ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ମନ୍ତ୍ରୀଙ୍କ ବାସଭବନ ଘେରିଲେ ଶିକ୍ଷକ

ଭୁବନେଶ୍ୱର : ରାଜ୍ୟ ସ୍ୱତନ୍ତ୍ର ବିଦ୍ୟାଳୟ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ସମନ୍ଵୟ ସମିତି ପକ୍ଷରୁ ଆଜି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ମନ୍ତ୍ରୀଙ୍କ ସରକାରୀ ବାସଭବନ ଘେରାଉ କରାଯାଇଥିଲା। ସଂଗଠନର ସଭାପତି ଯୁଧିଷ୍ଠିର ଖଟୁଆଙ୍କ ନେତୃତ୍ୱରେ ରାଜ୍ୟର ୫୧ଟି ଅନୁଦାନପ୍ରାପ୍ତ ସ୍କୁଲର ଶିକ୍ଷକ ଓ ଅଣଶିକ୍ଷକମାନେ ଘେରାଉରେ ସାମିଲ ହୋଇଥିଲେ। ଏହି ବିଦ୍ୟାଳୟରେ କାର୍ଯ୍ୟରତ ୭ଶହ ଶିକ୍ଷକ ଓ ଅଣଶିକ୍ଷକଙ୍କୁ ଚାକିରି ସର୍ତାବଳୀ ସହିତ ପେନସନ୍‌ ପ୍ରଦାନ କରିବାକୁ ଦାବି ହୋଇଥିଲା।

ଏ ସଂପର୍କରେ ସଂଘ ପକ୍ଷରୁ ଅର୍ଥମନ୍ତ୍ରୀ, ବିଭାଗୀୟ ମନ୍ତ୍ରୀ, ଉଭୟ ବିଭାଗର ସଚିବ ଏବଂ ଅନ୍ୟ ଉଚ୍ଚସ୍ତରୀୟ ଅଧିକାରୀଙ୍କ ଉପସ୍ଥିତିରେ ଡିସେମ୍ବର ୨୨ ଓ ୨୭ତାରିଖରେ ଏକ ବୈଠକ ଅନୁଷ୍ଠିତ ହେବା ସହିତ ଶିକ୍ଷକ ଓ ଅଣଶିକ୍ଷକମାନଙ୍କୁ ଚାକିରିର ସର୍ତାବଳୀ ସହ ପେନସନ୍‌ ପ୍ରଦାନ କରିବା ଉପରେ ଆଲୋଚନା ହୋଇଥିଲା। ଆଲୋଚନାକୁ ୮ମାସ ବିତିଥିଲେ ହେଁ ସରକାରଙ୍କ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିବାରୁ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି। ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ସଂଘ ପକ୍ଷରୁ ଦାବି ହୋଇଛି।

ଧାରଣାରେ ସମ୍ପାଦକ ସମରେନ୍ଦ୍ର ସାହୁ, ରତ୍ନାକର ପ୍ରଧାନ, ଶରତ ଚନ୍ଦ୍ର ମଲ୍ଲିକ, ଶୁଭେନ୍ଦୁ ଦାସ, ସୁରେନ୍ଦ ଦାସ, ଶେଫାଳୀ କର୍ମକାର, ସବିତା ପରିଡ଼ା, ରାଜକିଶୋର ରାୟ, ପ୍ରମୋଦ ବେହେରା, ଉମାକାନ୍ତ ଷଡ଼ଙ୍ଗୀ, ଅର୍ଚ୍ଚନା ରାୟ, ଶରତ ସାମନ୍ତରାୟ, ଆରତୀ ମହାନ୍ତି, ଦୁର୍ଯ୍ୟଧନ ରାଉତ, ତନୁଜା ସିଂ, ସଂଯୁକ୍ତା ସାମନ୍ତରାୟ, ମହାଦେବ ପରିଡ଼ା ଓ କବିତା ଦେବୀ ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର