ଭୁବନେଶ୍ବର: ବର୍ତ୍ତମାନ ପ୍ରତିଯୋଗିତାମୂଳକ ସମୟରେ ଛାତ୍ରଛାତ୍ରୀମାନେ ନିଜର ଭବିଷ୍ୟତକୁ ନେଇ ସନ୍ଦିହାନ ହୋଇ ପଡ଼ୁଛନ୍ତି। କେଉଁ ପାଠ ପଢ଼ିବେ, କେଉଁ ଚାକିରି କରିବେ ସେ ନେଇ ସେମାନଙ୍କ ମନରେ ପ୍ରଶ୍ନ ଉଙ୍କିମାରିବା ସ୍ବଭାବିକ। କେବଳ ଭଲ ମାର୍କ ରଖିଲେ ଚଳିବ ନାହିଁ। ବିଭିନ୍ନ କ୍ଷେତ୍ରରେ ନିଜର ପାରଦର୍ଶିତା ଦେଖାଇବା ଲାଗି ଦକ୍ଷତା ହାସଲ କରିବାକୁ ହେବ। ଏଥିପାଇଁ ଶିକ୍ଷାପ୍ରାପ୍ତି ସମୟରୁ ଛାତ୍ରଛାତ୍ରୀଙ୍କୁ ନିଜର ବୃତ୍ତି ଚୟନ କଥା ଚିନ୍ତା କରିବା ଦରକାର। ବିଦ୍ୟାର୍ଥୀମାନଙ୍କୁ ବୃତ୍ତି ଚୟନ କ୍ଷେତ୍ରରେ ସହଯୋଗ କରିବାକୁ ଶିକ୍ଷାଦାତାମାନେ ପ୍ରୟାସ କରିବା ଜରୁରି। ଭାରତୀୟ ବିକାଶ ସଂସ୍ଥାନର ପ୍ରାଦେଶିକ ଆଚାର୍ଯ୍ୟ/ଆଚାର୍ଯ୍ୟା ପ୍ରଶିକ୍ଷଣ ଶିବିରରେ ଯୋଗ ଦେଇ ଅତିଥିମାନେ ଏହା କହିଛନ୍ତି।
ରିଜିଓନାଲ କଲେଜ ଅଫ୍ ମ୍ୟାନେଜ୍ମେଣ୍ଟ୍ (ଆର୍ସିଏମ୍)ର ପ୍ରେକ୍ଷାଳୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକ ଯୋଗଦେଇ କହିଲେ, ବୃତ୍ତି ଓ ପ୍ରବୃତ୍ତି ମଧ୍ୟରେ ମେଳକ ହେବା ଆବଶ୍ୟକ। ଓଡ଼ିଆ ମାଧ୍ୟମରେ ବେସରକାରୀ ବିଦ୍ୟାଳୟଗୁଡ଼ିକ ସରକାରୀ ସ୍କୁଲ ଅପେକ୍ଷା ଉତ୍ତମ ପ୍ରଦର୍ଶନ କରୁଛନ୍ତି। ତେବେ ଏହି ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ସ୍ବଳ୍ପ ଦରମାରେ କାମ କରନ୍ତି। ଦେଶ ନିର୍ମାଣ କ୍ଷେତ୍ରରେ ଏହି ଶିକ୍ଷକମାନେ ମଧ୍ୟ ଅନ୍ୟମାନଙ୍କ ଭଳି ସମାନ ଅଂଶୀଦାର। ସ୍ବଳ୍ପ ଦରମା ପାଇଁ କୁଣ୍ଠାବୋଧ କରିବା ଉଚିତ ନୁହେଁ, ବରଂ ଏଭଳି ବୃତ୍ତି ଚୟନ କରିଥିବାରୁ ଗର୍ବ ଅନୁଭବ କରନ୍ତୁ। ଏହି ଶିକ୍ଷକମାନେ ଆମର ମାତୃଭାଷାକୁ ବଞ୍ଚାଇ ରଖିଛନ୍ତି ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।
ମୁଖ୍ୟବକ୍ତା ରାଷ୍ଟ୍ରୀୟ ସଂସ୍କୃତ ବିଶ୍ବବିଦ୍ୟାଳୟର ପ୍ରାକ୍ତନ କୁଳପତି ପ୍ରଫେସର ହରେକୃଷ୍ଣ ଶତପଥୀ କହିଲେ, କେବଳ ବିଦ୍ୟାଲାଭ ଦ୍ବାରା ଉନ୍ନତି ହେବ ନାହିଁ। ଆମକୁ କୌଶଳ ପ୍ରୟାଗ କରି ବିଭିନ୍ନ କ୍ଷେତ୍ରରେ ଦକ୍ଷତା ପ୍ରତିପାଦନ କରିବାକୁ ପଡ଼ିବ। ବିଦ୍ୟା ଯଦି କୌଶଳ ସହିତ ମିଶିବ ତେବେ ତାହା ପାଣ୍ଡିତ୍ୟରୁ ଊର୍ଦ୍ଧ୍ବକୁ ଯାଇଁ ବିଦ୍ବତ୍ତାରେ ପରିଣତ ହେବ। ଆମକୁ ଆମର ଆଚରଣ ଓ ଉଚ୍ଚାରଣରେ ସଂଯମତା ରଖିବାର ଆବଶ୍ୟକତା ରହିଛି। ଏଣୁ ଶିକ୍ଷାଦାତାମାନେ ନିଜକୁ କେବଳ ଶିକ୍ଷାଦାନରେ ସୀମିତ ନରଖି ବିଦ୍ୟାର୍ଥୀଙ୍କ ଚରିତ୍ର ଗଠନ ସହିତ ସେମାନଙ୍କ ମନରେ ଆଧ୍ୟାତ୍ମିକ ମନୋଭାବ ସୃଷ୍ଟି କରିବାକୁ ଶ୍ରୀ ଶତପଥୀ ପରାମର୍ଶ ଦେଇଥିଲେ।
ସମ୍ମାନିତ ଅତିଥି ପୂର୍ବତନ ପ୍ରଶାସକ ସୁଦର୍ଶନ ନାୟକ ପ୍ରଚଳିତ ଶିକ୍ଷା ବ୍ୟବସ୍ଥାକୁ ସମାଲୋଚନା କରି କହିଲେ, ଦିନେ ବିଶ୍ବଗୁରୁ ବୋଲାଉଥିବା ଭାରତବର୍ଷରେ ଆଜି ଉପଯୁକ୍ତ ଗୁରୁକୁଳଟିଏ ନାହିଁ। ବିଦ୍ୟାଳୟରେ ଶିକ୍ଷକ ଅଭାବ ଶିକ୍ଷାବ୍ୟବସ୍ଥାର ପ୍ରକୃତ ରୂପକୁ ପଦାରେ ପକାଇଛି। ଏହାର ପୁନରୁଦ୍ଧାର ଜରୁରି ବୋଲି ସେ ମତ ଦେଇଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବେ ଆର୍ସିଏମ୍ର ନିର୍ଦ୍ଦେଶକ ପ୍ରବୀର ପାଲ୍ ମଞ୍ଚାସୀନ ଥିଲେ। ସଂସ୍ଥାନର ସମ୍ପାଦକ କରୁଣାକର ପ୍ରଧାନ କାର୍ଯ୍ୟକ୍ରମରେ ପୌରୋହିତ୍ୟ କରିଥିଲେ। ଦିଲୀପ କୁମାର ମଲ୍ଲିକ, ଗୌରାଙ୍ଗ କୁମାର ବିଶ୍ବାଳ, ବିଷ୍ଣୁଚରଣ ସାହୁ, ଆଲୋକପ୍ରଭା ମହାନ୍ତି, ସତ୍ୟବ୍ରତ ରଥ ୧୨ଦିନ ଧରି ଚାଲିଥିବା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏଥିରେ ୨୨ଟି ଜିଲ୍ଲାର ୧୫୭ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଅଂଶଗ୍ରହଣ କରିଥିଲେ। ଆସନ୍ତାକାଲି ଦୀକ୍ଷାନ୍ତ ସମାରୋହ ଅନୁଷ୍ଠିତ ହେବ।