ସମୟ ଥିଲା ଚିତା କୁଟେଇବା ଏକ ଫ୍ୟାସନ୍ ଥିଲା। କିନ୍ତୁ କାଳକ୍ରମେ ଏହା ପୁରୁଣା ହୋଇ ଲୁପ୍ତ ହୋଇଗଲା। ବହୁ ପରେ ଏହା ଫେରିଲା ସିନା, କିନ୍ତୁ ନାଁ ବଦଳିଗଲା। ଫ୍ୟାସନ୍ର ମହାରଥୀମାନେ ଧୀରେ ଧୀରେ ଏହି ଚିତା ଖୋଦେଇ ଉପରେ ଆଧୁନିକତାର ଛୁଙ୍କ ଦେଇ ଏହାକୁ ‘ଟାଟୁ’ର ରୂପ ଦେଲେ। ଆଗରୁ ନାଁରେ ସୀମିତ ରହୁଥିବା ଟାଟୁ ଏବେ ଫୁଲଠୁ ଆରମ୍ଭ କରି ପୋଟ୍ରେଟ୍ର ରୂପନେଲାଣି। ଟାଟୁରେ ଥ୍ରିଡି ବି ଉତୁରିଲାଣି। ଟାଟୁକୁ ନେଇ କ୍ରେଜ୍ ବଢ଼ୁଥିବା ବେଳେ ଏହାକୁ ନେଇ ସସ୍ମିତା ସାହୁଙ୍କ ସ୍ୱତନ୍ତ୍ର ପ୍ରସ୍ତୁତି।
ଟାଟୁ କହୁଛି ଜୀବନର କାହାଣୀ
ବହୁ ବର୍ଷ ହେଲା ଟାଟୁ ବିଦେଶ ଓ ଜାତୀୟସ୍ତରରେ ବେଶ୍ କ୍ରେଜ୍ରେ ଥିବା ବେଳେ ଏଇ ମାତ୍ର ୭ ବର୍ଷ ହେଲା ଓଡ଼ିଶାକୁ ଆସିଛି। ତେବେ ଏହାକୁ ନେଇ ଯୁବପିଢ଼ିଙ୍କ ମଧ୍ୟରେ ବେଶ୍ ଆଦର ଦେଖାଯାଉଥିବା ବେଳେ ସବୁ ବର୍ଗର ଲୋକଙ୍କ ମଧ୍ୟରେ ଏହାର ଆଦୃତି ପରିଲକ୍ଷିତ ହେଲାଣି। ନିଜର କିମ୍ବା ନିଜ ପ୍ରିୟଜନଙ୍କ ଚେହେରା ଶରୀରରେ ଖୋଦେଇ କରିବାକୁ ‘ପୋଟ୍ରେଟ୍ ଟାଟୁ’ କରିବାର ବ୍ୟବସ୍ଥା ଉପଲବ୍ଧ ହେଉଛି। ସେହିପରି କଷ୍ଟମାଇଜ୍ ଟାଟୁ, ଅବ୍ଷ୍ଟ୍ରାକ୍ଟ ଟାଟୁ, ଓ୍ଵାଟର୍ କଲର୍ ଟାଟୁ ଓ କାହାଣୀ ବୟାନ କରୁଥିବା ଟାଟୁ ଖୋଦେଇବାକୁ ଉତ୍ସୁକତା ପ୍ରକାଶ ପାଉଛି। ପୁଣି ଏସବୁ ଟାଟୁ ଆଉ ଟୁଡି ହୋଇ ନାହିଁ ଥ୍ରିଡିରେ ଦେଖାଗଲାଣି। ଏନେଇ ଯୁବ ପିଢ଼ିଙ୍କ ଆଗ୍ରହ ବି ଢେର। ଟାଟୁ ବ୍ୟକ୍ତିର ବ୍ୟକ୍ତିତ୍ୱକୁ ପରିପ୍ରକାଶ କରୁଥିବା ବେଳେ ଏହା ବ୍ୟକ୍ତି ଜୀବନର କାହାଣୀ ମଧ୍ୟ କୁହେ ବୋଲି କହିଛନ୍ତି ସ୍କାଇଭାସ୍ ଟାଟୁ ଷ୍ଟୁଡିଓର ମୁଖ୍ୟ ଓମ୍ ଆଚାର୍ଯ୍ୟ। ଡିଜାଇନ୍କୁ ଆଧାର କରି ମୂଲ୍ୟ ନିର୍ଧାରଣ କରାଯାଉଥିବା ଶ୍ରୀ ଆଚାର୍ଯ୍ୟ କହିଛନ୍ତି।
ଟାଟୁ ଖୋଦେଇ ଅପେକ୍ଷା ଲିଭାଇବା ବ୍ୟୟବହୁଳ
ଥରେ ଟାଟୁ କଲେ ତାକୁ ଶରୀରରୁ ସମ୍ପୂର୍ଣ୍ଣ ଭାବେ ଲିଭାଇବା କଷ୍ଟକର। ଟାଟୁ ଲିଭାଇବାର ଦୁଇଟି ଉପାୟ। ‘ଲେଜର୍ ଟ୍ରିଟ୍ମେଣ୍ଟ୍୍’ ଯାହାକି ବହୁତ କଷ୍ଟଦାୟକ। ପୁଣି ଏହାଦ୍ୱାରା ଟାଟୁ କେବଳ ୯୦% ଲିଭିିଥାଏ। ଅନ୍ୟଟି ହେଉଛି ‘କସ୍ମେଟିକ୍ ସର୍ଜରି’। ଏହା ଦ୍ୱାରା ଟାଟୁ ସମ୍ପୂର୍ଣ୍ଣ ଲିଭିବା ସମ୍ଭବ। କିନ୍ତୁ ଏହା ବ୍ୟୟବହୁଳ। ତେବେ ଅଧିକାଂଶ ପୂର୍ବରୁ କରିଥିବା ଟାଟୁକୁ କଭର୍ ଅପ୍ କରି ଦିଅନ୍ତି। ଟାଟୁ ଉପରେ ଆଉ ଏକ ଟାଟୁ କରି ନିଆରା ଡିଜାଇନ୍ ସୃଷ୍ଟି କରନ୍ତି।
ପେସାଦାର ଷ୍ଟୁଡିଓରେ ଟାଟୁ
ଭୁବନେଶ୍ୱରରେ ଏବେ ପ୍ରାୟ ୩୬୦ ଜଣ ଟାଟୁ ଆର୍ଟିଷ୍ଟ୍ ଅଛନ୍ତି। ତେବେ ପେସାଦାର ଷ୍ଟୁଡିଓରେ ଟାଟୁ ସ୍ପେସାଲିଷ୍ଟ୍ଙ୍କ ପାଖରେ ଟାଟୁ କରିବା ନିହାତି ଆବଶ୍ୟକ। ଏହା ଦ୍ୱାରା କୌଣସି ଚର୍ମ ସମସ୍ୟା କିମ୍ବା ଇନ୍ଫେକ୍ସନ୍ର ଭୟ ନଥାଏ। ତେବେ ଭୁବନେଶ୍ୱରକୁ ଜାତୀୟସ୍ତରର ବହୁ ଟାଟୁ ଆର୍ଟିଷ୍ଟ୍ ଆସି ଟାଟୁ ଖୋଦେଇ ଥାନ୍ତି। ସେମାନଙ୍କ ମଧ୍ୟରୁ ବାଙ୍ଗାଲୁରର ରଘୁ ଆର୍ଟିକ୍ସ ଅନ୍ୟତମ। ଭାରତର ଶ୍ରେଷ୍ଠ ‘ଫ୍ରି ହାଣ୍ଡେଡ୍’ ଅର୍ଥାତ୍ ବିନା ପେନ୍ସିଲ୍ରେ ସିଧାସଳଖ ହାତରେ ଟାଟୁ କରୁଥିବା ଆର୍ଟିଷ୍ଟ୍ମାନଙ୍କ ମଧ୍ୟରେ ସେ ଅନ୍ୟତମ। ପ୍ରତି ଦୁଇ ମାସରେ ଥରେ ସେ ଭୁବନେଶ୍ୱର ଆସନ୍ତି। ସେହିଭଳି ମହିଳା ଟାଟୁ ଆର୍ଟିଷ୍ଟ୍ ଦେବାଞ୍ଜଳି ଦାସ ଓ ଭୁବ୍ନେଶ୍ ସୋନି ମଧ୍ୟ ଟାଟୁ ଖୋଦେଇବାରେ ବେଶ୍ ମାହିର୍।
ତାରକାଙ୍କ ଟାଟୁ
ତାରକାଙ୍କ ମଧ୍ୟରେ ବି ଟାଟୁର କ୍ରେଜ୍ କମ୍ ନାହିଁ। ସେ ବଲିଉଡ୍ ହେଉ କି ଓଲିଉଡ୍। ଓଲିଉଡ୍ ତାରକା ଏଲି ପାଢ଼ୀ ନିଜ ମା’ଙ୍କୁ ସମର୍ପିତ କରି ହାତରେ ‘ମମି’ ଲେଖି ଟାଟୁ କରିଛନ୍ତି। ଅଭିନେତ୍ରୀ ନିହାରିକା ଦାସ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ହାତରେ ଟାଟୁ, ଏବଂ ଫ୍ୟାସନ୍ ଡିଜାଇନର୍ ପ୍ରିତମ୍ ପଣ୍ଡା ଓ ସେଫ୍ ମାଇକେଲ୍ ପ୍ରମୁଖ ନିଜ ପେସାଦାର ଜୀବନ ଓ ନିଶାକୁ ଟାଟୁରେ ଉତାରିଛନ୍ତି।