ଚନ୍ଦ୍ରଶେଖରପୁର: ଶିକ୍ଷକମାନେ ହେଉଛନ୍ତି ସମାଜର ମେରୁଦଣ୍ଡ। ମଣିଷ ତିଆରି କାରଖାନାର ଅସଲ ଶିଳ୍ପୀ ହେଉଛନ୍ତି ଶିକ୍ଷକ। ସେମାନଙ୍କ ପରିଶ୍ରମ ଫଳରେ ସମାଜରେ ଅନେକ ମେଧାବୀ ସୃଷ୍ଟି ହେଉଛନ୍ତି। ପ୍ରତ୍ୟେକ ଗୁରୁ ଜଣେ ମା’ର ଭୂମିକା ନିର୍ବାହ କରୁଥିବାରୁ ଆଜି ସମାଜରେ ସଂସ୍କାର ବଞ୍ଚି ରହିଛି। ପଟିଆ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଚାଲିଥିବା ପ୍ରାଦେଶିକ ଆଚାର୍ଯ୍ୟ, ଆଚାର୍ଯ୍ୟାମାନଙ୍କ ପ୍ରଶିକ୍ଷଣ ଶିବିରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ଏଭଳି କହିଛନ୍ତି।
ଏହି ଅବସରରେ ସେ ଆହୁରି କହିଥିଲେ ଯେ ଆଜିର ଶିକ୍ଷକମାନେ ନିଜ ଆଖପାଖରେ ଉପୁଜୁଥିବା ପରିସ୍ଥିତିକୁ ଜାଣିବା ସହ ଅନ୍ୟମାନଙ୍କୁ ଜଣାଇବା ଦରକାର। ଏହି ବୃତ୍ତିକୁ ଆନନ୍ଦର ସହ ଗ୍ରହଣ କଲେ, ଆଗାମୀ ଦିନରେ ଅନେକ ଭଲ ମଣିଷ ତିଆରି ହେବେ। ସୂଚନାଯୋଗ୍ୟ ଯେ ଏହି ଶିବିରରେ ପ୍ରାୟ ୩୦୦ରୁ ଅଧିକ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଛନ୍ତି ଏବଂ ଶିକ୍ଷାଦାନ, ଯୋଗ, ଚିତ୍ରାଙ୍କନ, ଆଧ୍ୟାତ୍ମିକତା ଏବଂ ବ୍ୟକ୍ତିଗତ ଦକ୍ଷତା ବିକାଶ ପାଇଁ ପ୍ରଶିକ୍ଷଣ ନେଉଛନ୍ତି। ଗତ ୩୦ ତାରିଖରୁ ଏହି ଶିବିର ଆରମ୍ଭ ହୋଇଛି ଏବଂ ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଏହା ଚାଲୁରହିବ। ଆଜି ସଂଧ୍ୟାରେ ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ ଓଡ଼ିଶାର ମହାସଚିବ କରୁଣାକର ପ୍ରଧାନ ଏବଂ ପଟିଆ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପ୍ରଧାନ ଆଚାର୍ଯ୍ୟ ରାଜେଶ କୁମାର ପାଣି ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଆଚାର୍ଯ୍ୟ ଗୌରାଙ୍ଗ କୁମାର ବିଶ୍ବାଳ ଶିବିର ପରିଚାଳନା କରିଥିଲେ।