ଭୁବନେଶ୍ବରରେ ଚା’, ପାନ, ଗୁଟ୍‌ଖା ବିକିବା ମନା

ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ସବୁ ପାର୍କ ବନ୍ଦ

ଭୁବନେଶ୍ବର : ବିଏମ୍‌ସି ପକ୍ଷରୁ ରାଜଧାନୀରେ କେଉଁ ଦୋକାନ ଖୋଲିବ, କେଉଁ ଦୋକାନ ବନ୍ଦ ରହିବ, କ’ଣ କ’ଣ ଏବେ ବିକ୍ରି ହୋଇପାରିବ ସେନେଇ ନିର୍ଦ୍ଦେଶନାମା ପ୍ରକାଶ ପାଇଛି। ବିଏମ୍‌ସି ପକ୍ଷରୁ କୁହାଯାଇଛି କେବଳ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି ହୋଇପାରିବ। ପାନ, ଗୁଟ୍‌ଖା, ଚା’ ‌ଦୋକାନ ବନ୍ଦ ରହିବ। ଓମ୍‌ଫେଡ୍‌ ପାର୍ଲରରେ ଏହି ସବୁ ସାମଗ୍ରୀ ବିକ୍ରି ହେଉଥିଲେ ‌ବି ଏବେ ବିକି ପାରିବେନି। କେବଳ କ୍ଷୀର ଏବଂ କ୍ଷୀର ସମ୍ବନ୍ଧୀୟ ସାମଗ୍ରୀ ବିକ୍ରି କରିପାରିବେ। ଡ୍ରେସ୍‌ ଓ କପଡ଼ା ଦୋକାନ ବନ୍ଦ ରହିବ। ଫଳରସ ଦୋକାନରେ କେବଳ ଫଳ ବିକ୍ରି ହେବ, ଫଳ ରସ ବିକ୍ରି ହେବନି। ଆଇସ୍‌କ୍ରିମ୍ ପାର୍ଲର ବନ୍ଦ ରହିବ। ଓପୋଲଫେଡ୍‌ରେ କୌଣସି ପ୍ରକାରର ରନ୍ଧା ଖାଦ୍ୟ ବିକ୍ରି ହେବନି। କେବଳ ଅଣ୍ଡା ଓ ଚିକେନ୍ ବିକି ପାରିବେ। ଆସନ୍ତା ନିର୍ଦ୍ଦେଶନାମା ପ୍ରକାଶ ପାଇବା ପର୍ଯ୍ୟନ୍ତ ଏହି କଟକଣା ଲାଗୁ ହେବ।

ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ସବୁ ପାର୍କ ବନ୍ଦ
କରୋନା ମୁକାବିଲା ପାଇଁ ବିଏମ୍‌ସି ପକ୍ଷରୁ ମାର୍ଚ୍ଚ ୨୨ରୁ ୩୧ ତାରିଖ ପର୍ଯ୍ୟନ୍ତ ରାଜଧାନୀର ସମସ୍ତ ପାର୍କକୁ ବନ୍ଦ କରାଯାଇଛି। ରାଜଧାନୀର ସମସ୍ତ ପାର୍କକୁ ସକାଳ ୬ଟାରୁ ଦିନ ୨ଟା ପର୍ଯ୍ୟନ୍ତ ଖୋଲିବା ପରେ ବି ଭିଡ଼ ଉପରେ ରୋକ୍ ଲାଗିଲାନି। ଏପରିକି ସାମାଜିକ ଦୂରତା ରକ୍ଷା କରିବା ପାଇଁ ରାଜ୍ୟ ସରକାର ଯେତେ ପଦକ୍ଷେପ ନେଲେ ବି ପାର୍କରେ ଏହାକୁ ପାଳନ କରାଯାଉନି। ତେଣୁ ରାଜଧାନୀର ସମସ୍ତ ପାର୍କକୁ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ସଂପୂର୍ଣ୍ଣ ବନ୍ଦ କରିବାକୁ ବିଏମ୍‌ସି ନିଷ୍ପତ୍ତି ନେଇଛି। ବିଏମ୍‌ସି କମିସନର୍‌ ପ୍ରେମ ଚନ୍ଦ୍ର ଚୌଧରୀ ଆଜି ଏନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏଥିରେ ବିଏମ୍‌ସି, ବିଡିଏ ଏବଂ ଘରୋଇ ସଂସ୍ଥା ଅଧୀନରେ ଥିବା ସମସ୍ତ ପାର୍କକୁ ବନ୍ଦ କରି ଦିଆଯାଇଛି। ସୂଚନାଯୋଗ୍ୟ ଯେ ମାର୍ଚ୍ଚ ୧୫ରେ ବିଏମ୍‌ସି ରାଜଧାନୀର ସମସ୍ତ ପାର୍କ ସକାଳ ୬ଟାରୁ ଦିନ ୨ଟା ପର୍ଯ୍ୟନ୍ତ ଖୋଲା ରହିବ ବୋଲି ବିଜ୍ଞପ୍ତି ପ୍ରକାଶ କରିଥିଲା।

ସମ୍ବନ୍ଧିତ ଖବର