ଏବର୍ଷ ବି ଅତିଥି ଅଧ୍ୟାପକ ପଢ଼ାଇବେ

ବିଜେବି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟାପକ ଅଭାବ

ଭୁବନେଶ୍ୱର: ବିଜେବି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟାପକ ଅଭାବ ରହିଛି। ଗଣିତ ସମେତ ହିନ୍ଦୀ ଓ ଲଜିକ୍‌ ବିଷୟରେ ପଢ଼ାଇବାକୁ ସ୍ଥାୟୀ ଅଧ୍ୟାପକ ନ ଥିବା ବେଳେ ନୂତନ ନିଯୁକ୍ତି ବି କରାଯାଉ ନାହିଁ। ଏନେଇ ଖବର ପ୍ରକାଶ ପରେ ରାଜ୍ୟ ସରକାରଙ୍କ ନିଦ ଭାଙ୍ଗିଛି। ପଦବି ପୂରଣ କରିବା ପରିବର୍ତେ ପୁଣିଥରେ ଅତିଥି ଅଧ୍ୟାପକ ନିଯୁକ୍ତି କରି ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦେବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ କଲେଜ ଅଧ୍ୟକ୍ଷଙ୍କୁ କୁହାଯାଇଛି।

ଦୀର୍ଘ ବର୍ଷ ହେଲା ରାଜ୍ୟର ଏହି ପ୍ରମୁଖ କଲେଜରେ ଅଧ୍ୟାପକ ସଙ୍କଟ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି। ନୂତନ ନିଯୁକ୍ତି କରାଯାଉ ନ ଥିବାରୁ ଦିନକୁ ଦିନ ସମସ୍ୟା ଜଟିଳ ହେଉଛି। ପ୍ରତିବର୍ଷ ଅତିଥି ଅଧ୍ୟାପକଙ୍କୁ ଡାକି ଛାତ୍ରଛାତ୍ରୀଙ୍କୁ ଶିକ୍ଷା ପ୍ରଦାନ କରାଯାଉଥିବା ବେଳେ ଏଥର ମଧ୍ୟ ସମାନ ଢ଼ଙ୍ଗରେ ଶିକ୍ଷାଦାନ କରିବାକୁ କୁହାଯାଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ଗତ ୧୧ ତାରିଖରେ କଲେଜ ଅଧ୍ୟକ୍ଷଙ୍କୁ ଲେଖା ଯାଇଥିବା ଚିଠିରେ ଉଲ୍ଲେଖ କରାଯାଇଛି ଯେ ବିଭିନ୍ନ ବିଷୟରେ ଅଧ୍ୟାପକ ପଦବି ଖାଲି ରହିଥିବା ଦୃଷ୍ଟିକୁ ଆସିଛି। ତେଣୁ ଛାତ୍ରଛାତ୍ରୀଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ଅତିଥି ଅଧ୍ୟାପକଙ୍କୁ ନିଯୁକ୍ତି ଦିଆଯାଉ। ନିର୍ଧାରିତ ସମୟରେ ଯେପରି ଛାତ୍ରଛାତ୍ରୀଙ୍କ ସିଲାବସ୍‌ ଶେଷ ହେବ, ସେଥିପ୍ରତି ମଧ୍ୟ ଗୁୁରୁତ୍ୱ ଦେବାକୁ କୁହାଯାଇଛି। ଅତିଥି ଅଧ୍ୟାପକ ନିଯୁକ୍ତି ଦେବା ସମୟରେ କଲେଜ ଅଧ୍ୟକ୍ଷ ସମସ୍ତ ନିୟମକୁ ପାଳନ କରିବାକୁ ପରାମର୍ଶ ଦିଆଯାଇଛି। ଅଣ-ଶିକ୍ଷକ(ଗ୍ରୁପ୍‌-ଡି) ପଦବି ପୂରଣ ଲାଗି ପ୍ରସ୍ତାବ ଦେବାକୁ କୁହାଯାଇଛି। ଏଥିସହ ଗୋଟିଏ ସିନିଅର କ୍ଲର୍କ ପଦବୀରେ ଜଣେ ଅବସରପ୍ରାପ୍ତ ଲୋକଙ୍କୁ ନିଯୁକ୍ତି ଦେବାକୁ ପରାମର୍ଶ ଦିଆଯାଇଛି। ଏନେଇ ପ୍ରସ୍ତାବଗୁଡ଼ିକ ନିର୍ଦେଶାଳୟ ନିକଟକୁ ପଠାଇବାକୁ କୁହାଯାଇଛି।

ସୂଚନାଯୋଗ୍ୟ ଯେ ଗଣିତ, ହିନ୍ଦୀ ଓ ଲଜିକ୍‌ ବିଷୟ ପରି ଅନ୍ୟ ବିଷୟଗୁଡ଼ିକରେ ବି ଅଧ୍ୟାପକ ଅଭାବ ରହିଛି। ରାସାୟନ ବିଜ୍ଞାନରେ ୫ଜଣ ଅଧ୍ୟାପକ ଦରକାର ଥିବା ବେଳେ ୩ ଜଣ, ଇଂରାଜୀରେ ୭ରୁ ୩, ପଦାର୍ଥ ବିଜ୍ଞାନରେ ୬ରୁ ୨, ପ୍ରାଣୀ ବିଜ୍ଞାନରେ ୪ରୁ ୧, ଭୌତିକ ବିଜ୍ଞାନରେ ୩ରୁ ୨ ଜଣ ରହିଥିବା ବେଳେ ଓଡ଼ିଆରେ ୫ରୁ ୪ ଜଣ ଅଧ୍ୟାପକ ରହିଛନ୍ତି। ଏଭଳି ସମସ୍ୟା ନେଇ କଲେଜ କର୍ତୃପକ୍ଷ ବାରମ୍ବାର ରାଜ୍ୟ ସରକାରଙ୍କ ନିକଟକୁ ଚିଠି ଲେଖୁଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ସୁଫଳ ମିଳିନି। ଅଧ୍ୟାପକ ଅଭାବରୁ ଗତ କିଛି ବର୍ଷ ହେବ ପିଲାମାନଙ୍କ ପାଠପଢ଼ାରେ ବି ସମସ୍ୟା ସୃଷ୍ଟି ହେଉଛି। ଯୁକ୍ତ୨ ପରୀକ୍ଷା ଫଳ ବି ଆଶାନୁରୂପ ହୋଇପାରୁ ନାହିଁ।

ସମ୍ବନ୍ଧିତ ଖବର