ବାଲିଅନ୍ତା : ସମସ୍ୟା ଘେରରେ ବାଲିଅନ୍ତା ବ୍ଲକ ଅଧୀନ ସୁଭାଲୋ ଉଚ୍ଚ ପ୍ରାଥମିକ ସ୍କୁଲ। ଅଞ୍ଚଳର ସର୍ବପୁରାତନ ଏହି ଶିକ୍ଷାନୁଷ୍ଠାନ ୨୦୦୬ ମସିହାରେ ତା’ର ସୁବର୍ଣ୍ଣ ଜୟନ୍ତୀ ପାଳନ କରି ସାରିଛି। ୬୩ ବର୍ଷର ପୁରୁଣା ଏହି ସ୍କୁଲ ଏବେ ଅବ୍ୟବସ୍ଥା ଦେଇ ଗତି କରୁଛି। ଶିକ୍ଷାଦାନଠାରୁ ଆରମ୍ଭ କରି ବିଭିନ୍ନ ସମସ୍ୟାରେ ସ୍କୁଲ ଛନ୍ଦି ହୋଇ ରହିଛି।

Advertisment

ଏଠାରେ ଅଧ୍ୟୟନ କରି ଅନେକ ଛାତ୍ରଛାତ୍ରୀ ସଂପ୍ରତି ପ୍ରଶାସନର ବହୁ ଉଚ୍ଚ ପଦପଦବିରେ କାର୍ଯ୍ୟରତ। ହେଲେ ସୁନାମ ଅର୍ଜନ କରିଥିବା ଏହି ସ୍କୁଲ ପ୍ରତି ପ୍ରଶାସନର ଦୃଷ୍ଟି ପଡ଼ୁନାହିଁ। ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ସ୍କୁଲର ଭିତ୍ତିଭୂମି ବିକାଶ କାର୍ଯ୍ୟଠାରୁ ଆରମ୍ଭ କରି ଯାତାୟାତ, ରାସ୍ତା, ପରିମଳ, ଖେଳପଡ଼ିଆ ଜବରଦଖଲ, ପ୍ରାଚୀର ଓ ଶିକ୍ଷକ ସମସ୍ୟା ଲାଗି ରହିଛି। ଉପରୋକ୍ତ ସମସ୍ୟାର ସମାଧାନ ନେଇ ଗ୍ରାମବାସୀମାନେ ଅନେକବାର ସ୍ଥାନୀୟ ଜନ ପ୍ରତିନିଧିଙ୍କଠାରୁ ଆରମ୍ଭ କରି ବିଭାଗୀୟ କର୍ତୃପକ୍ଷଙ୍କ ନିକଟରେ ଲିଖିତ ଭାବେ ଅଭିଯୋଗ କରିଆସୁଥିଲେ ହେଁ ଏଯାଏ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନାହିଁ। ଏହାର ପ୍ରତିବାଦରେ ସ୍ଥାନୀୟ ଲୋକେ ବାଲିଅନ୍ତା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି।

ସ୍କୁଲରେ ପ୍ରଥମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ୭୦ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି। ୮ଟି ଶ୍ରେଣୀ ପାଇଁ ୪ଜଣ ଶିକ୍ଷକ ନିଯୁକ୍ତ ହୋଇଛନ୍ତି। ଗତ ଜୁଲାଇ ମାସରେ ପ୍ରଧାନ ଶିକ୍ଷକ ଅବସର ନେଇଥିବା ବେଳେ ତାଙ୍କ ସ୍ଥାନରେ ଆଉ କାହାକୁ ନିଯୁକ୍ତି ଦିଆଯାଇ ନାହିଁ। ଶ୍ରେଣୀ ସଂଖ୍ୟା ଅନୁପାତରେ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତ ହୋଇନଥିବାରୁ ପାଠପଢ଼ାରେ ଘୋର ବ୍ୟାଘାତ ସୃଷ୍ଟି ହେଉଛି। ୩ ଜଣ ଶିକ୍ଷକଙ୍କ ମଧ୍ୟରୁ ଜଣେ ଶିକ୍ଷୟିତ୍ରୀ ପ୍ରସବକାଳୀନ ଛୁଟି ନେବାକୁ ଆବେଦନ କରିଛନ୍ତି। ଗ୍ରାମ ଶିକ୍ଷା କମିଟି ତୁରନ୍ତ ଆବଶ୍ୟକ ଶିକ୍ଷକ ପଦବି ପୂରଣ ପାଇଁ ଦାବି କରିଛି। ସେହିପରି ସ୍କୁଲ ଚାରିପାଖରେ ପାଚେରି ନଥିବାରୁ ପିଲାଙ୍କ ସୁରକ୍ଷା ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସ୍କୁଲ ପରିସର ବୁଲା ଗୋରୁ ଓ ଅସାମାଜିକ ବ୍ୟକ୍ତିଙ୍କ ଆଡ଼ା ପାଲଟିଛି। ପରିମଳ ବ୍ୟବସ୍ଥା ବି ବିଗିଡ଼ି ଯାଇଛି। କେନାଲ ବନ୍ଧ ଓ ସ୍କୁଲ ପ୍ରବେଶ ରାସ୍ତାରେ ଲୋକମାନେ ମଳତ୍ୟାଗ କରୁଥିବାରୁ ପିଲାମାନେ ସ୍କୁଲକୁ ଯିବା ଆସିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଜବରଦଖଲକାରୀଙ୍କ କବଜାରେ ଖେଳପଡ଼ିଆ ରହିଥିବାରୁ ଛାତ୍ରଛାତ୍ରୀମାନେ ଖେଳକୁଦରୁ ବଞ୍ଚିତ ହେଉଛନ୍ତି। ଏହାର ସମାଧାନ ପାଇଁ ଗ୍ରାମବାସୀ ଦାବି କରିଛନ୍ତି।