ଭୁବନେଶ୍ବର: ଭାରତୀୟ ଅର୍ଥନୀତି ଏବେ ଜଟିଳ ସମୟ ଦେଇ ଗତି କରୁଛି। ମାତ୍ର କେନ୍ଦ୍ର ସରକାର କିଭଳି ଏଥିରୁ ମୁକୁଳିବେ, ତାହାର ବାଟ ଜାଣି ପାରୁନାହାନ୍ତି। କହିବାକୁ ଗଲେ, ସରକାର ଅର୍ଥନୀତିରୁ ଆଗ୍ରହ ହରାଇ ବସିଛନ୍ତି। ଏଭଳି ପରିସ୍ଥିତିରେ ମଧ୍ୟପ୍ରାଚ୍ୟରେ ଯଦି ଅସ୍ଥିରତା ଲାଗି ରହେ, ତେବେ ଭାରତ ପାଇଁ ଏହା ଆହୁରି ସମସ୍ୟା ଆଣିଦେବ। ଫଳରେ ଦେଶ ଭିତରେ ଅଧିକରୁ ଅଧିକ ଅସ୍ଥିରତା ସୃଷ୍ଟି ହେବ ବୋଲି କହିଛନ୍ତି ବ୍ରିଟିସ୍ ଅର୍ଥନୀତିଜ୍ଞ ତଥା ରାଜନେତା ଲର୍ଡ ମେଘନାଦ ଦେଶାଇ। ଏକ୍ସଆଇଏମ୍ବି ପରିସରରେ ଟାଟା ଷ୍ଟିଲ ଭୁବନେଶ୍ବର ସାହିତ୍ୟ ମହୋତ୍ସବର ୫ମ ସଂସ୍କରଣର ଏକ ଅଧିବେଶନରେ ଯୋଗଦେଇ ଶ୍ରୀ ଦେଶାଇ ଆଜି ଏହା କହିଛନ୍ତି। ଅଧିବେଶନର ବିଷୟବସ୍ତୁ ରହିଥିଲା ‘ଟ୍ରମ୍ପ୍, ବ୍ରେକଜିଟ୍ ଏବଂ ଭାରତ’। ବରିଷ୍ଠ ସାମ୍ବାଦିକ ଅଜୟ ବୋଷଙ୍କ ସହ ଆଲୋଚନା ସମୟରେ ଶ୍ରୀ ଦେଶାଇ କହିଥିଲେ, ପ୍ରଥମ ଏନ୍ଡିଏ ସରକାର ସମୟରେ ଲୋକମାନେ ଭାବୁଥିଲେ ମୋଦି ଅର୍ଥନୀତିରେ ଭଲ ପ୍ରଦର୍ଶନ କରୁଛନ୍ତି। ଜିଡିପି ମଧ୍ୟ ଠିକ୍ଠାକ୍ ରହିଥିଲା। ତେବେ ଆଜିର ସମୟରେ ଦେଶରେ ଅର୍ଥନୀତି ଯେଉଁ ସ୍ଥିତିରେ ରହିଛି, ଏଥିରେ ସୁଧାର ଆସିବା ପାଇଁ ଆହୁରି ୧/୨ବର୍ଷ ସମୟ ଲାଗିପାରେ। ଅପରପକ୍ଷରେ ଟ୍ରମ୍ପଙ୍କ ଅର୍ଥନୀତି ଉପରେ ମନ୍ତବ୍ୟ ଦେବାକୁ ଯାଇ ସେ କହିଥିଲେ ଯେ ଟ୍ରମ୍ପ୍ ଅର୍ଥନୀତିରେ ବେଶ୍ ସଫଳ ରହିଛନ୍ତି। ଷ୍ଟକ୍ ମାର୍କେଟ୍ ଭଲ କରୁଥିବା ବେଳେ ମୁଦ୍ରାସ୍ଫୀତି ମଧ୍ୟ ଭଲ ରହିଛି। ଟ୍ରମ୍ପ୍ ଅନ୍ୟକୁ ଧମକ ଦେଇଥାନ୍ତି ସତ, ହେଲେ କାହା ସହ ଝଗଡ଼ା କରି ନ ଥାନ୍ତି।
ଆଜିର ଧ୍ରୁବୀକରଣ ସମାଜରେ ଭାରତ କେଉଁ ଆଡ଼କୁ ଗତି କରୁଛି ଉତ୍ତରରେ ଶ୍ରୀ ଦେଶାଇ କହିଥିଲେ ଯେ ଗତ ୭୦ବର୍ଷ ଧରି ଭାରତ ଏକ ସ୍ଥିର ଗଣତନ୍ତ୍ର ରହିଆସିଛି। ତେବେ ଦେଶ ବିଭାଜନ ବା ପାର୍ଟିସନ୍ କେବେ ବି ରାଷ୍ଟ୍ରୀୟତାଠାରୁ ଦୂରେଇ ରହିନାହିଁ। ଭାରତ ଏକ ଧର୍ମନିରପେକ୍ଷ ରାଷ୍ଟ୍ର ହେବ ନା ହିନ୍ଦୁ ରାଷ୍ଟ୍ର ହେବ, ତାହାକୁ ନେଇ ବିତର୍କ ଜାରି ରହିଛି। ତେବେ ଯେଉଁ ଦଳ ଓ ବ୍ୟକ୍ତିମାନେ ଧର୍ମନିରପେକ୍ଷତାକୁ ନେଇ ରାଜନୀତି କରୁଥିଲେ ସେସବୁ ରାଜନେତା ଏବେ ନିଜର ବିଶ୍ବସନୀୟତା ହରାଇ ବସିଛନ୍ତି। ଗତ ୫/୬ ସପ୍ତାହ ଧରି ଭାରତରେ ଅସ୍ଥିରତା ଲାଗି ରହିଛି। ଏଭଳି ଅସ୍ଥିରତା ୧୯୭୦ ମସିହା ପରେ କେବେ ହେଲେ ଦେଖା ଦେଇ ନ ଥିଲା। ମାତ୍ର ଏ ପର୍ଯ୍ୟନ୍ତ ବିରୋଧୀ ଦଳଗୁଡ଼ିକ ଏକାଠି ହୋଇପାରି ନାହାନ୍ତି। ଏହା ସତ୍ତ୍ବେ କଲେଜ ଓ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍ରେ ବିରୋଧରେ ସ୍ବର ଉଠିବାରେ ଲାଗିଛି। ୧୯୭୪ ମସିହାରେ ଜୟ ପ୍ରକାଶ ନାରାୟଣଙ୍କ ଆନ୍ଦୋଳନରୁ ନୀତୀଶ କୁମାର, ଲାଲୁ ଯାଦବଙ୍କ ଭଳି ଛାତ୍ରନେତା ପରବର୍ତୀ ସମୟରେ ସକ୍ରିୟ ରାଜନୀତିକୁ ଆସିଥିଲେ। ମୋଦିଙ୍କ ଭଳି ଜଣେ ଭଲ ବକ୍ତାଙ୍କ ସମ୍ମୁଖରେ ବିରୋଧୀ ଦଳର କୌଣସି ନେତା ସମକକ୍ଷ ନୁହନ୍ତି। ଏଭଳି ପରିସ୍ଥିତିରେ ବିରୋଧୀ ଦଳମାନେ କହ୍ନେୟା କୁମାର ଭଳି ଯୁବ ନେତାଙ୍କୁ ଆଗକୁ ଆଣିବା ଆବଶ୍ୟକ। ଭାରତର ସଂଘୀୟ ବ୍ୟବସ୍ଥାରେ ନାଗରିକତା ସଂଶୋଧନ ଆଇନ ବା ସିଏଏ ଓ ରାଷ୍ଟ୍ରୀୟ ପଞ୍ଜୀକରଣ ସାର୍ଟିଫିକେଟ୍ ବା ଏନ୍ଆରସିକୁ ଲାଗୁ କରିବା କଷ୍ଟକର କାର୍ଯ୍ୟ। ଆଜିର ସମୟରେ ସାମାଜିକ ଗଣମାଧ୍ୟମ ଓ ସାମାଜିକ ବିଜ୍ଞାନ ଗଣତନ୍ତ୍ର ପାଇଁ ଆହ୍ବାନ ସୃଷ୍ଟି କରିଛି। ୟୁକେର ଯୁବକମାନେ ପୁରୁଣା କାଳିଆ ଢଙ୍ଗରେ ଭୋଟଦାନ କେନ୍ଦ୍ରକୁ ଯାଇ ଭୋଟ୍ ଦେବାକୁ ପସନ୍ଦ କରୁନାହାନ୍ତି। ତେଣୁ ଆଗାମୀ ଦିନରେ ଏଥିପାଇଁ ଅନ୍ୟ ବ୍ୟବସ୍ଥା ଆପଣାଇବାକୁ ପଡ଼ିବ।
ସେ କହିଥିଲେ ଯେ ଲୋକମାନେ କେବଳ ଅର୍ଥନୀତିକୁ ନଜରରେ ରଖି ଭୋଟ୍ ଦେଇ ନ ଥାନ୍ତି। ସଂସ୍କୃତି ମଧ୍ୟ ଭୋଟଦାନରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ୨୦୧୪ ମସିହାରେ ଲୋକମାନେ କଂଗ୍ରେସ ସରକାର ଉପରେ ବିରକ୍ତ ହୋଇଯାଇଥିଲେ। ଯାହାର ଫାଇଦା ମୋଦି ନେବାରେ ସଫଳ ହୋଇଥିଲେ। ଅତି ଚାଲାକ୍ ଢଙ୍ଗରେ ମୋଦି ହିନ୍ଦୁତ୍ବ ରାଜନୀତିଠାରୁ ଦୂରେଇ ଯାଇ ଅର୍ଥନୀତି ଉପରେ ଗୁରୁତ୍ବ ଦେଇଥିଲେ। ତେଣୁ ଆଜିର ସମୟରେ ସାଧାରଣ ଢଙ୍ଗରେ କରାଯାଉଥିବା ରାଜନୀତିକୁ ଲୋକମାନେ ପ୍ରତ୍ୟାଖାନ କରିଛନ୍ତି। ଟ୍ରମ୍ପ୍ଙ୍କ କ୍ଷେତ୍ରରେ ମଧ୍ୟ ସମାନ ଘଟଣା ଘଟିଛି। ନିଜର ସମସ୍ତ ପ୍ରତିଦ୍ବନ୍ଦୀଙ୍କଠାରୁ ଆରମ୍ଭ କରି ସାମ୍ବାଦିକ ଓ ଗଣମଧ୍ୟାମକୁ ଟ୍ରମ୍ପ୍ ଗାଳି ଦେବାରେ ବ୍ୟସ୍ତ। ନିର୍ବାଚନରେ ଟ୍ରମ୍ପ୍ ବିଜୟ ହେବେ ବୋଲି କେହି ଭାବୁ ନ ଥିଲେ। ମାତ୍ର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଟ୍ରମ୍ପ୍ ବିଜୟୀ ହୋଇଥିଲେ। ଏବେ ଟ୍ରମ୍ପ୍ଙ୍କ ବିରୋଧରେ ମହାଭିଯୋଗ ହେବାକୁ ଯାଉଥିବା ବେଳେ ପୁନର୍ବାର ମଧ୍ୟ ଟ୍ରମ୍ପ୍ ବିଜୟ ହେବାର ଅଧିକ ସମ୍ଭାବନା ରହିଛି ବୋଲି ଶ୍ରୀ ଦେଶାଇ କହିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/01/f65h4sf6h7s98fh7sf89h4sf65h4fs65h4f6s5hfshsfhsfhsfhhhhhhhhhhh.jpg)