ସରକାରୀ ଜମି ଜବରଦଖଲ ବିରୋଧରେ ତାତିଲେ ଗ୍ରାମବାସୀ, ନଡ଼ାଗଦା ଉଠାଇବା ବେଳେ ମୁହାଁମୁହିଁ

ବାଲିପାଟଣା: ସ୍ଥାନୀୟ କୁରୁଞ୍ଜିପୁର ଓରିଷ ଗାଁ ମଝିରେ ଥିବା ସରକାରୀ ଜମି ଜବରଦଖଲକୁ ନେଇ ଲାଗି ରହିଥିବା ଦୀର୍ଘ ଦିନର ବିବାଦ ଆଜି ଉଗ୍ର ରୂପ ଧାରଣ କରିଥିଲା। ତେବେ ଗ୍ରାମବାସୀ ଓ ଜବରଦଖଲକାରୀମାନେ ପରସ୍ପରକୁ ଆକ୍ରମଣ କରିବାକୁ ଉଦ୍ୟତ ହେଉଥିବା ବେଳେ ବାଲିପାଟଣା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯିବାରୁ ଏକ ବଡ଼ଧରଣର ଗଣ୍ଡଗୋଳ ରୋକି ହୋଇଯାଇଥିଲା। ପ୍ଲଟକୁ ନିଜର ବୋଲି ଦାବି କରୁଥିବା ଦୁଇ ପରିବାରକୁ ୭ ଦିନ ସମୟ ଦିଆଯାଇଛି। ସେମାନେ ରେକର୍ଡପତ୍ର ଦାଖଲ ନକଲେ, ଜାଗାକୁ ଜବରଦଖଲ ମୁକ୍ତ କରିବାକୁ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ ଦୁଇ ପକ୍ଷଙ୍କୁ ବୁଝାଇଛି।

ସୂଚନାନୁସାରେ ନରଦା ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ ଅଧୀନ ଓରିଷ ଗାଁ ମଝିରେ ଥିବା ଏକ ୩ ଡିସିମିଲି ପ୍ଲଟକୁ ଗ୍ରାମବାସୀ ସରକାରୀ ବୋଲି ଦାବି କରୁଥିବା ବେଳେ କୃଷ୍ଣଚନ୍ଦ୍ର ସାହୁ ଓ ସୁରେନ୍ଦ୍ର ସାହୁ ସେମାନଙ୍କର ନିଜର ବୋଲି କହୁଛନ୍ତି। ତେଣୁ ୨୦୧୩ ମସିହାରୁ ସେମାନେ ସେଠାରେ ନଡ଼ାଗଦା ଓ ଗୋବର ଗାତ କରି ଦଖଲରେ ରଖି ଆସୁଛନ୍ତି। ପୂର୍ବରୁ ସେହି ପ୍ଲଟ୍‌ରେ ଗ୍ରାମବାସୀମାନେ ଅଷ୍ଟପ୍ରହରୀ, ରାସ, ଗଣେଶ ପୂଜା, ରାମଲୀଳା ଭଳି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ କରୁଥିଲେ।

ଏମିତିକି ସେଠାରେ ଏକ ସରକାରୀ ନଳକୂଅ ମଧ୍ୟ ଥିଲା। ମାତ୍ର ପ୍ଲଟଟି ସାହୁ ପରିବାର ଦଖଲ କରିବା ପରେ ନଳକୂଅ ଅଚଳ ହୋଇଗଲା ଓ ଗାଁର ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ସମସ୍ୟା ହେଲା। ତେଣୁ ବହୁ ବାଦବିବାଦ ପରେ ମାମଲାର ସମାଧାନ ହୋଇନପାରିବାରୁ କଥା କୋର୍ଟ କଚେରିକୁ ଗଲା। ଗତ ରବିବାର ଜବରଦଖଲକାରୀ ସାହୁ ପରିବାର ପକ୍ଷରୁ ଥାନାରେ ଗ୍ରାମବାସୀଙ୍କ ନାମରେ ଅଭିଯୋଗ କରିଥିଲେ। ଆଜି ଉଭୟପକ୍ଷ ଥାନାରେ ଉପସ୍ଥିତ ଥିଲେ ମଧ୍ୟ ଜବରଦଖଲକାରୀମାନେ ରେକର୍ଡପତ୍ର ଦେଖାଇ ପାରିନଥିଲେ ଓ ପୁଣି ସମୟ ନେଇଥିଲେ। ତେଣୁ ଗ୍ରାମବାସୀମାନେ ଗାଁକୁ ଫେରିବା ପରେ ଉକ୍ତ ବିବାଦୀୟ ପ୍ଲଟରୁ ନଡ଼ାଗଦା ଉଠାଇ ଦେଇଥିଲେ। ଫଳରେ ଗଣ୍ଡଗୋଳର ସୂତ୍ରପାତ ହୋଇଥିଲା।

ସମ୍ବନ୍ଧିତ ଖବର