ନ୍ୟାୟ ପାଇଁ ଲୋକସେବା ଭବନ ସମ୍ମୁଖରେ ବସିଲେ ଶିକ୍ଷୟିତ୍ରୀ

ଭୁବନେଶ୍ବର: ବକେୟା ଦରମା ପ୍ରଦାନ ସହ ଚାକିରି ସୁରକ୍ଷା ଦାବି ନେଇ ଆଜି ଶିକ୍ଷୟିତ୍ରୀ ଅନୁପମା ବିଶ୍ବାଳ ଲୋକସେବା ଭବନ ସମ୍ମୁଖରେ ଧାରଣାରେ ବସିଥିଲେ। ମୁଖ୍ୟ ଶାସନ ସଚିବଙ୍କୁ ଭେଟିବାକୁ ଆସିଥିବା ସମୟରେ ତାଙ୍କୁ ପାସ୍ ପ୍ରଦାନ ନେଇ ଅଣଦେଖା କରିବା ପରେ ସେ ଲୋକସେବା ଭବନ ସମ୍ମୁଖରେ ଧାରଣା ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଷ୍ଟେସନ୍‌ରେ ଛାଡ଼ଥିଲା।

ଅନୁପମାଙ୍କ ଅଭିଯୋଗ, ଜଣେ ସମୟାନୁବର୍ତ୍ତୀ ଶିକ୍ଷୟିତ୍ରୀ ଭ‌ାବେ ସେ ଅନୁଗୁଳ ମ୍ୟୁନିସିପାଲିଟି ଅଧୀନରେ ଥିବା ଘାସିସାହି ପ୍ରାଥିମକ ବିଦ୍ୟାଳୟରେ କାର୍ଯ୍ୟ କରୁଛନ୍ତି। ମାତ୍ର ସେହି ସ୍କୁଲରେ ବ୍ୟାପକ ଅନିୟମିତତା ହେଉଛି। ପିଲାମାନଙ୍କୁ ଠିକ୍‌ରେ ମଧ୍ୟାହ୍ନ ଭୋଜନ ଦିଆଯାଉନାହିଁ। ଏ ସବୁ ସଂପର୍କରେ ଅଭିଯୋଗ କ‌ରିବାରୁ ତାଙ୍କ ବିରୋଧରେ କିଛି ବ୍ୟକ୍ତି ଚକ୍ରାନ୍ତ କରିବା ଆରମ୍ଭ କରି ଦେଇଛନ୍ତି। ବାରମ୍ବାର ମିଛ ମାମଲା କରାଯିବା ସହ ଏକାଧିକ ବାର ବଦଳି ଓ ଦରମା ବନ୍ଦ କରି ଦିଆଯାଇଛି। ଏପରିକି ମ୍ୟୁନିସିପାଲିଟି ସ୍କୁଲରେ ଥିବା କର୍ମଚାରୀ ମ୍ୟୁନିସିପାଲିଟି ସ୍କୁଲରେ ରହିବାକୁ ହେଲେ ଲାଞ୍ଚ ଦାବି କରୁଛନ୍ତି। ଏହାର ପ୍ରତିବାଦରେ ଜିଲ୍ଲାପାଳଙ୍କଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ, ମହିଳା କମିସନ ଓ ମାନବାଧିକାର କମିସନଙ୍କ ଦ୍ବାରସ୍ଥ ହୋଇଥିଲେ ହେଁ କେହି ଶୁଣୁ ନାହାନ୍ତି। ନିକଟରେ ମୁଖ୍ୟଶାସନ ସଚିବଙ୍କୁ ଭେଟି ଏ ସଂପର୍କରେ ଦାବି ଜଣାଇଥିଲେ। ସୋମବାର ବିଭାଗରେ ଉପସ୍ଥିତ ରହି ଦାବି ରଖିବାକୁ କହିଥିଲେ। ଆଜି ଏଥିପାଇଁ ଲୋକସେବା ଭବନକୁ ଆସିଥିଲେ ହେଁ ପାସ୍ ପ୍ରଦାନ ନେଇ ଅଣଦେଖା କରାଯାଇଥିଲା। ଏହାର ପ୍ରତିବାଦରେ ରାସ୍ତାରେ ବସିବାକୁ ନିଷ୍ପତ୍ତି ନେଇଥିଲେ ବୋଲି ଶ୍ରୀମତୀ ବିଶ୍ବାଳ କହିଛନ୍ତି।

ସମ୍ବନ୍ଧିତ ଖବର