କଳା ଦିବସ ଭାବେ ପାଳନ ହେବ ଗୁରୁଦିବସ

ବେସରକାରୀ ଅନୁଦାନ ଓ ଅଣ ଅନୁଦାନ ଶିକ୍ଷକ ଏବଂ ଅଣ ଶିକ୍ଷକ କର୍ମଚାରୀ ସଂଘର ଚେତାବନୀ

ଭୁବନେଶ୍ୱର: ସରକାର ସମସ୍ୟା ସମାଧାନ ନ କଲେ ଆସନ୍ତା ‘ଗୁରୁ ଦିବସ’କୁ କଳା ଦିବସ ଭାବରେ ପାଳନ କରାଯିବ। ଏଭଳି ଚେତାବନୀ ଦେଇଛି ବେସରକାରୀ ଅନୁଦାନ ଓ ଅଣ ଅନୁଦାନ ପ୍ରାପ୍ତ ଶିକ୍ଷକ ଏବଂ ଅଣ ଶିକ୍ଷକ କର୍ମଚାରୀ ସଂଘ। ୨୦୦୮ ଜୁନ୍ ୧ରୁ ୨୦୧୩ ନଭେମ୍ବର ୩୦ ପର୍ଯ୍ୟନ୍ତ ସରକାରୀ କର୍ମଚାରୀ ଅନ୍ତର୍ଭୁକ୍ତ ହୋଇନଥିବା ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନେ ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କୁ ଆଜି ଏହି ଚେତାବନୀ ଦେଇଛନ୍ତି। ସେମାନେ କହିଛନ୍ତି ଯେ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ସେମାନଙ୍କୁ ବିଭିନ୍ନ ମହାବିଦ୍ୟାଳୟ ଦ୍ୱାରା ନିଯୁକ୍ତି ଦିଆଯାଇଛି। ଓଡ଼ିଶାର ପ୍ରାୟ ୩ଶହ ମହାବିଦ୍ୟାଳୟର ୩ ହଜାର ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ସ୍ୱଳ୍ପ ବେତନରେ ଦୀର୍ଘ ୧୧ବର୍ଷ ହେଲା କାର୍ଯ୍ୟ କରୁଛନ୍ତି। ସରକାରଙ୍କ ନିୟମ ଅନୁଯାୟୀ, ୭ଘଣ୍ଟl କାର୍ଯ୍ୟ କରୁଥିବା ବାୟାମେଟ୍ରିକ୍ ମେସିନ୍‌ରେ ପ୍ରମାଣ ରହିଛି। ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀଙ୍କୁ ସ୍ଥାୟୀ କରିବା ପାଇଁ ରାଜ୍ୟ ସରକାରଙ୍କୁ ତାଲିକା ପ୍ରଦାନ କରାଯାଇଛି। କିନ୍ତୁ ଉଚ୍ଚଶିକ୍ଷା ନିର୍ଦ୍ଦେଶାଳୟ ଏମାନଙ୍କୁ ସରକାରୀ କର୍ମଚାରୀ ଅନ୍ତର୍ଭୁକ୍ତ କରିନାହାନ୍ତି। ତେଣୁ ଚାକିରି ସର୍ତ୍ତାବଳୀ ସହ ପୂର୍ଣ୍ଣ ଅନୁଦାନ ଦିଆନଗଲେ ଏହି ଗୁରୁ ଦିବସକୁ କଳା ଦିବସ ଭାବେ ପାଳନ କରାଯିବ। ଏହାସହ ଆଗକୁ ଆନ୍ଦୋଳନ ଜୋରଦାର ହେବ ବୋଲି ସଂଘର ସଭାପତି ଡ. ଦେବ ବିଜୟୀ ମିଶ୍ର, ସାଧାରଣ ସମ୍ପାଦକ ଅଭୟ କୁମାର ପ୍ରଧାନ, କୋଷାଧ୍ୟକ୍ଷ ଦିବ୍ୟକାନ୍ତ ତିପାଠୀ, ଆବାହକ ବିମଳ ଚନ୍ଦ୍ର ନନ୍ଦୀ, ରଜ୍ୟ ସଂଯୋଜକ ସନ୍ତୋଷ କୁମାର ରାୟ ପ୍ରମୁଖ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର