ହଷ୍ଟେଲ୍‌ରୁ ଶିକ୍ଷୟିତ୍ରୀଙ୍କ ଝୁଲନ୍ତା ଶବ ଉଦ୍ଧାର

ଖଣ୍ଡଗିରି/ବାରଙ୍ଗ: ମଳିପଡ଼ା ପଞ୍ଚାୟତ ଗୋଠପାଟଣା ସ୍ଥିତ ଏକ ଘରୋଇ ଶିକ୍ଷାନୁଷ୍ଠାନର ହଷ୍ଟେଲ୍‌ରୁ ଚନ୍ଦକା ଥାନା ପୁଲିସ ଜଣେ ଶିକ୍ଷୟିତ୍ରୀଙ୍କ ଝୁଲନ୍ତା ଶବ ଉଦ୍ଧାର କରିଛି। ସେ ହେଲେ କାଦମ୍ବିନୀ ରାୟ(୩୦)। ଘର ଜଗତସିଂପୁର ଜିଲ୍ଲା ନାଉଗାଁ ଥାନା ଅଧୀନ ଗୋପୀନାଥ ତୋଟା ଗ୍ରାମରେ। ସେ ଗତ ଫେବ୍ରୁଆରି ମାସ ୧ ତାରିଖରେ ଶିକ୍ଷୟିତ୍ରୀ ଭାବେ ନିଯୁକ୍ତି ପାଇ କାମ କରୁଥିଲେ। ମଙ୍ଗଳବାର ସକାଳେ ସେ ଦୁଇଟି ଶ୍ରେଣୀରେ ଶିକ୍ଷାଦାନ କରି ହଷ୍ଟେଲ୍‌କୁ ଫେରିଥିଲେ। ମାତ୍ର ଦୀର୍ଘ ସମୟ ଧରି କବାଟ ଓ ଝରକା ବନ୍ଦ କରି ରହିଥିଲେ। ସନ୍ଦେହ ହେବାରୁ ଅନ୍ୟ ଶିକ୍ଷକ/ଶିକ୍ଷୟିତ୍ରୀ ଓ କର୍ମଚାରୀମାନେ ତାଙ୍କୁ ବାହାରୁ ଡାକିଥିଲେ। ମାତ୍ର କିଛି ଉତ୍ତର ନମିଳିବାରୁ କବାଟ ଭାଙ୍ଗି ଭିତରକୁ ପଶିଥିଲେ। ଘର ଭିତରେ ଶିକ୍ଷୟିତ୍ରୀ ଜଣକ ଫ୍ୟାନ୍‌ରେ ଝୁଲୁଥିବା ଦେଖିଥିଲେ। ଖବରପାଇ ଚନ୍ଦକା ଥାନା ପୁଲିସ ଶବ ଜବତ କରିଥିଲା। ଏ ନେଇ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ୍‌ ହସ୍ପିଟାଲ୍‌ ପଠାଇଛି। ମୃତ ଶିକ୍ଷୟିତ୍ରୀଙ୍କର ଆର୍ଥିକ ଅବସ୍ଥା ଭଲ ନଥିଲା। ଗତ ଛ’ ମାସ ମଧ୍ୟରେ ତାଙ୍କ ବାପା ଓ ମା’ଙ୍କର ମୃତ୍ୟୁ ହୋଇ ଯାଇଥିବାରୁ ତାଙ୍କର ମାନସିକ ଅବସ୍ଥା ଭଲ ନଥିବା ପୁଲିସ ଜାଣିବାକୁ ପାଇଛି। ତେବେ ପୁଲିସ ଏହି ଘଟଣାର ଅଧିକ ତଦନ୍ତ କରୁଛି।

ସମ୍ବନ୍ଧିତ ଖବର