ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲରେ ଆଜିଠାରୁ ସିବିନାଟ୍ ପରୀକ୍ଷା ବ୍ୟବସ୍ଥା ଆରମ୍ଭ ହୋଇଛି। ପରିବର୍ତିତ ଯକ୍ଷ୍ମା ନିୟନ୍ତ୍ରଣ କାର୍ଯ୍ୟକ୍ରମ ବା ଆରଏନ୍ଟିସିପି ଜରିଆରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ଅତ୍ୟାଧୁନିକ ମେସିନ୍କୁ ଯୋଗାଇ ଦିଆଯାଇଛି। ଏହି ମେସିନ୍ ସହାୟତାରେ ଯକ୍ଷ୍ମା ରୋଗର ସହଜ ଓ ସରଳ ହୋଇପାରିବ। ମାତ୍ର ୨ଘଣ୍ଟା ମଧ୍ୟରେ ଏହି ମେସିନ୍ ସହାୟତାରେ ଯକ୍ଷ୍ମା ରିପୋର୍ଟ ମିଳିପାରିବ। କ୍ୟାପିଟାଲ ହସ୍ପିଟାଲର ଭାରପ୍ରାପ୍ତ ନିର୍ଦେଶକ ଡା.ମନୋରଂଜନ ଦାସ ଏହି ମେସିନ୍ର ଉଦ୍ଘାଟନ କରିଛନ୍ତି। ସୂଚନା ଅନୁଯାୟୀ, ପୂର୍ବରୁ ଯକ୍ଷ୍ମା ରୋଗର ଚିହ୍ନଟ ପାଇଁ ସ୍ପୁଟମ୍ ପରୀକ୍ଷା କରିବାକୁ ପଡ଼ୁଥିଲା। ମାତ୍ର ସିବିନାଟ୍ ମେସିନ୍ ଯକ୍ଷ୍ମା ରୋଗକୁ ନିର୍ଦ୍ଦିଷ୍ଟଭାବେ ଚିହ୍ନଟ କରାଯାଇପାରିବ। ଏହି ମେସିନ୍ ସହାୟତାରେ ଶିଶୁ, ଏଚ୍ଆଇଭି ସହିତ ସହ ସଂକ୍ରମିତ ରୋଗୀ, ଫୁସ୍ଫୁସ୍ ବ୍ୟତିତ ଅନ୍ୟ ଅଙ୍ଗରେ ଯକ୍ଷ୍ମା, ପୂର୍ବ ଚିକିତ୍ସିତ ବା କ୍ୟାଟେଗରି-୨ ଯକ୍ଷ୍ମା, ସମସ୍ତ ନିରୂପିତ ଯକ୍ଷ୍ମା ରୋଗୀ ଚିହ୍ନଟ ହୋଇପାରିବ। ଏହାସହିତ ବେସରକାରୀ ଚିକିତ୍ସକଙ୍କ ପରାମର୍ଶରେ ଆସିଥିବା ସମସ୍ତ ସମ୍ଭାବ୍ୟ ଯକ୍ଷ୍ମା ରୋଗୀଙ୍କ ରିପୋର୍ଟ ମାତ୍ର ୨ଘଣ୍ଟା ମଧ୍ୟରେ ମିଳିପାରିବ ବୋଲି ହସ୍ପିଟାଲ ସୂତ୍ରରୁ ପ୍ରକାଶ। ଆଜି ଉଦ୍ଘାଟନ କାର୍ଯ୍ୟକ୍ରମରେ ଅତିରିକ୍ତ ନିର୍ଦେଶକ (ଯକ୍ଷ୍ମା) ଡା. ପ୍ରଶାନ୍ତ ହୋତା, ହସ୍ପିଟାଲର ଅଧୀକ୍ଷକ ଡା. ନିରଞ୍ଜନ ମିଶ୍ର, ଉପ-ଅଧୀକ୍ଷକ ଡା. ଧନଞ୍ଜୟ ଦାସ, ଛାତି ଓ ଯକ୍ଷ୍ମା ବିଭାଗର ମୁଖ୍ୟ ଡା. ଜଗଦୀଶ ମିଶ୍ର, ଜିଲ୍ଲା ଯକ୍ଷ୍ମା ଅଧିକାରୀ ଡା. ସୋନମ୍ ସୁନ୍ଦରାୟ, ଜିଲ୍ଲା ପ୍ରକଳ୍ପ ସଂଯୋଜକ ରୋଶନ କୁମାର ପାଢ଼ୀ ଓ ହସ୍ପିଟାଲ ପରିଚାଳକ ମୋହିତ କୁମାର ପ୍ରମୁଖ ଉପସ୍ଥିତ ଥିଲେ।
କ୍ୟାପିଟାଲ ହସ୍ପିଟାଲରେ ଖୋଲିଲା ଅଂଶୁଘାତ କଣ୍ଟ୍ରୋଲ ରୁମ୍
ଭୁବନେଶ୍ୱର: ରାଜଧାନୀରେ ଅଂଶୁଘାତର ମୁକାବିଲା କରିବା ପାଇଁ କ୍ୟାପିଟାଲ ହସ୍ପିଟାଲରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ହସ୍ପିଟାଲ କାଜୁଆଲ୍ଟିରେ ଅଂଶୁଘାତ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି। ଅଂଶୁଘାତର ଶିକାର ହୋଇଥିବା ବ୍ୟକ୍ତିଙ୍କୁ ତୁରନ୍ତ ସେଠାରେ ଚିକିତ୍ସା କରାଯିବା ସହିତ ଆଇସ୍ ପ୍ୟାକ୍ ଓ ଓଆର୍ଏସ୍ ସଂରକ୍ଷିତ ରଖାଯାଇଛି। ଏହାସହ ବିପର୍ଯ୍ୟୟ ପରିଚାଳନା ଗୃହରେ ଏଥିପାଇଁ ୬ଟି ଶଯ୍ୟା ସଂରକ୍ଷିତ ରହିଛି। ଗୁରୁତର ଅବସ୍ଥାରେ ହସ୍ପିଟାଲକୁ ଆସୁଥିବା ରୋଗୀଙ୍କୁ ସେଠାରେ ଚିକିତ୍ସା କରାଯିବ। ସେଠାରେ ଏକାଧିକ ଏ.ସିର ବ୍ୟବସ୍ଥା ରହିଥିବା ହସ୍ପିଟାଲ କର୍ତୃପକ୍ଷ ସୂଚନା ଦେଇଛନ୍ତି।