ଯକ୍ଷ୍ମା ସଚେତନତା ନେଇ ତିନିଦିନିଆ କର୍ମଶାଳା

ଭୁବନେଶ୍ୱର: ରାଜ୍ୟ ଯକ୍ଷ୍ମା ସେଲ୍‌ ସହଯୋଗରେ ରିଚ୍‌ ଓ ୟୁଏସ୍‌ଏଆଇଡିର ମିଳିତ ଆନୁକୂଲ୍ୟରେ ଯକ୍ଷ୍ମା ରୋଗରୁ ଆରୋଗ୍ୟ ଲାଭ କରିଥିବା ବ୍ୟକ୍ତିମାନଙ୍କୁ ନେଇ ଏକ ‘ତିନିଦିନିଆ ଦକ୍ଷତା ବିକାଶ କର୍ମଶାଳା’ ଆୟୋଜିତ ହୋଇଯାଇଛି। ସ୍ଥାନୀୟ ସ୍ୱସ୍ତି ପ୍ରିମିୟମ୍‌ଠାରେ ଆୟୋଜିତ ଏହି କର୍ମଶାଳାର ଉଦ୍ଦେଶ୍ୟ ଥିଲା, ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଯକ୍ଷ୍ମା ରୋଗରୁ ଆରୋଗ୍ୟ ଲାଭ କରିଥିବା ବ୍ୟକ୍ତିମାନଙ୍କୁ ସହଯୋଗର ହାତ ବଢ଼ାଇବା ତଥା ଯକ୍ଷ୍ମା ନେଇ ସମାଜରେ ସଚେତନତା ସୃଷ୍ଟି କରିବା। କାର୍ଯ୍ୟକ୍ରମରେ ଭୁବନେଶ୍ୱର ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ବିଧାୟକ କ୍ୟାପ୍‌ଟେନ୍‌ ଦିବ୍ୟ ଶଙ୍କର ମିଶ୍ର, ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ସେବା ବିଭାଗର ନିର୍ଦ୍ଦେଶକ ବ୍ରଜ କିଶୋର ବ୍ରହ୍ମା ଓ ରାଜ୍ୟ ଯକ୍ଷ୍ମା ଅଧିକାରୀ ସଂଯୁକ୍ତା ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଚିକିତ୍ସା ବିଜ୍ଞାନର ଦ୍ରୁତ ଅଗ୍ରଗତି ତଥା ଜନମାନସରେ ବ୍ୟାପକ ସଚେତନତା ସତ୍ତ୍ୱେ ଗତ ୨୦୧୬ ବର୍ଷରେ ପ୍ରାୟ ୪୦ ହଜାରରୁ ଊର୍ଧ୍ୱ ଲୋକ ଯକ୍ଷ୍ମାରେ ପୀଡ଼ିତ ହୋଇଥିଲେ। ତେଣୁ ଏହି ସଚେତନତା କାର୍ଯ୍ୟକ୍ରମକୁ ଅଧିକ ବ୍ୟାପକ କରି ଓଡ଼ିଶାକୁ ଯକ୍ଷ୍ମା ମୁକ୍ତ କରିବା ପାଇଁ ସମସ୍ତେ ହାତ ବଢ଼ାଇବା ଉଚିତ ବୋଲି କର୍ମଶାଳାରେ ଅତିଥିମାନେ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ଯକ୍ଷ୍ମା ରୋଗରୁ ମୁକ୍ତି ପାଇଥିବା ଅନୁଭବୀମାନେ ନିଜର ମତ ରଖିଥିଲେ। କାର୍ଯ୍ୟକ୍ରମକୁ ରିଚ୍‌ର ଉପ ପ୍ରକଳ୍ପ ନିର୍ଦ୍ଦେଶକ ଅନୁପମା ଶ୍ରୀନିବାସନ୍‌ ଓ ସୁବ୍ରତ ମହାନ୍ତି ପ୍ରମୁଖ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର