ଭୁବନେଶ୍ବର: ଖରା ଓ ତାତିର ପ୍ରକୋପ ଏତେ ପ୍ରଚଣ୍ଡ ଯେ ରାଜ୍ୟର କି ଦେଶର ନୁ‌ହେଁ,‌ ଆଜି ଏସିଆ ମହାଦେଶର ୬ଷ୍ଠ ତତଲା ସହର ପାଲଟିଥିଲା ଭୁବନେଶ୍ବର। ଦିନର ଡହଡହ ଖରା ସାଙ୍ଗକୁ ରାତିର ଉଷ୍ମତାତିରେ ସନ୍ତୁଳି ହେଉଛନ୍ତି ସହରବାସୀ। ଗୁରୁବାର ସହରର ତାପମାତ୍ରା ୩୭.୪ ଡିଗ୍ରି ଥିଲାବେଳେ ଆଜି ପାରଦ ୪୩.୫ ଡିଗ୍ରିରେ ପହଞ୍ଚିଥିଲା। ୨୪ ଘଣ୍ଟା ମଧ୍ୟରେ ପାରଦ ୬.୧ ଡିଗ୍ରି ବଢ଼ିବା ପରେ ସହ ସବୁ କିଛି ବଦଳି ଯାଇଥିଲା। ପୂର୍ବାହ୍ନ ବେଳକୁ ରାସ୍ତାଘାଟ ଶୂନଶାନ ହୋଇଯାଇଥିଲା। ବସ୍‌ଷ୍ଟାଣ୍ଡ, ରେଳଷ୍ଟେସନରେ ଅପେକ୍ଷାରତ ଯାତ୍ରୀମାନେ ତତଲା ପରିବେଶରେ ଭାଜି ହୋଇଥିଲେ। ସକାଳ ସାଢ଼େ ୮ଟା ବେଳକୁ ସୂର୍ଯ୍ୟଙ୍କ ପ୍ରକୋପ ଆରମ୍ଭ ହୋଇଯାଇଥିଲା। ଘରୁ ବାହାରିଲା ବେଳକୁ ଦେହ, ହାତ, ମୁହଁ ଜଳିଗଲା ପରି ଲାଗୁଥିଲା। ପୂର୍ବାହ୍ନ ସାଢ଼େ ୧୧ଟା ବେଳକୁ ପାରଦ ୩୯.୮ ଡିଗ୍ରି ଛୁଇଁଥିଲା ଯେ ଆଉ ତଳକୁ ଖସି ନ ଥିଲା। ରାସ୍ତାରେ ଯିଏ ଯାଉଥିଲେ ଆକାଶରୁ ନିଆଁହୁଳା ଖସିବା ଭଳି ଲାଗୁଥିଲା। ପବନରେ ନିଆଁଧାସ ବାଜିବା ଭଳି ମୁହଁ ସିଝି ଯାଉଥିଲା। ଦେହ ହାତ ଜଳିଗଲା ଭଳି ଲାଗୁଥିଲା। ଲୋକ ଟାଣଖରାରେ ସିଝୁଥିଲେ, ଗମ୍‌ଗମ୍‌ ଝାଳ ବହୁଥିଲା। ଫଗୁଣ ସରୁସରୁ ଏମିତି ତାତି ରାଜଧାନୀବାସୀଙ୍କୁ ଅସ୍ତବ୍ୟସ୍ତ କରିପକାଇଛି। ଏମିତି ଟାଣ ଖରା ଥିଲା ଯେ ସବୁଦିନ ଯେଉଁ ଗଛ ଛାଇ ଥଣ୍ଡା ଲାଗୁଥିଲା, ଆଜି ସେଠାରେ ବି ଅସହ୍ୟ ଗୁଳୁଗୁଳି ହେଉଥିଲା। ଦୋକାନ ଦୁଆରମୁହଁରେ ବି ଲୋକ ଛିଡ଼ା ହୋଇପାରୁନଥ‌ିଲେ। ପାଣିପାଗ ହଠାତ୍ କାହିଁକି ଏମିତି ବଦଳିଗଲା ଭାବୁଭାବୁ ପାରଦ ୪୩ଡିଗ୍ରି ଟପି ଯାଇଥିଲା। ଅପରାହ୍ନ ୧ଟା ୩୦ରୁ ୨ଟା ୩୦ ମଧ୍ୟରେ ସର୍ବୋଚ୍ଚ ପାରଦ ଛୁଇଁ ଯାଇଥିଲା। ଦିନର ତାପମାତ୍ରାରେ ଏମିତି ପରିବର୍ତ୍ତନ ହେବା ନେଇ ପାଣିପାଗ ବିଭାଗ ମଧ୍ୟ ଆକଳନ କରିପାରି ନ ଥିଲା। ଗୁରୁବାର ବିଭାଗ କହିଥିଲା ଯେ ଆଜି ସହରର ତାପମାତ୍ରା ୩୯ ଡିଗ୍ରି ମଧ୍ୟରେ ରହିବ।

Advertisment

୪୦ ଡିଗ୍ରିରେ ସ୍କୁଲ୍‌ରୁ ଫେରିଲେ ପିଲା

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସକାଳୁଆ ସ୍କୁଲ ହୋଇଛି। ପିଲାଙ୍କ ପାଠପଢ଼ା ସହ ସକାଳ ୭ଟାରୁ ପୂର୍ବାହ୍ନ ୧୧ଟା ୩୦ ରଖାଯାଇଛି। ମାତ୍ର ତିନିଦିନ ହେଲା ବଢ଼ୁଥିବା ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ପିଲାଙ୍କ କ୍ଲାସ୍‌ ସମୟରେ ପରିବର୍ତ୍ତନ କରିବାକୁ ଅଭିଭାବକ ଦାବି କରୁଥିଲେ ମଧ୍ୟ ଗଣଶିକ୍ଷା ବିଭାଗ କିମ୍ବା ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଏଦିଗରେ ପଦକ୍ଷେପ ଗ୍ରହଣ କରି ନ ଥିଲା। ପରିଣାମ ସ୍ବରୂପ ଆଜି ୪୦ ଡିଗ୍ରି ଖରାରେ ସିଝିଛନ୍ତି ଛାତ୍ରଛାତ୍ରୀ। ସ୍କୁଲ ଛୁଟି ବେଳକୁ ସହରର ତାପମାତ୍ରା ୩୯.୮ ଡିଗ୍ରି ରହିଥିଲା ଏବଂ ଅଭିଭାବକମାନେ ତାତିରେ ଆଉଟୁପାଉଟୁ ହୋଇ ପିଲାଙ୍କୁ ସ୍କୁଲକୁ ଆଣିବାକୁ ଯାଇଥିଲେ। ଘରୋଇ ସ୍କୁଲ ଛାତ୍ରଛାତ୍ରୀ ସ୍କୁଲ ବସ୍‌ ନ ହେଲେ ଅଭିଭାବକଙ୍କ ସହ ଗାଡ଼ିରେ ଘରକୁ ଫେରିଥିଲେ। ହେଲେ ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀ ତାତିରେ ଚାଲିଚାଲି ଫେରିବାର ଦୃଶ୍ୟ ହୃଦୟବିଦାରକ ଥିଲା।

publive-image

ଆଜିଠୁ ସାଢ଼େ ୬ରୁ ସ୍କୁଲ୍‌
ପ୍ରଚଣ୍ଡ ‌ରୌଦ୍ରତାପକୁ ଦୃଷ୍ଟିରେ ରଖି ଆସନ୍ତାକାଲିଠାରୁ ସାଢ଼େ ୬ଟାରେ ସ୍କୁଲ ଆରମ୍ଭ କରିବାକୁ ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରଣା ନିର୍ଦ୍ଦେଶ ଦେଇଛନ୍ତି। ଭାରତୀୟ ପାଣିପାଗ ବିଭାଗ, ଭୁବନେଶ୍ବର ପକ୍ଷରୁ ଜାରି ଗ୍ରୀଷ୍ମ ପ୍ରବାହ ଜନିତ ବୁଲେଟିନ ଆଧାରରେ ସେ ଏହି ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲା ସମାଜମଙ୍ଗଳ ଅଧିକାରୀ, ଜିଲ୍ଲା ଲୋକସଂପର୍କ ଅଧିକାରୀ ପ୍ରମୁଖ ଏଦିଗରେ ପଦକ୍ଷେପ ନେବାକୁ ସେ କହିଛନ୍ତି। ସୂଚନା ଅନୁଯାୟୀ, ଆସନ୍ତାକାଲି ଠାରୁ ପ୍ରଥମରୁ ଦ୍ବାଦଶ ଯାଏ ସାଢ଼େ ୬ଟାରୁ ଆରମ୍ଭ ହୋଇ ସାଢ଼େ ୧୦ଟାରେ ସରିବ। ପୂର୍ବରୁ ବିଦ୍ୟାଳୟଗୁଡ଼ିକ ୭ଟାରେ ଆରମ୍ଭ ହୋଇ ସାଢ଼େ ୧୧ଟା ଯାଏ ଚାଲୁଥିଲା। ମାତ୍ର ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଏଭଳି ତ୍ବରିତ ପଦକ୍ଷେପ ନେଇଛନ୍ତି। ସମସ୍ତ ସରକାରୀ, ଘରୋଇ ଓ ଅନୁଦାନପ୍ରାପ୍ତ ସ୍କୁଲ୍‌ ଏ ନିୟମ ଅନ୍ତର୍ଭୁକ୍ତ ହେବେ। ଅଙ୍ଗନବାଡ଼ିକୁ ମଧ୍ୟ ଏଥିରେ ସାମିଲ କରାଯାଇଛି। ଅନ୍ୟପଟେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ମତେ ଶିକ୍ଷାଧିକାରୀମାନେ ପ୍ରତି ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ଚିଠି କରି ନିୟମିତ ବ୍ୟବଧାନରେ ପିଲାମାନେ କିପରି ପାଣିପିଇବେ ସେ ବ୍ୟବସ୍ଥା କରିବାକୁ କହିଛନ୍ତି। ଜଳ ବିତରତି ପାଇଁ ଘଣ୍ଟି ବଜାଇବାର ବ୍ୟବସ୍ଥା କରାଯାଇଛି। ସ୍କୁଲ ସମୟ ମଧ୍ୟରେ ନିୟମିତ ବ୍ୟବଧାନରେ ଅତି କମରେ ତିନିଥର ଜଳ ବିରତି କରାଯିବ। ଏଥିପାଇଁ ଘଣ୍ଟି ବାଜିଲା କ୍ଷଣି ବିଦ୍ୟାଳୟର ଶିକ୍ଷକଶିକ୍ଷୟିତ୍ରୀମାନେ ପିଲାମାନେ ପାଣି ପିଉଛନ୍ତି କି ନାହିଁ ତଦାରଖ କରିବେ। ଏହା ସହିତ ପିଲାମାନେ ଛତା ଓ ଟୋପି ବ୍ୟବହାର କରୁଛନ୍ତି କି ନାହିଁ ସେଥିପ୍ରତି ପ୍ରଧାନ ଶିକ୍ଷକମାନେ ଦୃଷ୍ଟି ଦେବାକୁ ମଧ୍ୟ କୁହାଯାଇଛି।

ସତର୍କ ରହିବାକୁ ପରାମର୍ଶ

ଶନିବାର ସହରର ସର୍ବୋଚ୍ଚ ତାପମାତ୍ରା ୪୨ ଡିଗ୍ରି ରହିବାକୁ ଥିବାରୁ ଆବଶ୍ୟକ ସତର୍କତା ଅବଲମ୍ବନ କରିବାକୁ ପାଣିପାଗ କେନ୍ଦ୍ର ପରାମର୍ଶ ଦେଇଛି। ମଦ୍ୟପାନ, ଚା’, କଫି, ମୃଦୁପାନୀୟ, ଉଚ୍ଚ ପୃଷ୍ଟିସାର ଖାଦ୍ୟ, ବାସିଖାଦ୍ୟ ସେବନ ନ କରିବା, ଛୋଟପିଲା ଓ ପୋଷା ଜୀବଜନ୍ତୁଙ୍କୁ ପାର୍କିଂ ଗାଡ଼ି ଭିତରେ ନ ଛାଡ଼ି ଯିବାକୁ କୁହାଯାଇଛି। ପିକ୍‌ ଆୱାର(ପୂର୍ବାହ୍ନ ୧୧ଟାରୁ ଅପରାହ୍ଣ ୩ଟା)ରେ ନିର୍ବାଚନ ସମ୍ପର୍କିତ ଶୋଭାଯାତ୍ରା, ସଭାରେ ଯୋଗଦେବାଠାରୁ ଦୂରେଇ ରହିବା ଉଚିତ। ଗ୍ରୀଷ୍ମ ପ୍ରବାହ ଛୋଟପିଲା, ବରିଷ୍ଠ ନାଗରିକ, ଗର୍ଭବତୀ ମହିଳା ଓ ଅସୁସ୍ଥ ଲୋକଙ୍କ ପାଇଁ ହାନିକାରକ। ଦୀର୍ଘ ସମୟ ପର୍ଯ୍ୟନ୍ତ ବାହାରେ ନ ରହିବା, ହାଲୁକା ପୋଷାକ ପରିଧାନ କରିବା, ପିକ୍‌ ସମୟରେ ବାହାରକୁ ଯିବା ସମୟରେ ଓଦା କପଡ଼ା, ଟୋପି, ଛତା ମାଧ୍ୟମରେ ମୁଣ୍ଡକୁ ଘୋଡ଼ାଇବା, ପର୍ଯ୍ୟାପ୍ତ ପରିମାଣର ପାଣି ସମେତ ଓଆରଏସ୍‌, ଘରେ ପ୍ରସ୍ତୁତ ଲସି, ତୋରାଣି, ଆଖୁରସ, ଲେମ୍ବୁ ପାଣି ଆଦି ପିଇବାକୁ ପରାମର୍ଶ ଦିଆଯାଇଛି।

publive-image

ଅଂଶୁଘାତରେ ଟଳିପଡ଼ିଲେ ଯୁବକ!

ଟାଙ୍ଗୀ: ଚିଲିକାକୁ ମାଛ ମାରିବାକୁ ଯାଇଥିବା ହାଟବରଡ଼ି ଗ୍ରାମର କଳିଙ୍ଗ ବେହେରା(୩୬)ଙ୍କର ଅଂଶୁଘାତରେ ମୃତ୍ୟୁ ଘଟିଛି ବୋଲି ତାଙ୍କ ସ୍ତ୍ରୀ କୁହୁଡ଼ି ଫାଣ୍ଡିରେ ଅଭିଯୋଗ କରିଛନ୍ତି। ଆଜି ଭୋର୍‌ ଚାରିଟା‌ ବେଳେ ତାଙ୍କ ସ୍ବାମୀ କଳିଙ୍ଗ ଓ ତାଙ୍କ ଭାଇ ମାଛ ମାରିବାକୁ ଡଙ୍ଗା ନେଇ ଚିଲିକାକୁ ଯାଇଥିଲେ। ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ସେ ହଠାତ୍ ଅସୁସ୍ଥ ଅନୁଭବ କରିବା ସହିତ ଡଙ୍ଗାରେ ପଡ଼ିଯାଇଥିଲେ। ତାଙ୍କର ରକ୍ତବାନ୍ତି ହୋଇଥିଲା। ତୁରନ୍ତ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଟାଙ୍ଗୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା ବୋଲି କୁହାଯାଉଥିଲେ ହେଁ ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ତାଙ୍କର ମୃତ୍ୟୁ ଘଟିଥିବା ‌ଟାଙ୍ଗୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଚିକିତ୍ସାଧିକାରୀ ଡାକ୍ତର ସତ୍ୟରଂଜନ ନନ୍ଦ ପ୍ରକାଶ କରିଛନ୍ତି। ଖବର ପାଇ ଟାଙ୍ଗୀ ପୁଲିସ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଖୋର୍ଦ୍ଧା ଜିଲ୍ଲା ଡାକ୍ତରଖାନାକୁ ପଠାଇଛି। ପୁଲିସ ଏଏସଆଇ ଅନିରୁଦ୍ଧ ସାମନ୍ତରାୟ ଘଟଣାର ତଦନ୍ତ କରୁଛନ୍ତି। ସେ କହିଛନ୍ତି ଯେ ମୃତ କଳିଙ୍ଗଙ୍କ ପତ୍ନୀ ସାଧବ ବେହେରା ଏନେଇ ଅଭିଯୋଗ କରିଛନ୍ତି। ତଦନ୍ତ ଚାଲିଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ ଘଟଣା ଜଣାପଡ଼ିବ ବୋଲି ଶ୍ରୀ ସାମନ୍ତରାୟ ପ୍ରକାଶ କରିଛନ୍ତି।