ଭୁବନେଶ୍ବର: ଚନ୍ଦ୍ରଶେଖରପୁର ପ୍ରାଥମିକ ବିଦ୍ୟାଳୟରୁ ନୀଳାଦ୍ରିବିହାର ପ୍ରାଥମିକ ବିଦ୍ୟାଳୟ ମଧ୍ୟରେ ଦୂରତା ଦୁଇ କିଲୋମିଟର। ମାତ୍ର ଶିକ୍ଷୟିତ୍ରୀଙ୍କର ବଦଳି ହୋଇ ଯିବାକୁ ଆଗ୍ରହ ନାହିଁ। ସେହିପରି ଭରତପୁର ସରକାରୀ ସ୍କୁଲରୁ ଖଣ୍ଡଗିରିକୁ ବଦଳି ହୋଇ ଯିବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି ଶିକ୍ଷୟିତ୍ରୀ। ବରଂ ବଦଳି ରୋକିବାକୁ କିଏ ଗଣଶିକ୍ଷା ମନ୍ତ୍ରୀଙ୍କ ନିକଟରେ ପହଞ୍ଚୁଛନ୍ତି ତ ଆଉ କିଏ ପ୍ରାଥମିକ ଶିକ୍ଷା ନିର୍ଦେଶକଙ୍କ ନିକଟରେ ପିଟିସନ୍ ଫାଇଲ୍ କରୁଛନ୍ତି। ଗୁରୁତର ରୋଗରେ ଆକ୍ରାନ୍ତ ହେଇଥିବାରୁ ବଦଳି ନ କରିବାକୁ କେହି କେହି ଚାପ ବି ପକାଉଛନ୍ତି। ଏମିତିକି ବିଧାୟକଙ୍କ ନିକଟରେ ପହଞ୍ଚି ବଦଳି ରୋକିବାକୁ ଯଥାସାଥ୍ୟ ଉଦ୍ୟମ ଜାରି ରହିଛନ୍ତି। ଭୁବନେଶ୍ବର ମଧ୍ୟରେ ଗୋଟିଏ କ୍ଲଷ୍ଟରରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ବଦଳି କରାଯାଉଥିଲେ ମଧ୍ୟ ସେମାନେ ଯିବାକୁ କୁନ୍ଥକୁନ୍ଥ ହେଉଥିବା ନଜରକୁ ଆସିଛି।
ବିଦ୍ୟାଳୟଗୁଡ଼ିକର ଶିକ୍ଷକ-ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅନୁପାତ ସମାନ ଆଣିବାକୁ ଚାଲିଥିବା ବଦଳି ପ୍ରକ୍ରିୟାରେ ଏଭଳି ତଥ୍ୟ ସାମ୍ନାକୁ ଆସିଛି। ଭୁବନେଶ୍ବର ମହାନଗର ନିଗମ(ବିଏମ୍ସି) ଓ ଭୁବନେଶ୍ବର ବ୍ଲକ ଅଞ୍ଚଳରେ ଥିବା ବିଦ୍ୟାଳୟଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ତୁଳନାରେ ଆବଶ୍ୟକତାଠାରୁ ସାମାନ୍ୟ କମ୍ ଶିକ୍ଷକ ଶିକ୍ଷୟିତ୍ରୀ ରହିଛନ୍ତି। ତା'ପରେ ବି କେଉଁଠି ମେଞ୍ଚେ ତ ଆଉ କେଉଁଠି କେଞ୍ଚେ ନ୍ୟାୟରେ ଗୋଟିଏ ବିଦ୍ୟାଳୟରେ ୩୫୦ ପିଲାଙ୍କ ଲାଗି ୪ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଅଛନ୍ତି। ତ ଆଉ ଗୋଟିଏ ବିଦ୍ୟାଳୟରେ ୨୦୦ ଜଣ ପିଲାଙ୍କୁ ପଢ଼ାଇବାକୁ ୧୦ ଜଣ ରହିଛନ୍ତି। ସବୁ ବିଦ୍ୟାଳୟରେ ଶିକ୍ଷକ-ଛାତ୍ରଛାତ୍ରୀଙ୍କ ଅନୁପାତ ସମାନ ନ ଥିବାରୁ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ା ପ୍ରଭାବିତ ହେଉଛି। ଗୁଣାତ୍ମକ ଶିକ୍ଷା ପାଇବାରୁ ଛାତ୍ରଛାତ୍ରୀ ବଞ୍ଚିତ ହେଉଛନ୍ତି। ତାହାକୁ ନଜରରେ ରଖି ୨୦୨୧-୨୨ରେ 'ରେସନାଲାଇଜେସନ' କରିବାକୁ ନିଷ୍ପତ୍ତି ନିଆଯାଇଥିବା ବେଳେ ବଦଳି ହୋଇ ଯିବାକୁ ଶିକ୍ଷକ ଶିକ୍ଷୟିତ୍ରୀ କୁନ୍ଥକୁନ୍ଥ ହେବା ସମସ୍ୟା ସୃଷ୍ଟି କରିଛି।
ଆଶ୍ଚର୍ଯ୍ୟର ବିଷୟ ହେଉଛି ଯେ ପତ୍ନୀଙ୍କ ବଦଳି ରୋକିବା ଲାଗି ସ୍ବାମୀମାନେ ଆଗକୁ ଆସିଛନ୍ତି। ଗୋଟିଏ କ୍ଲଷ୍ଟରରେ ଜଣେ ଶିକ୍ଷୟିତ୍ରୀଙ୍କ ବଦଳି ହୋଇଛି। ମାତ୍ର ତାଙ୍କ ସ୍ବାମୀଙ୍କ ଯୁକ୍ତି ହେଉଛି ଯେ ମୋ ପତ୍ନୀ ସ୍କୁଟି ଶିଖିନାହାନ୍ତି। ତେଣୁ ୫ କିମି କେମିତି ଯିବେ। ପରିବାର କଥା କେମିତି ବୁଝିବେ। ତେଣୁ ତାଙ୍କ ବଦଳି ରୋକାଯାଉ। ସେହି ସ୍କୁଲରେ ରଖାଯାଉ। ନ ହେଲେ ଆହୁରି ପାଖ ସ୍କୁଲରେ ଦିଆଯାଉ। ଏମିତି ଢଙ୍ଗରେ ଗଣଶିକ୍ଷା ବିଭାଗ ଅଧିକାରୀଙ୍କ ନିକଟରେ ଦାବି କରୁଛନ୍ତି। କିଛି ଜଣ ଧମକ ଦେଉଥିବା ନେଇ ପ୍ରାଥମିକ ଶିକ୍ଷା ନିର୍ଦେଶକଙ୍କ ନିକଟରେ ଅଭିଯୋଗ ହେଲାଣି। କେବଳ ସେତିକି ନୁହେଁ, ସ୍ନାତକ/ ସ୍ନାତକୋତ୍ତର ଯୋଗ୍ୟତାଧାରୀ ଶିକ୍ଷକ ଶିକ୍ଷୟିତ୍ରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ପଢ଼ାଇବାକୁ ଆଗ୍ରହ ଦେଖାଉ ନାହାନ୍ତି। ଜଣେ ଶିକ୍ଷୟିତ୍ରୀଙ୍କର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପଢ଼ାଇବାକୁ ଯୋଗ୍ୟତା ଥିଲେ ମଧ୍ୟ ସେ ପ୍ରାଥମିକ ବିଦ୍ୟାଳୟରେ ରହିବାକୁ ପସନ୍ଦ କରୁଛନ୍ତି।
ଚନ୍ଦ୍ରଶେଖରପୁର ଅଞ୍ଚଳର ଜଣେ ଶିକ୍ଷୟିତ୍ରୀ ବଦଳି ରୋକିବାକୁ ପ୍ରାଥମିକ ଶିକ୍ଷା ନିର୍ଦେଶକଙ୍କ ନିକଟକୁ ଚିଠି ଲେଖିଥିବା ଜଣାପଡ଼ିବା ପରେ ଗୋଟିଏ ପରେ ଗୋଟିଏ ଘଟଣା ସାମ୍ନାକୁ ଆସୁଛି। ଶିକ୍ଷୟିତ୍ରୀ ଜଣକ ଡିସେମ୍ବର ୧୮ରେ ଚିଠି ଲେଖିଥିବା ବେଳେ ପ୍ରାଥମିକ ଶିକ୍ଷା ନିର୍ଦେଶକ ଜାନୁଆରି ୭ରେ ଭୁବନେଶ୍ବର ବ୍ଲକ ଶିକ୍ଷା ଅଧିକାରୀ(ବିଇଓ)ଙ୍କୁ ଚିଠି ଲେଖି ଏହା ଉପରେ ବିଚାର କରିବାକୁ କହିଛନ୍ତି। ଶିକ୍ଷୟିତ୍ରୀ ଜଣକ ଗୁରୁତର ରୋଗରେ ଆକ୍ରାନ୍ତ ହେବା, ପରିବାର ସମସ୍ୟା ସମ୍ପର୍କରେ ଜଣାଇଛନ୍ତି। ଏମିତିକି ସ୍କୁଲରେ ୧୫୨ ଜଣ ପିଲା ରହିଥିବାରୁ ୬ ଜଣ ଶିକ୍ଷକ ରହିବା କଥା। ତେଣୁ ସ୍କୁଲରୁ ଦୁଇ ଜଣଙ୍କ ବଦଳରେ ମୋଠାରୁ ବରିଷ୍ଠ ଶିକ୍ଷୟିତ୍ରୀଙ୍କୁ ବଦଳି କରିବାକୁ ଯୁକ୍ତି ବାଢ଼ିଛନ୍ତି।
ଭୁବନେଶ୍ବର ବିଇଓ ପ୍ରଜ୍ଞା ପାରମିତା ଜେନା କହିଛନ୍ତି ଯେ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ଲାଗି ବଦଳି କରାଯାଉଛି। ଯଦି ଗୋଟିଏ ସ୍କୁଲରେ ପିଲାଙ୍କ ଅନୁପାତରେ ଅଧିକ ଶିକ୍ଷକ ରହିଛନ୍ତି ତେବେ ସେଠାକାର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନିକଟସ୍ଥ ବିଦ୍ୟାଳୟକୁ ବଦଳି ହେଉଛି। ତା' ପୁଣି ସେହି କ୍ଲଷ୍ଟର ମଧ୍ୟରେ। ଯେଉଁ ସ୍କୁଲରେ ଅଧିକ ପିଲାଙ୍କୁ କମ୍ ଶିକ୍ଷକ ରହିଛନ୍ତି ସେଠାକୁ ବଦଳି କରାଯାଉଛି। ଏଥିରେ କୌଣସି ପାତରଅନ୍ତର ହେଉନି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/08/school-students-bkm-1.jpg)