ଭୁବନେଶ୍ବର: ଟାକ୍ସିଚାଳକ ବିଦ୍ୟାଧର ସାହୁ ଓରଫ ମଣ୍ଟୁଙ୍କୁ ଅପହରଣ ପରେ ହତ୍ୟାକରି ମୃତଦେହକୁ ଚନ୍ଦକା ଥାନା ପିତାପଲ୍ଲୀ ରାସ୍ତାରେ ଫୋପାଡ଼ି ଦେବା ଘଟଣା ନୂଆ ମୋଡ଼ ନେଇଛି। ଅପହରଣ ପରେ ମଣ୍ଟୁ ଯାଜପୁରରେ ଆତ୍ମହତ୍ୟା କରିଥିବାରୁ ଅପହର୍ତ୍ତା ନିଜ ମୁଣ୍ଡରୁ ଦୋଷ ଖସାଇବା ପାଇଁ  ମୃତଦେହକୁ ରାଜଧାନୀକୁ ଆଣି ପୀତାପଲ୍ଲୀ ରାସ୍ତାରେ ଫୋପାଡ଼ି ଦେଇଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ମଣ୍ଟୁଙ୍କୁ ଅପହରଣ ୯ଦିନ ପରେ ଏଭଳି ଚାଞ୍ଚଳ୍ୟକର ତଥ୍ୟ ପଦାକୁ ଆସିଛି। ଅପହର୍ତ୍ତାମାନେ ମଣ୍ଟୁଙ୍କୁ ଆତ୍ମହତ୍ୟା ପାଇଁ ବାଧ୍ୟ କରିଥିବାରୁ ବଡ଼ଗଡ଼ ଥାନା ପୁଲିସ କେସ୍‌ ନଂ-୫୪୨ରେ ବିଏନ୍‌ଏସ୍‌ ଧାରା ୧୪୦(୨)/୩(୫)ରେ ମାମଲା ରୁଜୁକରିଛି। ଏଥିରେ ସମ୍ପୃକ୍ତ ଗଜପତିଜିଲ୍ଲା ପାରଳାଖେମୁଣ୍ଡି ଅଞ୍ଚଳର ଏନ୍‌ ଦିଲୀପ କୁମାର(୩୭), ରମେଶ ଚନ୍ଦ୍ର ବେହେରା(୫୬), ଗୁରାଣ୍ଡି ଅଞ୍ଚଳର ଦୀପକ କୁମାର ସାହୁକାର(୩୦) ଓ ରବୀନ୍ଦ୍ର ବେହେରା(୫୦)କୁ ଗିରଫ କରିଛି। ସେମାନଙ୍କ ନିକଟରୁ ବହୁ କାଗଜପତ୍ର, ଷ୍ଟାମ୍ପ, ଆଶାୟୀଙ୍କ ତଥ୍ୟ, ମଣ୍ଟୁଙ୍କ କାର୍‌, ମୋବାଇଲ୍‌ ଫୋନ୍‌ ଆଦି ଜବତ କରିଛି। ହେଲେ ରୢାକେଟ୍‌ର ମାଷ୍ଟର୍‌ମାଇଣ୍ଡ୍‌ କୁହାଯାଉଥିବା ଜ୍ୟୋତ୍ସ୍ନାରାଣୀ ଖୁଣ୍ଟିଆ ସମେତ ବହୁ ଅଭିଯୁକ୍ତ ଏବେ ବି ଫେରାର୍‌ ଅଛନ୍ତି। ଆଜି ପୁଲିସ ସେବାଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପୁଲିସ କମିସନର ସୁରେଶ ଦେବଦତ୍ତ ସିଂହ ଓ ଡିସିପି ଜଗମୋହନ ମୀନା ଏହି ସୂଚନା ଦେଇଥିବା ବ‌େଳେ ଏବେ ବି ଅନେକ ଦିଗ ରହସ୍ୟମୟ ହୋଇ ରହିଛି। ‌

Advertisment

ଦେଢ଼ କୋଟି ଟଙ୍କା ଦେଇଥିଲେ ୪ ଅଭିଯୁକ୍ତ 

ତଦନ୍ତ ବେଳେ ଜଣାପଡ଼ିଛି ଯେ, ମାଡାମ୍‌ ଜ୍ୟୋତ୍ସ୍ନା, ତାଙ୍କ ସ୍ବାମୀ ଓ ଅନ୍ୟ ଜଣେ ବ୍ୟକ୍ତି ମିଶି ଆଶାୟୀଙ୍କୁ ସରକାରୀ ଓ ବେସରକାରୀ କମ୍ପାନିରେ ଉଚ୍ଚ ଦରମାରେ ଚାକିରି କରାଇଦେବେ ବୋଲି ପ୍ରତିଶ୍ରୁତି ଦେଉଥିଲେ। ଏଥିପାଇଁ ଲକ୍ଷଲକ୍ଷ ଟଙ୍କା ଦାବି କରୁଥିଲେ। ଆଶାୟୀଙ୍କୁ ଜାଲରେ ଫସାଇବା ପରେ ମଣ୍ଟୁ ମାଧ୍ୟମରେ ଟଙ୍କା ଆଣୁଥିଲେ। ମଣ୍ଟୁ ହିଁ ଆଶାୟୀମାନଙ୍କଠାରୁ ଟଙ୍କା ଆଣି ମାଡାମ୍‌ଙ୍କୁ ଦେଉଥିଲେ। ତେବେ ଗିରଫ ହୋଇଥିବା ୪ ଅଭିଯୁକ୍ତଙ୍କଠାରୁ କିଛିଦିନ ତଳେ ମଣ୍ଟୁ ଦେଢ଼କୋଟି ଟଙ୍କା ନେଇଥିଲେ। ରମେଶଙ୍କ ଦୁଇପୁଅଙ୍କ ଚାକିରି ବାବଦକୁ ୭୮ଲକ୍ଷ, ଦିଲୀପ ଓ ଦୀପକ ପାଖାପାଖି ୭୦ଲକ୍ଷ ଟଙ୍କା  ଦେଇଥିଲେ। ମଣ୍ଟୁ ଟଙ୍କା ନେବା ପରେ ଜ୍ୟୋତ୍ସ୍ନାଙ୍କୁ ଦେଇଥିଲେ। ଟଙ୍କା ନେବାର ମାସମାସ ବିତିଯାଇଥିଲେ ମଧ୍ୟ ଚାକିରି ମିଳିନଥିଲା  କି ଟଙ୍କା  ଫେରାଇ ନଥିଲେ। ଯାହାକୁ ନେଇ ଅଭିଯୁକ୍ତମାନେ ଅପହରଣ ପାଇଁ ଯୋଜନା କରିଥିଲେ।

ତପନଙ୍କ କୋଚିଂ ସେଣ୍ଟର୍‌ରେ କରିଥିଲେ ଆତ୍ମହତ୍ୟା

ଯୋଜନା ମୁତାବକ ପୂର୍ବରୁ ମଧ୍ୟ ମଣ୍ଟୁ ଅନ୍ୟ ଆଶାୟୀଙ୍କଠାରୁ ଟଙ୍କା ଆଦାୟ କରିଥିଲେ। ଦିଲୀପ, ଦୀପକ, ରବୀନ୍ଦ୍ର ଓ ରମେଶ ସେମାନଙ୍କ ସମ୍ପର୍କରେ ତଥ୍ୟ ହାତାଇବା ପରେ ଯାଜପୁର ଅଞ୍ଚଳର ତପନ ଓ ମୋହନଙ୍କ ସହ ଯୋଗାଯୋଗ କରିଥିଲେ। ଏହାପରେ ଗତ ୧୫ ତାରିଖ ଦିନ ତପନ ଯାଜପୁରରୁ ତାଙ୍କ କାର୍‌ରେ ଆସିଥିବା ବେଳେ ଅନ୍ୟମାନେ ଟ୍ରେନ୍‌ରେ ଗଜପତିରୁ ଆସିଥିଲେ। ସନ୍ଧ୍ୟା ୬ଟା ସମୟରେ ସମସ୍ତେ ରାଜଧାନୀର କଳ୍ପନାଛକସ୍ଥିତ ଭଞ୍ଜକଳାମଣ୍ଡପ ନିକଟରେ ଏକାଠି ହୋଇ ମଣ୍ଟୁଙ୍କୁ ଫୋନ୍‌କରି ଡାକିଥିଲେ। ସେ ସେଠାରେ ପହଞ୍ଚିବା ପରେ ମଣ୍ଟୁଙ୍କ ଫୋନ୍‌ରୁ ଜ୍ୟୋତ୍ସ୍ନାଙ୍କୁ ଫୋନ୍‌କରି ଦେଖାକରିବା ପାଇଁ କହିଥିଲେ। ହେଲେ ଜ୍ୟୋତ୍ସ୍ନା ରାଗିଯାଇ ଗାଳିଗୁଲଜ କରିଥିଲେ। ଏହାପରେ ମୋବାଇଲ୍‌ ବନ୍ଦ୍‌ କରିଦେଇଥିଲେ। ବହୁ ଚେଷ୍ଟା ପରେ ଯୋଗାଯୋଗ ନହେବାରୁ ରାତାରାତି ମଣ୍ଟୁଙ୍କୁ ଅପହରଣ କରି ଯାଜପୁରସ୍ଥିତ ତପନଙ୍କ କୋଚିଂ ସେଣ୍ଟରକୁ ନେଇ ଯାଇଥିଲେ। ୧୬ ତାରିଖ ଦିନ ତପନ ଓ ମୋହନ ଦିଲୀପଙ୍କ ନମ୍ବରରୁ ମଣ୍ଟୁଙ୍କ ପତ୍ନୀ ମାମିନା ଖଟୁଆଙ୍କ ସହ ଯୋଗାଯୋଗ କରି ଘଟଣା ସମ୍ପର୍କରେ ଜଣାଇବା ସହ ମଣ୍ଟୁଙ୍କୁ କଥା କରାଇଥିଲେ। ସେମାନଙ୍କ ଟଙ୍କା ଓ ଡକ୍ୟୁମେଣ୍ଟ ଫେରାଇବା ପାଇଁ କହିଥିଲେ। ମାମିନା ରାଜି ‌ହେବା ପରେ ସେହିଦିନ ତପନ ଓ  ମୋହନ ବଡ଼ଗଡ଼ କେନାଲ୍‌ରୋଡ୍‌ରେ ଥିବା ମଣ୍ଟୁଙ୍କ ଘରକୁ ଆସି ବ୍ୟାଗ୍‌ ଭର୍ତ୍ତି ଡକ୍ୟୁମେଣ୍ଟ ନେଇଥିଲେ। ଯାଜପୁର ଫେରି ଡକ୍ୟୁମେଣ୍ଟ ଯାଞ୍ଚ ପରେ ସେଥିରେ ସେମାନଙ୍କ ଡକ୍ୟୁମେଣ୍ଟ ନଥିବାରୁ ମାମିନାଙ୍କୁ ଜଣାଇବା ସହ ମଣ୍ଟୁଙ୍କୁ କଥା କରାଇଥିଲେ। ୧୭ ତାରିଖ ଦିନ ପୁଣି କଲ୍‌ କରି ମୁଣ୍ଡଜାମିନ୍‌ ବାବଦ ଟଙ୍କା ମାଗିଥିଲେ। ତପନଙ୍କ  କୋଚଂ‌ ସେଣ୍ଟରରେ ନଜରବନ୍ଦୀ ଥିବା ମଣ୍ଟୁଙ୍କୁ ବି ଚାପରେ ରହିଥିଲେ। ଅନ୍ୟମାନେ ଟ୍ରେନ୍‌ରେ ଗଜପତି ଫେରିଯାଇଥିଲେ। ତେବ‌େ ୫ଦିନ ଧରି ଘରକୁ ‌ନଫେରିବା ସାଙ୍ଗକୁ କୋଟି କୋଟି ଟଙ୍କାର ଚାପ ଭାରାକ୍ରାନ୍ତ କରିଥିଲା। ଉପାୟ ନପାଇ ୧୯ ତାରିଖ ସକାଳ ପ୍ରାୟ ୭ଟା‌ ସମୟରେ ମଣ୍ଟୁ କୋଚିଂ ସେଣ୍ଟର ଫ୍ୟାନ୍‌ରେ ଗାମୁଛାରେ ଝୁଲିପଡ଼ିଥିଲେ। ସକାଳ ପ୍ରାୟ ୯ଟା ସମୟରେ ତପନ, ଦିଲୀପ ଓ ମୋହନ କୋଚିଂ ସେଣ୍ଟରକୁ ପଶିବା ବେଳକୁ ମଣ୍ଟୁ ଫ୍ୟାନ୍‌ରେ ଝୁଲୁଥିବା ଦେଖିଥିଲେ। ତୁରନ୍ତ ତାଙ୍କୁ ଉଦ୍ଧାର କରି ତଳକୁ ଓହ୍ଲାଇଦେଇଥିଲେ। ତପନଙ୍କ ଶ୍ବଶୂର ପହଞ୍ଚିବା ପରେ ମୃତଦେହକୁ ଭୁବନେଶ୍ବରରେ ଫୋପାଡ଼ି ଦେବାକୁ ଯୋଜନା କରିଥିଲେ। 

୧୫ ଘଣ୍ଟା କାର୍‌ରେ ରଖିଥିଲେ ମୃତଦେହ


୧୯ ତାରିଖ ମଧ୍ୟାହ୍ନରେ ମାମିନା ବଡ଼ଗଡ଼ ଥାନାରେ ଅଭିଯୋଗ ପରେ ପୁଲିସ ତନାଘନା ଆରମ୍ଭ କରିଥିଲା। ପୁଲିସ ଘଟଣା ସମ୍ପର୍କରେ ଜାଣିବା ପରେ ଯେଉଁ ନମ୍ବରରୁ କଲ୍‌ ଆସିଥିଲା ସେହି ନମ୍ବରକୁ କଲ୍‌ କରି ଥାନାରେ ହାଜର ହେବାକୁ କହିଥିଲା। ପୁଲିସ ଅପହରଣ ସମ୍ପର୍କରେ ଜାଣିବା କଥା ଅଭିଯୁକ୍ତ ଜାଣିବା ପରେ ପ୍ରମାଣ ନଷ୍ଟ ପାଇଁ ଯୋଜନା କରିଥିଲେ। ସକାଳ ୯ଟା ବେଳେ ମୃତଦେହକୁ ମଣ୍ଟୁଙ୍କ କାର୍‌ରେ ନେଇ ଅଭିଯୁକ୍ତ ରାଜଧାନୀ ଆସିଥିଲେ। ଜଟଣୀ ଅଞ୍ଚଳକୁ ନେଇ ସେଠାରେ ଦିନମାନ ରହିଥିଲେ। ଦିଲୀପ ଥାନାକୁ ଯାଇ ନଜାଣିବା ଭଳି ପୁଲିସ ସାମ୍ନାରେ ଅଭିନୟ କରିଥିଲେ। ସେ କହିଥିଲେ ଯେ ଜଣେ ବ୍ୟକ୍ତି ତାଙ୍କ ମୋବାଇଲ୍‌ ହଜିଯାଇଥିବାରୁ ମୋ ମୋବାଇଲ୍‌ ନେଇ ପୁଲିସକୁ ମୋବାଇଲ୍‌ ହଜିବା ସମ୍ପର୍କରେ କଲ୍‌ କରିବାକୁ କହିଥିଲେ। ହେଲେ ସେ କାହିଁକି କଲ୍‌ କରିଥିଲେ ସେ ଜାଣିନାହାନ୍ତି।  ପୁଲିସ ଦିଲୀପକୁ ଯେତେ ଜେରା କରିଥିଲେ ବି ତା ପାଟିରୁ କିଛି ସତ ବାହାରି ନଥିଲା। ତେଣୁ ପୁଲିସ ତାକୁ ଅଟକ  ରଖିଥିଲା।  ଦିଲୀପ ଫେରିବାରେ ବିଳମ୍ବ ହେବାରୁ ୧୯ ତାରିଖ ରାତି ୧୨ଟା ସମୟରେ ମୃତଦେହକୁ ପୀତାପଲ୍ଲୀ ରାସ୍ତାକୁ ନେଇ ସେଠାରେ ଏକ ଗଛରେ ଟାଙ୍ଗିଦେବାକୁ ପ୍ରୟାସ କରିଥିଲେ। ‌ବିଫଳ ହେବାରୁ ମୃତଦେହକୁ ସେଠାରେ ଫୋପାଡ଼ି କାର୍‌କୁ ଛାଡ଼ି ଚାଲିଯାଇଥିଲେ। ୨୦ ତାରିଖ ସକାଳୁ ଖବରପାଇ ବଡ଼ଗଡ଼ ଥାନା ପୁଲିସ ଓ ଚନ୍ଦକା ଥାନା ପୁଲିସ ସେଠାରେ ପହଞ୍ଚି ମୃତଦେହକୁ ଜବତ କରି ଅପରେସନ୍‌ ଆରମ୍ଭ କରିଥିଲା। କାର୍‌ରୁ ଅନେକ ସାର୍ଟିଫିକେଟ୍‌ ଓ ଡକ୍ୟୁମେଣ୍ଟ ଜବତ କରିଥିଲା। ସେଠାରୁ ପୁଲିସକୁ କିଛି ସୁରାକ ମିଳିଥିଲା। ସିଡିଆର୍‌ ରିପୋର୍ଟ, ସିସିଟିଭି ଫୁଟେଜ୍‌ ଅନ୍ୟ ସମସ୍ତ ତଥ୍ୟ ଆଧାରରେ ପୁଲିସ ଦିଲୀପକୁ ପଚରା ଉଚରା ବେ‌ଳେ ‌ସେ ସତ ମାନିଥିଲା। ପରେ ପୁଲିସ ଟିମ୍‌ ୫ଟି ସ୍ଥାନରେ ଚଢ଼ଉ କରି ୪ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲା।  

କାହିଁକି ଆତ୍ମହତ୍ୟା?

ପ୍ରଥମରୁ ହତ୍ୟା ମାମଲା ରୁଜୁ କରିଥିବା ପୁଲିସ ହଠାତ୍‌ କାହିଁକି ଆତ୍ମହତ୍ୟା ଆଡ଼କୁ ଗଲା? ତାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହେବା ସହ ଘଟଣା ରହସ୍ୟମୟ ହୋଇଛି। ହେଲେ ତଦନ୍ତ ପରେ ପୁଲିସ ପକ୍ଷରୁ ଆତ୍ମହତ୍ୟା ନେଇ ସ୍ପଷ୍ଟ କରାଯାଇଛି। କୁହାଯାଇଛି ଯେ ଅଭିଯୁକ୍ତଙ୍କ ବୟାନ ରେକର୍ଡ ପରେ ସାଇଣ୍ଟିଫିକ୍‌ ଟିମ୍‌, ଏକ୍ସପର୍ଟ ଟିମ୍‌ ଯାଜପୁରସ୍ଥିତ ତପନଙ୍କ କୋଚିଂ ସେଣ୍ଟର୍‌ ଓ ମୃତଦେହ ମିଳିଥିବା ସ୍ଥାନକୁ ଯାଇ ସମସ୍ତ ଦିଗ ଉପରେ ତଦନ୍ତ କରିଥିଲେ। ସେଠାରୁ କେତେକ ନମୁନା ମଧ୍ୟ ସଂଗ୍ରହ କରାଯାଇଥିଲା। ମଣ୍ଟୁଙ୍କ ଶରୀରରେ ହତ୍ୟା ନେଇ ସେଭଳି କୌଣସି ସନ୍ଦେହଜନକ ଚିହ୍ନ ବା କ୍ଷତ ନଥିଲା। କେବଳ ତାଙ୍କ ବେକରେ ଏକ ଭି ସେଫ୍‌ର ଦାଗ ରହିଛି। ଯାହାକି ଆତ୍ମହତ୍ୟା ସମୟରେ ଘଟିଥିବା ସାଇଣ୍ଟିଫିକ୍‌ ତଦନ୍ତରୁ ଜଣାପଡ଼ିଛି। ଏହାଛଡ଼ା ବ୍ୟବଚ୍ଛେଦ ରିପୋର୍ଟ ଆସିନଥିଲେ ବି ପ୍ରାଥମିକ ତଦନ୍ତରୁ ଏହା ଆତ୍ମହତ୍ୟା ବୋଲି ବିଶେଷଜ୍ଞ କହିଛନ୍ତି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ତାହା ଆହୁରି ସ୍ପ‌ଷ୍ଟ ହେବ ବୋଲି କୁହାଯାଇଛି।