ଭଣ୍ଡୁର ହେଲା ଶିକ୍ଷୟିତ୍ରୀଙ୍କ ଦ୍ବିତୀୟ ବିବାହ, ଶିଶୁପାଳ ହେଲେ ଶିକ୍ଷକ

ଚନ୍ଦ୍ରଶେଖରପୁର: ସରକାରୀ ଚାକିରି ପାଇବା ପରେ ଭଲ ପାଇ ବିବାହ କରିଥିବା ପ୍ରଥମ ସ୍ବାମୀଙ୍କୁ ଭୁଲିଗଲେ ଶିକ୍ଷୟିତ୍ରୀ। ପୁଣି ପ୍ରେମ କଲେ ନିଜେ ଚାକିରି କରିଥିବା ବିଦ୍ୟାଳୟର ଅନ୍ୟ ଜଣେ ସରକାରୀ ଶିକ୍ଷକଙ୍କୁ। ପ୍ରଥମ ସ୍ବାମୀଙ୍କୁ ଲୁଚାଇ ଦ୍ବିତୀୟ ପ୍ରେମିକଙ୍କୁ ବିବାହ କରିବାକୁ ଆଗେଇ ଗଲେ। ମାତ୍ର ଠିକ୍‌ ସମୟରେ ଘଟଣା ଜାଣି ପାରି ପ୍ରଥମ ସ୍ବାମୀ ସବୁ ବିଗାଡ଼ି ଦେଲେ। ପୁଲିସ ନେଇ ବିବାହ ବେଦି ନିକଟରେ ପହଞ୍ଚିଗଲେ ପ୍ରଥମ ସ୍ବାମୀ। ଫଳରେ ହାତଗଣ୍ଠି ପଡ଼ିବା ପୂର୍ବରୁ ପୁଲିସ ଶିକ୍ଷୟିତ୍ରୀଙ୍କୁ ବେଦିରୁ ଉଠାଇ ନେଲା। ଏମିତିରେ ଶିକ୍ଷୟିତ୍ରୀଙ୍କ ଦ୍ବିତୀୟ ବିବାହ ଭଣ୍ଡୁର ହୋଇଗଲା ଓ ଦ୍ବିତୀୟ ସ୍ବାମୀ ହେବାକୁ ଆସିଥିବା ଶିକ୍ଷକ ଶିଶୁପାଳ ହୋଇ ଫେରିଲେ। ଘଟଣାଟି ଆଜି ସନ୍ଧ୍ୟାରେ ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

ଆଜି ଅପରାହଣ୍‌ରେ ଚନ୍ଦ୍ରଶେଖରପୁର ଥାନା ଅଧୀନ ଏକ ତାରକା ହୋଟେଲ୍ ଲନ୍‌ରେ ଏହି ବିବାହର ଆୟୋଜନ ହୋଇଥିଲା। ଶିକ୍ଷୟିତ୍ରୀ ମଧୁମିତା(ଛଦ୍ମନାମ) ନବବଧୂ ବେଶରେ ସ‌ଜେଇ ହୋଇଥିବା ବେଳେ ଦ୍ବିତୀୟ ସ୍ବାମୀ ହେବାକୁ ଆସିଥିବା ଶିକ୍ଷକ ବରବେଶରେ ଥିଲେ। ବିବାହ ପର୍ବ ଆରମ୍ଭ ହୋଇଯାଇଥିଲା। ବିଧି ଅନୁସାରେ, ବ୍ରାହ୍ମଣଙ୍କ ମନ୍ତ୍ର ଉଚ୍ଚାରଣ ଚାଲିଥିଲା। ଆଉ କିଛି ମିନିଟ୍‌ ପରେ ପଡ଼ି ଥାଆନ୍ତା ହାତଗଣ୍ଠି। କିନ୍ତୁ ଚନ୍ଦ୍ରଶେଖରପୁର ଥାନା ପୁଲିସକୁ ସାଙ୍ଗରେ ଧରି ପ୍ରଥମ ସ୍ବାମୀ ସୁଚିତ୍ର କୁମାର ରାଉତ ସେଠାରେ ପହଞ୍ଚି ଯାଇଥିଲେ। ଫଳରେ ମଧୁମିତାଙ୍କ ସବୁ ଯୋଜନା ଫସର ଫାଟି ଯାଇଥିଲା। ସୁଚିତ୍ର କୋର୍ଟ ରେକର୍ଡପତ୍ର ଦେଖାଇ ମଧୁମିତାଙ୍କୁ ତାଙ୍କ ସ୍ତ୍ରୀ ବୋଲି ପ୍ରମାଣ କରିବା ପରେ ପୁଲିସ ବିବାହକୁ ବନ୍ଦ କରିଥିଲା।

ସୁଚିତ୍ରଙ୍କ ଅଭିଯୋଗ, ସେମାନେ ୨୦୧୨ ମସିହାରେ ଦୁହିଁଙ୍କ ବିବାହ ଏକ ମନ୍ଦିରରେ ଅନୁଷ୍ଠିତ ହୋଇଥିଲା। ଏହା ପରେ ସେମାନେ କଟକ ଚାଲି ଆସିଥିଲେ ଓ କୋଚିଂ ସେଣ୍ଟର୍‌ କରି ଜୀବିକା ନିର୍ବାହ କରୁଥିଲେ। ତେବେ କିଛି ବର୍ଷ ପରେ ମଧୁମିତା ସରକାରୀ ଶିକ୍ଷକ ଚାକିରି ପାଇ କୋରାପୁଟ ଜିଲ୍ଲା ବୋରିଗୁମ୍ମା ଚାଲିଗଲେ। ସେଠାରେ ମଧୁମିତା ଅନ୍ୟ ଜଣେ ଶିକ୍ଷକଙ୍କୁ ଭଲ ପାଇ ବସିଲେ। କଟକରେ ଥିବା ପ୍ରଥମ ସ୍ବାମୀଙ୍କ କଥା ଲୁଚାଇ ସେ କୋରାପୁଟରେ ନିଜ ବିଦ୍ୟାଳୟର ‌ଜଣେ ଶିକ୍ଷକଙ୍କୁ ପ୍ରେମ କଲେ। ଏହା ପରେ ସୁଚିତ୍ରଙ୍କ ସହ ତାଙ୍କର ମତଭେଦ ଆରମ୍ଭ ହେଲା ଓ ମଧୁମିତା ଆଉ ତାଙ୍କ ପାଖକୁ କଟକ ଫେରିଲେ ନାହିଁ। ତେଣୁ ସୁଚିତ୍ର କୋର୍ଟର ଦ୍ବାରସ୍ଥ ହୋଇଥିଲେ ଓ ମାମଲା ବିଚାରାଧୀନ ରହିଛି। କିନ୍ତୁ ମାମଲା ଏମିତି ଅବସ୍ଥାରେ ଥିବା ବେଳେ ଆଜି ମଧୁମିତା ଭୁବନେଶ୍ବରରେ ଦ୍ବିତୀୟ ବିବାହ ଯୋଜନା କରିଥିଲେ।

ସମ୍ବନ୍ଧିତ ଖବର