ଲଭ୍‌…ସେକ୍ସ…ଧୋକା…: ଛାତ୍ରଙ୍କ ପ୍ରେମରେ ଅନ୍ଧ ଶିକ୍ଷୟିତ୍ରୀଙ୍କ ଆତ୍ମହତ୍ୟା

କୋରାପୁଟରେ ହୋଇଥିଲା ପ୍ରେମ
ଭୁବନେଶ୍ବରରେ ଲିଭ୍‌-ଇନ୍‌ରେ ରହୁଥିଲେ
ବିବାହ ପାଇଁ ରାଜି ହେଲାନି ପ୍ରେମିକ

ଭୁବନେଶ୍ବର : କୁହାଯାଏ ପ୍ରେମ ଅନ୍ଧ। ଜାତି, ଧର୍ମ, ବର୍ଣ୍ଣ, ବୟସ କିଛି ପ୍ରତିବନ୍ଧକ ମାନେନା। କେତେବେଳେ, କାହାକୁ, କେମିତି ଯେ ପ୍ରେମ ହୁଏ କିଛି ଜଣାପଡ଼େନା। ଆଜି ଏଭଳି ଅନ୍ଧ ପ୍ରେମ ଓ ଏହାର ଦୁଃଖଦ ପରିଣତି ସାମ୍ନାକୁ ଆସିଛି। ପାଠପଢ଼ା ସମୟରେ ଶ୍ରେଣୀଗୃହରୁ ଜଣେ ୨୫ ବର୍ଷୀୟ ଛାତ୍ରଙ୍କ ପ୍ରେମରେ ପଡ଼ିଗଲେ ୪୪ ବର୍ଷୀୟା ଶିକ୍ଷୟିତ୍ରୀ। ପରସ୍ପରକୁ ବିବାହ କରିବେ କହି ଲିଭ୍‌-ଇନ୍‌ରେ ରହିଲେ। ଶାରୀରିକ ସଂପର୍କ ରଖିଲେ। କିନ୍ତୁ ପରେ ବିବାହ କରିବାକୁ ଛାତ୍ର ଜଣକ ରାଜି ନ ହେବାରୁ ଶିକ୍ଷୟିତ୍ରୀ ଆତ୍ମହତ୍ୟା କରିଦେଲେ।

ଏମିତି ଭାବେ ଲଭ୍, ସେକ୍ସ, ଧୋକାର ଶିକାର ହୋଇ ଆତ୍ମହତ୍ୟା କରିଥିବା ଶିକ୍ଷୟିତ୍ରୀ ଜଣକ ହେଉଛନ୍ତି ପଶ୍ଚିମବଙ୍ଗର ସବନମ୍ ବର୍ମା(୪୪)। ସେ ବାଲିଅନ୍ତାର ଏକ ଇଂରାଜୀ ମାଧ୍ୟମ ସ୍କୁଲ୍‌ର ଶିକ୍ଷୟିତ୍ରୀ ବୋଲି ଜଣାପଡ଼ିଛି। ବେଶ୍ କିଛିଦିନ ଧରି ଖଣ୍ଡଗିରି ଜାଗମରାସ୍ଥିତ ସିଦ୍ଧେଶ୍ବରନଗର ଏକ ଘରେ ସେ ତାଙ୍କ ପୁରୁଷ ବନ୍ଧୁ ରୋହନ ଓରାମ(୨୫)ଙ୍କ ସହ ରହୁଥିଲେ। ଆଜି ସକାଳେ ଘରେ ଥିବା ବେଳେ ଦୁହିଁଙ୍କ ମଧ୍ୟରେ ପ୍ରବଳ ଝଗଡ଼ା ହୋଇଥିଲା। ଦୀର୍ଘ ଦିନ ହେବ ଉଭୟ ପରସ୍ପରକୁ ପ୍ରେମ କରି ଲିଭ୍ନ୍-ଇନ୍ ସଂପର୍କରେ ରହୁଥିବାରୁ ସବନମ୍ ତାଙ୍କୁ ବିବାହ କରିବାକୁ ପୂର୍ବରୁ ଚାପ ପକାଉଥିଲେ। ତେବେ ରୋହନ ଏଥିରେ ରାଜି ନ ହୋଇ ଘର ଛାଡ଼ି ପାତ୍ରପଡ଼ାସ୍ଥିତ ଏକ ଓୟୋ ହୋଟେଲକୁ ଚାଲି ଯାଇଥିଲେ। ଏହା ପରେ ସବନମ୍ ତାଙ୍କୁ ଫୋନ୍ କରି ଘରକୁ ଡାକିଥିଲେ ଏବଂ ବିବାହ ନକଲେ ଆତ୍ମହତ୍ୟା କରିବେ ବୋଲି ଧମକ ଦେଇଥିଲେ। ବାଧ୍ୟ ହୋଇ ରୋହନ ପୁଲିସ୍‌କୁ ଫୋନ୍ ଯୋଗେ ଜଣାଇବା ସହ ଘଟଣାସ୍ଥଳକୁ ଆସିଥିଲେ। ମାତ୍ର ସେତେବେଳକୁ ସବନମ୍ ପଙ୍ଖାରେ ରଶି ବାନ୍ଧି ଝୁଲି ପଡ଼ିଥିଲେ।

ସୂଚନା ମୁତାବକ, ଦୁଇ ବର୍ଷ ପୂର୍ବେ ସବନମ୍ କୋରାପୁଟରେ ଏକ ଘରୋଇ ସ୍କୁଲ୍‌ରେ ପାଠ ପଢ଼ାଉଥିବା ବେଳେ ତା‌ଙ୍କଠାରୁ ୧୯ ବର୍ଷ ସାନ ସେହି ସ୍କୁଲର ଛାତ୍ର ରୋହନଙ୍କ ପ୍ରେମରେ ପଡ଼ି ଯାଇଥିଲେ। ଉଭୟ ପରସ୍ପରକୁ ବିବାହ କରିବେ ବୋଲି ନିଷ୍ପତ୍ତି ନେଇଥିଲେ ଏବଂ ଶାରୀରିକ ସଂପର୍କ ମଧ୍ୟ ରଖିଥିଲେ। ତେବେ ପାଠପଢ଼ା ପରେ ରୋହନ ଭୁବନେଶ୍ବରର ଏକ ସଫ୍ଟୱେୟାର କମ୍ପାନିରେ ଚାକିରି କରିଥିଲେ। ସବନମ୍ ମଧ୍ୟ ଚାକିରି ଛାଡ଼ି ଏଠାରେ ବାଲିଅନ୍ତାସ୍ଥିତଏକ ଇଂରାଜୀ ମାଧ୍ୟମ ସ୍କୁଲ୍‌ରେ ଶିକ୍ଷୟିତ୍ରୀ ଭାବେ ପାଠ ପଢ଼ାଉଥିଲେ। ସିଦ୍ଧେଶ୍ବରନଗରରେ ଗୋଟିଏ ଘରେ ଦୁହେଁ ରହିବା ସହ ଘର ମାଲିକଙ୍କୁ ଭାଇଭଉଣୀ ବୋଲି ପରିଚୟ ଦେଇଥିଲେ। ସବନମ୍‌ଙ୍କ ବୟସ ୪୦ ଅତିକ୍ରାନ୍ତ କରିଥିବାରୁ ସେ ବାରମ୍ବାର ରୋହନକୁ ବିବାହ ପାଇଁ ଚାପ ପକାଉଥିଲେ। କିନ୍ତୁ ରୋହନ ତାଙ୍କୁ ବିବାହ କରିବେ ନାହିଁ ବୋଲି ରୋକ୍‌ଠୋକ୍ କହିବା ପରେ ଆଜି ସବନମ୍ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।

ତେବେ ପ୍ରାଥମିକ ତଦନ୍ତ ଓ ପାରିପାର୍ଶ୍ବିକ ପରିସ୍ଥିତିରୁ ସବନମ୍ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କେହି ହତ୍ୟା କରି ଟଙ୍ଗାଇ ଦେଇଛି, ତାହା ସ୍ପଷ୍ଟ ହୋଇ ନ ଥିବାରୁ ପୁଲିସ୍ ରୋହନକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି।

ସମ୍ବନ୍ଧିତ ଖବର