ଯକ୍ଷ୍ମା ବିଲୋପ ରାଜ୍ୟସ୍ତରୀୟ କର୍ମଶାଳା, ରୋଗୀ ଚିହ୍ନଟରେ ଶିଥିଳତା

ଭୁବନେଶ୍ବର: ଯକ୍ଷ୍ମା ଏକ ସଂକ୍ରାମକ ରୋଗ। ରୋଗୀ ଦେହରେ ଥିବା ଯକ୍ଷ୍ମା ଜୀବାଣୁ ନଷ୍ଟ ହେବା ପାଇଁ ଦୀର୍ଘ ଦିନ ଲାଗିଥାଏ। ଯକ୍ଷ୍ମା ରୋଗୀଙ୍କୁ ମାଗଣାରେ ଔଷଧ ଯୋଗାଇ ଦିଆଯାଉଥିବା ବେଳେ ସାମାନ୍ୟ ସୁସ୍ଥ ହେଲେ ଅନେକେ ଔଷଧ ଖାଇବା ଛାଡ଼ି ଦେଉଛନ୍ତି। ଫଳରେ ସେମାନଙ୍କ ଦେହରେ ଔଷଧ ପ୍ରତିରୋଧକ ସମସ୍ୟା ଦେଖାଦେଉଛି। ସଚେତନତା ଅଭାବ ଯୋଗୁଁ ଏହି ସମସ୍ୟା ଦେଖାଦେଉଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ବତନ୍ତ୍ର ଭାବେ ଯକ୍ଷ୍ମା ୱାର୍ଡ ରହିଛି। ତେବେ ରାଜ୍ୟରେ ଯେଉଁ ଅନୁପାତରେ ଯକ୍ଷ୍ମା ରୋଗୀ ଚିହ୍ନଟ ପାଇଁ ଆଶା ରଖାଯାଉଛି, ସେହି ଅନୁପାତରେ ରୋଗୀ ଚିହ୍ନଟ ହେଉନାହାନ୍ତି। ଅନେକ ଯକ୍ଷ୍ମା ସଂପର୍କରେ ଏବେ ବି ସଚେତନ ନୁହନ୍ତି। ଯେଉଁ ପରିବାରରେ ଯକ୍ଷ୍ମା ରୋଗୀ ଚିହ୍ନଟ ହେଉଛନ୍ତି, ସେହି ପରିବାରର ଅନ୍ୟମାନେ ମଧ୍ୟ କଫ ପରୀକ୍ଷା କରିବା ଆବଶ୍ୟକ। ଫଳରେ ପ୍ରାରମ୍ଭିକ ପର୍ଯ୍ୟାୟରେ ଯକ୍ଷ୍ମା ଚିହ୍ନଟ ହୋଇପାରିବ ଓ ରୋଗୀମାନେ ଆରୋଗ୍ୟ ଲାଭ କରିପାରିବେ। ଅପରପକ୍ଷେ ଯେଉଁମାନେ ମଧୁମେହ ଓ ଏଚ୍‌ଆଇଭିରେ ଆକ୍ରାନ୍ତ, ସେମାନଙ୍କ କ୍ଷେତ୍ରରେ ଯକ୍ଷ୍ମା ଦେଖାଯିବାର ଅଧିକ ଆଶଙ୍କା ରହିଛି। ଏହାସହ ତମାଖୁ ଓ ଧୂମପାନ କରୁଥିବା ବ୍ୟକ୍ତିମାନେ ମଧ୍ୟ ଯକ୍ଷ୍ମା ଓ କର୍କଟରେ ଆକ୍ରାନ୍ତ ହୋଇପାରନ୍ତି। ଯକ୍ଷ୍ମା ରୋଗୀଙ୍କ ପାଇଁ ସରକାରୀସ୍ତରରେ ଅନେକ ପଦକ୍ଷେପ ନିଆଯାଉଛି। ଏପରିକି ପଞ୍ଜୀକୃତ ରୋଗୀଙ୍କ ଆକାଉଣ୍ଟକୁ ୫ଶହ ଟଙ୍କା ଖାଦ୍ୟ ପାଇଁ ପ୍ରଦାନ କରାଯିବାର ବ୍ୟବସ୍ଥା ମଧ୍ୟ ହୋଇଛି। ତେଣୁ ଜନସଚେତନତା ଜରିଆରେ ଯକ୍ଷ୍ମାକୁ ନିୟନ୍ତ୍ରଣ କରାଯାଇ ପାରିବ ବୋଲି ସହଯୋଗ ଓ ଅକ୍ସଫାମ୍‌ ଇଣ୍ଡିଆର ମିଳିତ ସହଯୋଗରେ ଅନୁଷ୍ଠିତ ରାଜ୍ୟସ୍ତରୀୟ କର୍ମଶାଳାରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି।

ଆଜି ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ରାଜ୍ୟସ୍ତରୀୟ କର୍ମଶାଳାରେ ଯକ୍ଷ୍ମା ନିୟନ୍ତ୍ରଣ ପାଇଁ ସବୁସ୍ତରରେ ପ୍ରୟାସ ଓ ରାଜନୈତିକ ପ୍ରତିବଦ୍ଧତା ନେଇ ଆଲୋଚନା ହୋଇଥିଲା। ଏଥିରେ ଯୋଗ ଦେଇଥିବା ବିଭିନ୍ନ ରାଜନୈତିକ ଦଳମାନଙ୍କୁ ଯକ୍ଷ୍ମାର ବିଲୋପ ପାଇଁ ନିର୍ବାଚନୀ ଇସ୍ତାହରେ ସ୍ଥାନ ଦେବା ପାଇଁ ଦାବି କରାଯାଇଥିଲା। କର୍ମଶାଳାରେ ସ୍ବାସ୍ଥ୍ୟସେବା ନିର୍ଦେଶକ ଡା. ସୁଶୀଲ କୁମାର କର, ସ୍ବତନ୍ତ୍ର ସଚିବ ଡା. ବି କେ ବ୍ରହ୍ମା, ବିଜେଡିର ମୁଖପାତ୍ର ସୁଲତା ଦେଓ, କଂଗ୍ରେସର ମୁଖ୍ୟପାତ୍ର ପ୍ରଫେସର କୈଳାସ ଆଚାର୍ଯ୍ୟ, ଅକ୍ସଫାମର ‌ସନ୍ତୋଷ ପାତ୍ର, ଗୌରାଙ୍ଗ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ପ୍ରାରମ୍ଭରେ ସହଯୋଗର ସଂପାଦିକା ବିଜୟଲକ୍ଷ୍ମୀ ରାଉତରାୟ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ବିକ୍ରମ ସ୍ବାଇଁ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର