷ୍ଣମୋହନ ମିଶ୍ର ଓ ବରିଷ୍ଠ ଉପଦେଷ୍ଟା ଦେବାଶିଷ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର