ବାପା ପୋଷ୍ଟାଲ ବିଭାଗରେ ଜଣେ କିରାଣି ଥିଲେ। ପରିବାର ପାଖରେ ଏତେ ପଇସା ନଥିଲା ଯେ ନାମୀଦାମୀ ଇଂରାଜୀ ମାଧ୍ୟମ ସ୍କୁଲରେ ପଢ଼ିଥା’ନ୍ତେ। ତେଣୁ ସରକାରୀ ହିନ୍ଦୀ ବିଦ୍ୟାଳୟରେ ନାମ ଲେଖାଇଲେ। ଗଣିତ ପ୍ରତି ଅହେତୁକ ଦୁର୍ବଳତା ତାଙ୍କୁ ନୂଆ ନୂଆ ଶିଖରରେ ପହଞ୍ଚାଇଲା। ବିହାରର ପାଟଣା ହାଇସ୍କୁଲ୍ରେ ପଢ଼ା ସରିବା ପରେ ସ୍ନାତକୋତ୍ତରରେ ଗଣିତ ଉପରେ ଅନେକ ଗବେଷଣାତ୍ମକ ନିବନ୍ଧ ଦାଖଲ କଲେ। ପରେ ତାହା ପ୍ରକାଶିତ ବି ହୋଇଥିଲା। ଉଚ୍ଚତର ଶିକ୍ଷା ପାଇଁ କେମ୍ବ୍ରିଜ୍ ବିଶ୍ବବିଦ୍ୟାଳୟରୁ ଡକରା ବି ଆସିଲା। କିନ୍ତୁ ଭାଗ୍ୟର ସହଯୋଗ ମିଳିଲାନି। ସେତିକିବେଳେ ପିତାଙ୍କ ମୃତ୍ୟୁ ଓ ପରିବାରର ଆର୍ଥିକ ସମସ୍ୟା ତାଙ୍କ ପାଦକୁ ପଛରୁ ଟାଣି ଧରିଲା। କିନ୍ତୁ ଏହା ତାଙ୍କ ଜୀବନ ବଦଳାଇଦେଲା। ନିଜେ ସିନା ସଫଳତାର ସ୍ବାଦ ଚାଖି ପାରିଲେନି, କିନ୍ତୁ ଶହ ଶହ ଗରିବ ମେଧାବୀ ପିଲାଙ୍କୁ ପାଠ ପଢ଼ାଇ ଯୋଗ୍ୟ କରି ସେମାନଙ୍କ ସଫଳତାର କାରଣ ପାଲଟିଲେ। ମାଗଣାରେ ପାଠ ପଢ଼ାଇ ଆଜି ପର୍ଯ୍ୟନ୍ତ ସେ ୪୨୨ଜଣ ମେଧାବୀଙ୍କୁ ଆଇଆଇଟିରେ ଉତ୍ତୀର୍ଣ୍ଣ କରାଇପାରିଛନ୍ତି। ତାଙ୍କର ଏହି ମହାନ୍ କାମ ତାଙ୍କୁ ଏତେ ପ୍ରସିଦ୍ଧ କରିଦେଲା ବଲିଉଡ୍ ବି ତାଙ୍କ ଜୀବନୀ ଓ କୃତି ଉପରେ ଚଳଚ୍ଚିତ୍ର ନ କରି ରହିପାରିଲାନି। ସେ ଆଉ କେହି ନୁହେଁ ହ୍ରିତିକ୍ ରୋଶନ୍ଙ୍କ ଚର୍ଚ୍ଚିତ ଚଳଚ୍ଚିତ୍ର ‘ସୁପର୍-୩୦’ର ପରଦା ପଛର ନାୟକ ଆନନ୍ଦ କୁମାର। ଭୁବେନଶ୍ବରକୁ ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ସେ ଆସିଥିବା ବେଳେ ‘ସମ୍ବାଦ’ ପକ୍ଷରୁ ଶୁଭ୍ରଜିତ୍ ବଳିଆରସିଂହଙ୍କ ସହ ତାଙ୍କର ସ୍ବଳ୍ପ ଆଳାପ...
ପ୍ର. ଆପଣଙ୍କ ପଢ଼ା ଶୈଳୀ କାହିଁକି ପିଲାଙ୍କୁ ଆକୃଷ୍ଟ କରେ ବୋଲି ଭାବୁଛନ୍ତି?
ଉ. ମୁଁ ଜଣେ ଶିକ୍ଷକ ଭାବେ ପାଠ ପଢ଼ାଏନି। ପିଲାଙ୍କ ଭାବନାର ସ୍ତର, ବୁଝିବା ଶୈଳୀକୁ ପ୍ରଥମେ ଜାଣିବାକୁ ଚେଷ୍ଟା କରେ। ସେମାନେ ଯେଉଁ ଶୈଳୀରେ ପାଠ ପଢ଼ିବା ବା ବୁଝିବା ପାଇଁ ସହଜ ଅନୁଭବ କରନ୍ତି, ମୁଁ ସେହି ଅନୁସାରେ ପଢ଼ାଏ। ଗୋଟିଏ ପାଠକୁ ବୁଝିବା ଯାଏ ପଢ଼ାଇଥାଏ। ପାଠ ତାଙ୍କ ମୁଣ୍ଡରେ ଖୁନ୍ଦି ନ ଦେବା ପର୍ଯ୍ୟନ୍ତ ମୁଁ ହାର୍ ମାନେନି। ତେଣିକି ମୋତେ ଯେତେ କଷ୍ଟ ପଡ଼ୁ ପଛେ। ମୋ ମତରେ ସବୁ ଶିକ୍ଷକଙ୍କ ପାଖରେ ଏମିତି ଧୈର୍ଯ୍ୟ ରହିବା ଉଚିତ।
ପ୍ର. ସଫଳତା ପାଇବା ପାଇଁ ଜଣେ ବିଦ୍ୟାର୍ଥୀ କ’ଣ କରିବା ଉଚିତ?
ଉ. ସକାରାତ୍ମକ ଚିନ୍ତାଧାରା, ଆତ୍ମବିଶ୍ବାସ, ଜିଜ୍ଞାସା ମନୋଭାବ, ନିରନ୍ତର ପ୍ରୟାସ ଓ ଅସୀମ ଧୈର୍ଯ୍ୟ ସବୁ ସଫଳତାର ଚାବିକାଠି। ବିଦ୍ୟାର୍ଥୀମାନେ ଏସବୁ ଗୁଣର ଅଧିକାରୀ ହୋଇପାରିଲେ ନିଶ୍ଚିତ ଭାବେ ସଫଳତା ମିଳିବ।
ପ୍ର. ଆପଣଙ୍କ ସୁପର୍-୩୦ର ପରିକଳ୍ପନା କେବେ କରିଥିଲେ? ଏହାର ଉଦ୍ଦେଶ୍ୟ କ’ଣ?
ଉ. ୨୦୦୨ ମସିହାରୁ ସୁପର୍-୩୦ର ପରିକଳ୍ପନା କରିଥିଲି। ସେତେବେଳେ ହଠାତ୍ ବାପା ଆମ ସମସ୍ତଙ୍କୁ ଛାଡ଼ି ଚାଲିଗଲେ। ପରିବାରର ଆର୍ଥିକ ସମସ୍ୟା ଏତେ ଥିଲା ଯେ କେମ୍ବ୍ରିଜ୍ ବିଶ୍ବବିଦ୍ୟାଳୟରେ ନାଁ ଲେଖାଇବାକୁ ଯୋଗ୍ୟ ବିବେଚିତ ହୋଇଥିଲେ ହେଁ ସେଥିରୁ ବଞ୍ଚିତ ହୋଇଥିଲି। ସେହି ଦିନଠାରୁ ମୋର ଲକ୍ଷ୍ୟ ଥିଲା, ଗରିବ ମେଧାବୀ ପିଲାଙ୍କୁ ପାଠ ପଢ଼ାଇବି। ଟ୍ୟୁସନ୍ କରି ଯେତିକି ପଇସା ପାଉଥିଲି, ସେଇଥିରେ ଗରିବ ପିଲାଙ୍କୁ ମାଗଣାରେ ପଢ଼ାଇଲି। ତାହା ମୋତେ ଆଜି ଆତ୍ମସନ୍ତୋଷ ଦେଇଛି।
ପ୍ର. ଆପଣ କିପରି ସୁପର୍-୩୦ ବାଛିଥା’ନ୍ତି?
ଉ. ପ୍ରତିବର୍ଷ ସୁପର୍-୩୦ ପ୍ରୋଗ୍ରାମ୍ ମାଧ୍ୟମରେ ଏକ ପରୀକ୍ଷା କରାଯାଇଥାଏ। ଯେଉଁ ମେଧାବୀ ଛାତ୍ରଛାତ୍ରୀଙ୍କ ପରିବାର ଆର୍ଥିକ ଦୃଷ୍ଟିରୁ ସ୍ବଚ୍ଛଳ ନୁହେଁ, ସେମାନଙ୍କୁ ଏହି ପରୀକ୍ଷା ମାଧ୍ୟମରେ ଚୟନ କରାଯାଇଥାଏ। ଚୟନ ହେବା ପରେ ସେମାନଙ୍କୁ ମାଗଣା ଖାଇବାଠାରୁ ଆରମ୍ଭ କରି ଶିକ୍ଷା ପ୍ରଦାନ କରାଯାଇଥାଏ।
ପ୍ର. ଏ ମହତ୍ ଉଦ୍ଦେଶ୍ୟ ପଛରେ ଆପଣଙ୍କ ପରିବାରର ସହଯୋଗ କିପରି?
ଉ. ମୋ ମା’ର ଆଶୀର୍ବାଦ ପାଇଁ ମୋର ଏ ଅଭିଯାନ ସଫଳ ହୋଇପାରିଛି। ମା’ ଜୟନ୍ତୀ ଦେବୀ ସେହି ପିଲାଙ୍କ ପାଇଁ ପ୍ରତିଦିନ ରୋଷେଇ କରିଥା’ନ୍ତି। ଭାଇ ପ୍ରଣବ କୁମାର ପିଲାଙ୍କ ଯତ୍ନ ନିଅନ୍ତି। ମୋ ପତ୍ନୀ ରିତୁ ରଶ୍ମି ବି ପିଲାଙ୍କୁ ପାଠ ପଢ଼ାନ୍ତି। ତେଣୁ ଏ ଅଭିଯାନରେ ପୂରା ପରିବାର ମୋ’ ସହ ଅଛି।
ପ୍ର. ଏ ପ୍ରକାର ଅଭିଯାନ ଆରମ୍ଭ କରି ଆପଣ କେତେ ସନ୍ତୁଷ୍ଟ?
ଉ. ୨୦୦୨ରୁ ଆଜି ପର୍ଯ୍ୟନ୍ତ ଏହି ସୁପର୍-୩୦ରୁ ଅନେକ ପ୍ରତିଭା ବାହାରି ଦେଶ ବିଦେଶରେ ଚାକିରି କରୁଛନ୍ତି। ଗୁଗୁଲ୍ଠାରୁ ଆରମ୍ଭ କରି ‘ନାସା’ ଭଳି ଉଚ୍ଚ ସଂସ୍ଥାମାନଙ୍କରେ ସୁପର୍-୩୦ର ପ୍ରତିଭାମାନେ କାର୍ଯ୍ୟ ତୁଲାଉଛନ୍ତି। ମୋ’ ଅଧୁରା ସ୍ବପ୍ନ ପୂରଣ ହୋଇଛି।
ପ୍ର. ଓଡ଼ିଶାର ଛାତ୍ରଛାତ୍ରୀଙ୍କ ପାଇଁ ଆପଣ ଏହି ସୁପର ୩୦ର ପରିକଳ୍ପନା କରିବେ?
ଉ. ମୁଁ ଓଡ଼ିଶାରେ ଏହି କାର୍ଯ୍ୟ ଆରମ୍ଭ କରିବାକୁ ଭାବିଛି। ମାତ୍ର ଓଡ଼ିଶା ସରକାର ଯଦି ଜମି ଯୋଗାଇବେ ତେବେ ମୁଁ ନିଶ୍ଚିତ ଭାବେ ଓଡ଼ିଶାର ଅର୍ଥାଭାବରୁ ଆଇଆଇଟି ପ୍ରସ୍ତୁତି ପାଠପଢ଼ାରୁ ବଞ୍ଚିତ ହେଉଥିବା ଛାତ୍ରଛାତ୍ରୀଙ୍କୁ ମାଗଣାରେ ଶିକ୍ଷାଦାନ କରିବି।
ପ୍ର. ଆପଣ ଏକାଧିକବାର ଓଡ଼ିଶା ଆସିଛନ୍ତି, ଏଠାକାର ପିଲାଙ୍କ ମଧ୍ୟରେ ପାଠପଢ଼ାକୁ ନେଇ କେତେ ଉତ୍ସାହ ଦେଖୁଛନ୍ତି?
ଉ. ଓଡ଼ିଶା ପିଲାଙ୍କ ମଧ୍ୟରେ ପାଠପଢ଼ାକୁ ନେଇ ପ୍ରବଳ ଆଗ୍ରହ ଓ ଉତ୍କଣ୍ଠା ରହିଛି। କିଛି ପିଲା ଅର୍ଥାଭାବରୁ ନିଜ ପ୍ରତିଭାକୁ ବାହାରକୁ ଆଣି ପାରୁନାହାନ୍ତି। ଆଗାମୀ ଦିନରେ ଓଡ଼ିଶାର ପିଲାଙ୍କୁ ସୁପର୍-୩୦ରେ ସାମିଲ କରିବାକୁ ଯୋଜନା କରିଛି।