ଧଉଳି: ଭୁବନେଶ୍ବର ବ୍ଲକ କଲ୍ୟାଣପୁର ଶାସନ ନୃସିଂହନାଥ ଦେବ ସରକାରୀ ଉଚ୍ଚ ବିଦ୍ୟାଳୟରେ ଦୀର୍ଘବର୍ଷ ଧରି ଲାଗି ରହିଥିବା ଶିକ୍ଷକ ଓ କର୍ମଚାରୀ ଅଭାବ ସମସ୍ୟା ଆଜି ଉଗ୍ରରୂପ ନେଇଛି। ସ୍ଥାନୀୟ ଅଭିଭାବକ ଏବଂ ଗ୍ରାମବାସୀ ପଞ୍ଚାୟତ ଜନ ପ୍ରତିନିଧିଙ୍କ ଠାରୁ ଆରମ୍ଭ କରି, ମନ୍ତ୍ରୀ ବ୍ଲକ ଶିକ୍ଷା ଅଧିକାରୀ ଓ ଖୋର୍ଧା ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ବାରମ୍ବାର ଜଣାଇବା ସତ୍ତ୍ବେ ଆବଶ୍ୟକ ସଂଖ୍ୟକ ଶିକ୍ଷକ ଓ କର୍ମଚାରୀ ନିଯୁକ୍ତି କରାଯାଉ ନଥିବା ନେଇ ତୀବ୍ର ଅସନ୍ତୋଷ ଦେଖା ଦେଇଛି। ଏହାର ପ୍ରତିବାଦରେ ଆଜି ଶିକ୍ଷା କମିଟି ଓ ଅଭିଭାବକମାନେ ସ୍କୁଲ ଗେଟ୍‌ ସମ୍ମୁଖରେ ପହଞ୍ଚିଥିଲେ। ଛାତ୍ରଛାତ୍ରୀ ଗେଟ୍‌ ନିକଟରେ ପହଞ୍ଚିବା ପରେ ସେମାନଙ୍କୁ ଶ୍ରେଣୀଗୃହକୁ ଛାଡ଼ିନଥିଲେ। ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ଗେଟ୍‌ ଆଗରେ ବସାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏମିତିକି ମଧ୍ୟାହ୍ନ ଭୋଜନ ନେଇ ଆସିଥିବା ଗାଡ଼ିକୁ ଫେରାଇ ଦେଇଥିଲେ। ଖବର ପାଇ ସରଦେଇପୁର କ୍ଲଷ୍ଟର ସିଆରସିସି ମମତା ଦେବୀ ପହଞ୍ଚି ଅଭିଭାବକଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ସେମାନେ କିଛି ଶୁଣିନଥିଲେ। ଦାବି ମୁତାବକ ଶିକ୍ଷକ ଓ କର୍ମଚାରୀ ନିଯୁକ୍ତି ନହେବା ପର୍ଯ୍ୟନ୍ତ ପ୍ରତିବାଦ ଜାରି ରହିବ ବୋଲି ସ୍କୁଲ ଏସଏମସି ସଭାପତି ଗୋବିନ୍ଦ ପ୍ରଧାନ କହିଛନ୍ତି।

Advertisment

ସୂଚନା ଅନୁସାରେ ଗତ ୩ ବର୍ଷ ହେବ ଉକ୍ତ ସ୍କୁଲରେ ଶିକ୍ଷକ କର୍ମଚାରୀ ସମସ୍ୟା ଲାଗି ରହିଛି। ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୨୦୦ରୁ ଅଧିକ ପିଲା ପାଠ ପଢ଼ନ୍ତି। ହେଲେ ପ୍ରଥମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ଏବେ ୩ ଜଣ ଓ ୯ମ ଓ ୧୦ମ ଛାତ୍ରଛାତ୍ରୀଙ୍କ ପାଇଁ ୨ ଜଣ ଶିକ୍ଷକ କାର୍ଯ୍ୟରତ ଅଛନ୍ତି। ସେହିପରି ଏଠାରେ ଜଣେ କିରାଣିଙ୍କୁ ନିଯୁକ୍ତ କରାଯାଇଥିଲେ ହେଁ ସେ ଅଧିକାଂଶ ସମୟ ଜିଲ୍ଲା ଦପ୍ତରରେ କାର୍ଯ୍ୟରତ ଥିବା ନେଇ ଅଭିଯୋଗ ହୋଇଛି। ପିଅନ ପଦବି ଖାଲିପଡ଼ିଥିବାରୁ ଛୁଟି ସମୟ ହେଲେ ପିଲାଏ ଘଣ୍ଟି ବାଡ଼େଇ ଥାନ୍ତି। ବିଦ୍ୟାଳୟରେ ଆବଶ୍ୟକ ଥିବା ଆଉ ୪ ଜଣ ଶିକ୍ଷକଙ୍କୁ ନିଯୁକ୍ତି ଦିଗରେ ଯଦି କର୍ତ୍ତୃପକ୍ଷ ଦୃଷ୍ଟି ନଦିଅନ୍ତି ତା’ ହେଲେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ଗ୍ରାମବାସୀ କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଏସଏମସି ସଦସ୍ୟ ରଞ୍ଜିତା ସ୍ବାଇଁ ଓ ପୁଷ୍ପଲତା ପ୍ରଧାନଙ୍କ ସମେତ ଗ୍ରାମବାସୀ ଉପସ୍ଥିତ ଥିଲେ।