ଭୁବନେଶ୍ବର: ଦେଶ ଗଠନରେ ଶିକ୍ଷାର ଭୂମିକା ଗୁରୁତ୍ୱପୂର୍ଣ୍ଣ ଓ ଶିକ୍ଷକ ହେଉଛନ୍ତି ରାଷ୍ଟ୍ରନିର୍ମାତା। ସେମାନଙ୍କ ଜ୍ଞାନ, ବ୍ୟକ୍ତିତ୍ୱ, ତ୍ୟାଗ ଓ ଉତ୍ସର୍ଗୀକୃତ ମନୋଭାବ ଛାତ୍ରଛାତ୍ରୀଙ୍କୁ ପ୍ରେରଣା ଦେଇଥାଏ। ପ୍ରତିଟି ଆହ୍ୱାନକୁ ସମ୍ମୁଖୀନ କରି ସଫଳତାର ସହ ମୁକାବିଲା କରିବା ହିଁ ଶିକ୍ଷାର ଅର୍ଥ। ଛାତ୍ରଛାତ୍ରୀମାନଙ୍କୁ ଉଚିତ ବିଦ୍ୟା ପ୍ରଦାନ କରାଯାଇପାରିଲେ ସେମାନେ ସବୁ ସମସ୍ୟାର ସମାଧାନ କରିପାରିବେ। ରୁଚି ଥିବା କ୍ଷେତ୍ରରେ ପାରଦର୍ଶିତା ହାସଲ ସହ ପ୍ରତିଭା ଓ ଦକ୍ଷତା ପ୍ରଦର୍ଶନ କରିପାରିବେ। ଏଥିପ୍ରତି ଶିକ୍ଷକ ସମାଜ ବିଶେଷ ଦୃଷ୍ଟି ଦେବା ଆବଶ୍ୟକ। ଉତ୍କଳ ବିଶ୍ୱବିଦ୍ୟାଳୟର ୫୧ତମ ସମାବର୍ତ୍ତନ ଉତ୍ସବ ତଥା ଉପାଧି ପ୍ରଦାନ ସମାବେଶରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି ଓଡ଼ିଶା ହାଇକୋର୍ଟର ବିଚାରପତି ଡ. ବିଦ୍ୟୁତ୍ ରଞ୍ଜନ ଷଡ଼ଙ୍ଗୀ।
ବିଶ୍ବବିଦ୍ୟାଳୟର ଏମ୍କେସିଜି ଅଡିଟୋରିୟମ୍ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ କହିଲେ ଯେ ଉତ୍କଳ ବିଶ୍ୱବିଦ୍ୟାଳୟ ଅନ୍ୟମାନଙ୍କ ପାଇଁ ମାର୍ଗଦର୍ଶକ। ଏହି ବିଶ୍ବବିଦ୍ୟାଳୟ ଉଚ୍ଚତର ଶିକ୍ଷା ପ୍ରଦାନ ସହ ଛାତ୍ରଛାତ୍ରୀମାନଙ୍କର ଆତ୍ମବଳ, ଆତ୍ମବିକାଶ ତଥା ଆତ୍ମଶୁଦ୍ଧି ନିମିତ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ବିଶ୍ୱବିଦ୍ୟାଳୟର ଭିତ୍ତିଭୂମି ବିକାଶ ପାଇଁ ରାଜ୍ୟ ସରକାର ଅନୁଦାନ ଯୋଗାଇ ଦେବାରେ କେବେ ଅବହେଳା କରିନାହାନ୍ତି। ଏହାର ଉନ୍ନତୀକରଣ ପାଇଁ ସରକାର ୬୦ କୋଟି ଟଙ୍କା ଅନୁଦାନ ଦେଇଛନ୍ତି। ବିଶ୍ୱବିଦ୍ୟାଳୟରେ ଉଚ୍ଚମାନର ଶିକ୍ଷାଦାନ ପାଇଁ ସବୁ ବିଭାଗରେ ସ୍ମାର୍ଟ କ୍ଲାସ୍ରୁମ୍ ବ୍ୟବସ୍ଥା କରିବାକୁ ସରକାର ପାଣ୍ଠି ଯୋଗାଇଦେବେ ବୋଲି ଏହି ଅବସରରେ ଶ୍ରୀ ସାହୁ ଘୋଷଣା କରିଥିଲେ।
କୁଳପତି ପ୍ରଫେସର୍ ସବିତା ଆଚାର୍ଯ୍ୟ ଅତିଥିମାନଙ୍କୁ ସ୍ୱାଗତ କରିବା ଅବସରରେ ବିଶ୍ୱବିଦ୍ୟାଳୟର ଗୌରବମୟ ଐତିହ୍ୟ, ଶିକ୍ଷା ମନ୍ତ୍ରୀଙ୍କର ଆନ୍ତରିକତା, ସହଭାଗିତା, ପ୍ରୋତ୍ସାହନ ତଥା ଅନୁଦାନ ପ୍ରଦାନ କରିବାରେ ଆଗ୍ରହକୁ ଅଭିନନ୍ଦନ ଜଣାଇଥିଲେ। ବିଶ୍ୱବିଦ୍ୟାଳୟର ଶୈକ୍ଷିକ ପରିବେଶ, ଶୃଙ୍ଖଳା, ଗବେଷଣା ଓ ଗୁଣାତ୍ମକ ଶିକ୍ଷା ପ୍ରଦାନ କରାଯାଉଥିବାରୁ ଆଜି ବିଶ୍ୱ ଦରବାରରେ ଉତ୍କଳ ବିଶ୍ୱବିଦ୍ୟାଳୟ ବହୁ ପ୍ରଶଂସିତ ହୋଇପାରିଛି। ଏହା ଆମ ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି ସେ କହିଥିଲେ। କୁଳପତି ପ୍ରଫେସର୍ ଆଚାର୍ଯ୍ୟଙ୍କ ପୌରୋହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୯୮ଜଣ ଛାତ୍ରଛାତ୍ରୀଙ୍କୁ ସ୍ୱର୍ଣ୍ଣପଦକ ଏବଂ ୧୮୯ଛାତ୍ରଛାତ୍ରୀଙ୍କୁ ପିଏଚ୍ଡି ଡିଗ୍ରି ପ୍ରଦାନ କରାଯାଇଥିଲା। କୁଳସଚିବ ଅଭୟ ନାୟକ ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମରେ ସିଣ୍ଡିକେଟ୍ ସଦସ୍ୟଙ୍କ ସମେତ ଶିକ୍ଷକ, ଗବେଷକ, ଛାତ୍ରଛାତ୍ରୀ, ଅଭିଭାବକମାନେ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/27.jpg)