ଚା..ଆଃ..! ରାଜଧାନୀରେ ମିଳୁଛି ଭିନ୍ନ ଭିନ୍ନ ଶୈଳୀରେ ପ୍ରସ୍ତୁତ ସୁଅାଦିଅା ଚା

କପେ ଚା’ ଏବଂ ଖବର କାଗଜରୁ ଅଧିକାଂଶ ବ୍ୟକ୍ତିଙ୍କର ଦିନ ଆରମ୍ଭ ହୁଏ। ସେ ଗରିବ ହେଉ କି ଧନୀ, କଲେଜ ପଢ଼ୁଆ ଛାତ୍ର ହୁଅନ୍ତୁ ଅବା ଅବସରପ୍ରାପ୍ତ ବ୍ୟକ୍ତି। ଖରା, ବର୍ଷା, ଶୀତ ସବୁଠି, ସବୁ ଋତୁରେ ଅନେକଙ୍କ ଏହି ସୁଡ଼ୁକାଏ ଚା’ରେ ଥାଏ ମନ। ସେ ଫୁଟ୍‌ପାଥର ଚା’ ଷ୍ଟଲ୍‌ ହେଉ କି କୌଣସି ଫାଇଭ୍‌ ଷ୍ଟାର୍‌ ହୋଟେଲ୍‌; ସବୁଠି ସକାଳେ ଓ ସଂଜରେ ଶରୀରର ଫୂର୍ତ୍ତି ପାଇଁ ଲୋଡ଼ା ପଡ଼େ କପେ ଚା’। ଚା’ର ଏହି ବଢ଼ୁଥିବା ଚାହିଦାକୁ ଦୃଷ୍ଟିରେ ରଖି ରାଜଧାନୀରେ ରକମ ରକମର ଚା’ ଉପଲବ୍ଧ ହେଲାଣି। ଏହି ଚା’ର ଚାହିଦାକୁ ନେଇ ଆଜିର ସ୍ୱତନ୍ତ୍ର ଉପସ୍ଥାପନା।

ରିପୋର୍ଟ: ପ୍ରଗତି ସାହୁ, ଫଟୋ: ବିଭୂତି

ଝିଅଙ୍କ ପାଇଁ କୁଆଁରୀ ଚା’

ଚା’ର ଚାହିଦା ସବୁଠି ସମସ୍ତଙ୍କ ମଧ୍ୟରେ ଥିବାରୁ ବ୍ୟବସାୟୀମାନେ ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ଭିନ୍ନ ଭିନ୍ନ ଉପାୟ ଅବଲମ୍ବନ କରୁଛନ୍ତି। କିଏ ଦୋକାନର ସାଜସଜା ତ’ ଆଉ କିଏ ଚା’ର ଭେରାଇଟି ଉପରେ ଦୃଷ୍ଟି ଦେଉଛନ୍ତି। ସିଆର୍‌ପିସ୍ଥିତ ରାମ ଭାଇଙ୍କ ଚା’ ଦୋକାନରେ ମିଳୁଛି ୫୦ ପ୍ରକାରର ଚା’। ଏଥିରେ ରହିଛି ଆଇସ୍‌ ଓ୍ଵାଇନ୍‌ ଟି, ହୀରା ଚାନ୍ଦ ଟି, ଓ୍ଵାଇନ୍‌ ଟି, ରୋଜ୍‌ ଟି, ବ୍ଲୁ ଟି, ସିଲ୍‌ଭର୍‌ ଟି, କେସର ଟି, ମାଚ୍ଛା ଗ୍ରିନ୍‌ ଟି ଓ କୁଅାଁରି ଟି ଆଦି ବହୁ ରକମର ଚା’ ଉପଲବ୍ଧ ହେଉଛି। ସ୍ୱାସ୍ଥ୍ୟ ସଚେତନ ବ୍ୟକ୍ତିବିଶେଷ ଅଧିକ ମାତ୍ରାରେ ଗ୍ରିନ୍‌ ଲେମନ୍‌ ଟି ପିଉଥିବା ବେଳେ ମୋଟାପଣକୁ ହଟାଇବା ତଥା ପତଳା ହେବା ପାଇଁ ଅନେକ ବିଟର୍‌ ଟିକୁ ପସନ୍ଦ କରନ୍ତି। ସେହିପରି ଅବିବାହିତ ଝିଅମାନେ ଶରୀରକୁ ସୁନ୍ଦର ତଥା ସୁଢ଼ଳ ରଖିବା ପାଇଁ ସେମାନଙ୍କ ପାଇଁ ଉପଲବ୍ଧ ହେଉଛି କୁଆଁରୀ ଚା’। ଆଇସ୍‌ ଓ୍ଵାଇନ୍‌ ଟି, ହୀରା ଚାନ୍ଦ ଟି, ଓ୍ଵାଇନ୍‌ ଟି, ରୋଜ୍‌ ଟି ଆଦି ଦଶହରା ସମୟରୁ ଉପଲବ୍ଧ ହେବ ବୋଲି ଦୋକାନର ସ୍ୱତ୍ତ୍ୱାଧିକାରୀ ରାମ ପ୍ରଧାନ କହିଛନ୍ତି। ପୁଣି ପାଟି ସୁଆଦ ପାଇଁ ରହିଛି ବାଦାମ୍‌ ଟି, କେଶର ଟି, କସ୍ତୁରୀ ଟି ଓ ରାବିଡ଼ି ଟି। ଏହି ସବୁ ଚା’ର ଦାମ୍‌ କପ୍‌ ପିଛା ୧୦ ଟଙ୍କାର ଆରମ୍ଭ ହୋଇ ୫୦ ଟଙ୍କା ପର୍ଯ୍ୟନ୍ତ ରହିଛି।

ସ୍ମୋକି ଫ୍ଲେବର୍‌ରେ ତନ୍ଦୁରି ଚା’

ଚା’ ପ୍ରେମୀଙ୍କ ମଧ୍ୟରେ ଏବେ ତନ୍ଦୁରି ଚା’କୁ ନେଇ ଚର୍ଚ୍ଚା। ସାଇ ବିହାରସ୍ଥିତ ତନ୍ଦୁରି ଚା’ ଦୋକାନରେ ଚା ପିଇବା ପାଇଁ ଯେତିକି ଭିଡ଼, ଚା’ର ପ୍ରସ୍ତୁତି ଦେଖିବାକୁ ତା’ଠାରୁ ଅଧିକ। କ୍ଷୀରରେ ଆସାମ ଚା’ ପତି ଓ ୬ ପ୍ରକାର ମସଲା ପକାଇ ଫୁଟିବା ପାଇଁ ଛାଡ଼ି ଦିଆଯାଏ। ଚା’ ପତି ଓ ମସଲା ଦର ସିଝା ହେବା ପରେ ଏହାକୁ ଓହ୍ଲାଇ ଦିଆଯାଏ। ବାହାରେ ଭାଟିରେ ୪୦୦ରୁ ୫୦୦ ଡିଗ୍ରି ସେଣ୍ଟିଗ୍ରେଡ୍‌ରେ ମାଟି କୁଲଡ୍‌କୁ ଗରମ ହେବାକୁ ଛଡ଼ା ଯାଇଥାଏ। ପରେ ପିତ୍ତଳ ପାତ୍ରରେ ଏହି ଗରମ କୁଲଡ୍‌କୁ ରଖି ଚା’ ଢଳାଯାଏ। କୁଲଡ୍‌ର ଅତ୍ୟଧିକ ତାପମାତ୍ରା ଯୋଗୁଁ ଗରମ ଚା’ ଭିତରେ ଢଳା ହେଉ ହେଉ ତାହା ଉତୁରିବା ଆରମ୍ଭ କରେ ଓ କୁଲଡ୍‌ର ଧୁଆଁଳିଆ ଫ୍ଲେବର୍‌ ଚା’ ସହ ମିଶି ଏକ ନିଆରା ସ୍ୱାଦ ଦିଏ ବୋଲି କହିଛନ୍ତି ସାଇ ବିହାରସ୍ଥିତ ତନ୍ଦୁରି ଚା’ ଦୋକନର ମାଲିକ କୁମାର ରଞ୍ଜନ ଦାସ। ପୁନେ ଶୈଳୀରେ ପ୍ରସ୍ତୁତ ଏହି ଚା’ ରାଜଧାନୀବାସୀଙ୍କ ବେଶ୍‌ ପସନ୍ଦ ହୋଇଥିବା ବେଳେ ପ୍ରତିଦିନ ସଂଧ୍ୟାରେ ଏଠାରେ ନାହିଁ ନଥିବା ଭିଡ଼ ଜମେ। ଏହି ଚା’ କପ୍‌ର ଦାମ ୨୦ ଟଙ୍କା ରହିଛି ଓ ୩ ମାସ ମଧ୍ୟରେ ଏହା ରାଜଧାନୀବାସୀଙ୍କ ମଧ୍ୟରେ ଆଶାତୀତ ଭାବେ ଆଦୃତ ହୋଇଛି ବୋଲି କହିଛନ୍ତି ଅନ୍ୟତମ ସ୍ୱତ୍ତ୍ୱାଧିକାରୀ ଦେବାଶିଷ ନାୟକ।

ଚା’ରେ ମାଟିର ମହକ

ଚା’ କପ୍‌ ସହ ମାଟିର ଅପୂର୍ବ ବାସ୍ନା। ଚା’ର ସ୍ୱାଦକୁ ଦ୍ୱିଗୁଣିତ କରିବା ସହ ମାଟି ଓ ପରିବେଶ ସହ ନିଜ ଅସ୍ତିତ୍ୱକୁ ଅନୁଭବ କରିବାର ନିଆରା ସୁଯୋଗ। ସକାଳୁ ସକାଳୁ ଆଚାର୍ଯ୍ୟ ବିହାରସ୍ଥିତ ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର ସାମ୍ନାରେ ‘ଚା’ ବିସ୍କୁଟ’ ଷ୍ଟଲ୍‌ରେ ମିଳେ ଏମିତିି ସୁଯୋଗ। ଏହି ଷ୍ଟଲ୍‌ର ସାଜସଜା ବି ସମ୍ପୂର୍ଣ୍ଣ ନିଆରା। ଆଦିବାସୀ ଓ ଓଡ଼ିଆ ଚିତ୍ରକଳାରେ ଚିତ୍ରିତ ଷ୍ଟଲ୍‌ ମଧ୍ୟରେ ମାଟି କେଟିଲ୍‌ ଓ କପ୍‌ରେ ଚା’ ପରସା ଯାଏ। ଷ୍ଟଲ୍‌ର ମାଲିକ ସୁବ୍ରତ କୁମାର ଦାସ କୁହନ୍ତି, ଏହି ଷ୍ଟଲକୁ ପ୍ରାୟ ଯୁବପିଢ଼ି ଓ ବାଇକର୍‌ମାନେ ଆସନ୍ତି। ଯୁବପିଢ଼ିଙ୍କ ପାଖକୁ ପରିବେଶ ସଚେତନାର ବାର୍ତ୍ତା ପହଞ୍ଚାଇବା ଉଦ୍ଦେଶ୍ୟରେ ଦେଢ଼ ବର୍ଷ ତଳେ ଏହା ‘ଇକୋ କାଫେ’ ନାମରେ ଖୋଲିଥିଲା। ପରେ ଏହାର ନାମ ପରିବର୍ତ୍ତନ ହୋଇ ‘ଚା’ ବିସ୍କୁଟ’ ହୋଇଛି। ମଲାଇ, କେଶର ଚା’ ଓ ତୁଳସୀ ଗ୍ରିନ୍‌ ଟି ମଧ୍ୟ ଉପଲବ୍ଧ। ମଲାଇ ଚା’ ୧୫ଟଙ୍କା, କେଶର ଚା’ ଓ ତୁଳସୀ ଗ୍ରିନ୍‌ ଟି ୨୫ ଟଙ୍କା ରହିଛି। ଅଧିକାଂଶ କେଶର ଚା’ ପସନ୍ଦ କରୁଥିବା ବେଳେ ସ୍ୱାସ୍ଥ୍ୟ ସଚେତନ ଯୁବପିଢ଼ି ତୁଳସୀ ଗ୍ରିନ୍‌ ଟିକୁ ପ୍ରାଧାନ୍ୟ ଦିଅନ୍ତି। ଏଠାରେ ୧୬ ବର୍ଷରୁ ୩୫ ବର୍ଷର ଯୁବପିଢ଼ି ତଥା ପ୍ରେମୀ ଯୁଗଳଙ୍କ ଭିଡ଼ ଜମିଥାଏ ବୋଲି ଶ୍ରୀ ଦାସ କହିଛନ୍ତି।

ସମ୍ବନ୍ଧିତ ଖବର