୧୧ରୁ ଜାଭିୟର ଇନ୍‌ଷ୍ଟିଚ୍ୟୁଟ୍‌ରେ: ତିନିଦିନିଆ ଟାଟା ଷ୍ଟିଲ୍‌ ସାହିତ୍ୟ ସମାରୋହ

ଯୋଗେଦେବେ ରସ୍କିନ୍ ବଣ୍ଡ୍‌, ରବିନ୍ଦର ସିଂହ, ଅଭିନୟ ସ୍ମୃତି ବଖାଣିବେ ୱାହିଦା ରେହମାନ୍‌

ଭୁବନେଶ୍ବର: ଟାଟା ଷ୍ଟିଲ୍‌ ପକ୍ଷରୁ ‘ସମ୍ବାଦ’ ସହଯୋଗରେ ଆୟୋଜିତ ହେବାକୁ ଯାଉଛି ‘ଭୁବନେଶ୍ବର ସାହିତ୍ୟ ସମାବେଶ’ର ୪ର୍ଥ ସଂସ୍କରଣ। ଜାଭିୟର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ମ୍ୟାନେଜ୍‌ମେଣ୍ଟ୍‌, ଭୁବନେଶ୍ବର  (ଏକ୍ସଆଇଏମ୍‌ବି) ପରିସରରେ ଜାନୁଆରି ୧୧ରୁ ୧୩ ତାରିଖ ପର୍ଯ୍ୟନ୍ତ ଏହା ଅନୁଷ୍ଠିତ ହେବ। ଏହି ଅବସରରେ ପ୍ରସିଦ୍ଧ ଲେଖକ, ଚିନ୍ତାନାୟକଙ୍କ ବକ୍ତବ୍ୟ ସହ କଣ୍ଠଶିଳ୍ପୀ, ନୃତ୍ୟଶିଳ୍ପୀ ଏବଂ ଷ୍ଟାଣ୍ଡ୍‌ଅପ୍‌ କମେଡିଆନ୍‌ଙ୍କ ଦ୍ବାରା ମନୋରଂଜନ କାର୍ଯ୍ୟକ୍ରମ ଉପଭୋଗ କରିବାର ସୁଯୋଗ ମିଳିବ। ବିଶିଷ୍ଟ କବି ଜୟନ୍ତ ମହାପାତ୍ର ଏହି ଉତ୍ସବକୁ ଉଦ୍‌ଘାଟନ କରିବେ। ଉଦ୍‌ଘାଟନୀ ଅଧିବେଶନରେ ଟାଟା ଷ୍ଟିଲ୍‌ର ଚାଣକ୍ୟ ଚୌଧୁରୀ ଏବଂ ସାଂସଦ ତଥା ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ ଯୋ‌ଗଦେବେ। ‘ଗାନ୍ଧୀ@୧୫୦’ ଶୀର୍ଷକ ଆଲୋଚନାଚକ୍ରରୁ କାର୍ଯ୍ୟକ୍ରମର ଶୁଭାରମ୍ଭ ହେବ। ମହାତ୍ମା ଗାନ୍ଧୀ ଏବଂ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ମଧ୍ୟରେ ଥିବା ସମ୍ପର୍କକୁ ନେଇ ସୁଗତ ବୋଷ ଓ ଯତୀନ୍ଦ୍ର ନାୟକ ଆଲୋଚନା କରିବେ। ଏହା ପରେ ବଲିଉଡ୍‌ର କିମ୍ବଦନ୍ତୀ ଅଭିନେତ୍ରୀ ୱାହିଦା ରେହମାନ୍‌ ନିଜ ଅଭିନୟ ସ୍ମୃତି ବଖାଣିବେ। ସାହିତ୍ୟରେ ଥିବା ଚରିତ୍ରକୁ ସେ ପରଦାରେ କିଭଳି ଅବିସ୍ମରଣୀୟ କରି ପାରିଥିଲେ, ନିଜର ସ୍ମୃତି ବାଣ୍ଟିବେ। ଏହି ସାହିତ୍ୟ ଉତ୍ସବର ଅନ୍ୟତମ ମୁଖ୍ୟ ଆକର୍ଷଣ ସାଜିବେ ବିଶିଷ୍ଟ ଲେଖକ ପଦ୍ମଭୂଷଣ ରସ୍କିନ୍‌ ବଣ୍ଡ୍‌। କାର୍ଯ୍ୟକ୍ରମରେ ଯୋଗଦେବା ନେଇ ଶ୍ରୀ ବଣ୍ଡ୍‌ କହିଛନ୍ତି, ଏଇ କିଛି ବର୍ଷ ଭିତରେ ଭୁବନେଶ୍ବର ମୋ ପାଇଁ ଦ୍ବିତୀୟ ଘର ପାଲଟିଛି। ଏଠାକୁ ଆସ‌ି‌ବା ମୋ ପାଇଁ  ସବୁବେଳେ ଆନନ୍ଦ ଦାୟକ। ବିଶେଷକରି ଏହିଭଳି ଏକ ସମାବେଶରେ ଯୋଗ ଦେଇ ପାଠକଙ୍କୁ ସାମ୍ନାସାମ୍ନି ଭେଟିବାର ସୁଯୋଗ ମିଳୁଥିବାରୁ ମୁଁ ଏ ଅନୁଭୂତିକୁ ଏ ବୟସରେ ଖୁବ୍‌ ଉପଭୋଗ କରୁଛି ବୋଲି ସେ କହିଛନ୍ତି।

ଏଥିସହ ବେଷ୍ଟ୍‌ ସେଲିଙ୍ଗ୍‌ ତଥା ବହୁଳ ବିକ୍ରି ହୋଇଥିବା ପୁସ୍ତକର ଦୁଇ ଯୁବ ସ୍ରଷ୍ଟା ରବିନ୍ଦର ସିଂହ ଏବଂ ଭିନିତ ବାଜପେୟୀଙ୍କ ସମେତ ଷ୍ଟାଣ୍ଡ୍‌ ଅପ୍‌ ଅଭିନେତା ଅଭିଜିତ ଗାଙ୍ଗୁଲି ଏହି ୩ ଦିନିଆ କାର୍ଯ୍ୟକ୍ରମରେ ସାମିଲ୍‌ ହେବେ। ଏହି ଅବସରରେ ‘ଓଡ଼ିଶାରେ ଗାନ୍ଧୀ’, ‘ବ୍ୟାସକବି ଫକୀର ମୋହନ ସେନାପତିଙ୍କ ଏକ ଶତାବ୍ଦୀର ମୃତ୍ୟୁ ପରେ ଇଚ୍ଛାପତ୍ର’, ‘ଓଡ଼ିଆ ହୁଅ’ ଭଳି ବିଭିନ୍ନ ପ୍ରସଙ୍ଗରେ ଓଡ଼ିଆ ଅଧିବେଶନ ଅନୁଷ୍ଠିତ ହେବ। କାର୍ଯ୍ୟକ୍ରମରେ ଲୋକପ୍ରିୟ କଣ୍ଠଶିଳ୍ପୀ ରେଖା ଭରଦ୍ବାଜ ସଂଗୀତ ପରିବେଷଣ କରିବେ। କବିତାର ଏକ ସ୍ବତନ୍ତ୍ର ଅଧିବେଶନ ଅନୁଷ୍ଠିତ ହେବ। ଏଥିରେ ଊର୍ଦୁ, ଇଂରାଜୀ ଓ ଓଡ଼ିଆ କବିତା ପାଠ କରାଯିବ। ବିଶିଷ୍ଟ କବି ତଥା ସିନେମା ଲେଖକ ହୁସେନ୍‌ ହାଇଦରି, ଅଭିନେତା-ଲେଖକ ଜୟନ୍ତ କ୍ରିପାଳିନୀ, ଓଡ଼ିଆ କବି ସୁଚେତା ମିଶ୍ର ଏବଂ ଆସାମର କବି ନବୀନା ଦାସ ଏହି ଅଧିବେଶନରେ ଅଂଶଗ୍ରହଣ କରିବେ। ଏଥିସହ ଜାଲିଆନାୱାଲାବାଗ୍‌ ଗୁଳିକାଣ୍ଡର ଶତବାର୍ଷିକୀ, ଓଡ଼ିଶାରେ ମହାତ୍ମା ଗାନ୍ଧୀଙ୍କ ଉପସ୍ଥିତି ଭଳି କିଛି କଥାବସ୍ତୁକୁ ନେଇ ମଧ୍ୟ ଅଧିବେଶନ ଅନୁଷ୍ଠିତ ହେବ। ଅନ୍ୟମାନଙ୍କ ମଧ୍ୟରେ ଅତିଶ ତସିର୍‌, ବିକ୍ରମ ଗ୍ରେୱାଲ୍‌, ନିକୋଲାସ ଜେମ୍‌ସ, ପଞ୍ଚମୀ ମାନୁ ଉକିଲ୍‌, ଇଲିଆନା ସିତାରିଷ୍ଟି, ମୋନିକା ନୈୟାର ପଟ୍ଟନାୟକ, ମିତ୍ର ଫୁକାନ୍‌, କିଶ୍ବର ଦେଶାଇ, ଚାର୍ଲସ ଆସିସି, ଏନ୍‌ଏସ୍‌ ରାମନାଥ୍‌, ପ୍ରଜ୍ବଳ ପାରାଜୁଲି, ପ୍ରୀତୀଶ ଆଚାର୍ଯ୍ୟ, ଦାଶ ବେନହୁର, ଅନନ୍ତ ମହାପାତ୍ର ପ୍ରମୁଖ ବକ୍ତବ୍ୟ ରଖିବେ। ଏହି ୩ଦିନିଆ ଉତ୍ସବ ଜ୍ଞାନ ଓ ମନୋରଂଜନର ଉତ୍ସବ ହେବ। ବହିକୁ ଭଲ ପାଉଥିବା ପାଠକମାନେ ଏହି ଉତ୍ସବକୁ ବିଭିନ୍ନ ଦିଗରୁ ଉପଭୋଗ କରିବାର ସୁଯୋଗ ପାଇବେ। କିଛି ବର୍ଷ ଧରି ଏହି କାର୍ଯ୍ୟକ୍ରମର ଆୟୋଜନ ଚିନ୍ତାନାୟକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବହୁ ଲୋକପ୍ରିୟ ହୋଇପାରିଛି। ତେଣୁ ଏହିଭଳି ବୌଦ୍ଧିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ଏହା ଆମକୁ ଉତ୍ସାହିତ କରିଛି ବୋଲି ଟାଟା ଷ୍ଟିଲ୍‌, କ‌ର୍ପୋରେଟ୍‌ ସର୍ଭିସେସ୍‌ର ଉପାଧ୍ୟକ୍ଷ ଚାଣକ୍ୟ ଚୌଧୁରୀ କହିଛନ୍ତି।

ସମ୍ବନ୍ଧିତ ଖବର