ଭୁବନେଶ୍ବର: ବିଦ୍ୟାଳୟ ସମୟରେ ପ୍ରଧାନଶିକ୍ଷକ/ଶିକ୍ଷୟିତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ ସିଆରସିସିମାନେ କ୍ଲାସ କରୁନାହାନ୍ତି। ବିଦ୍ୟାଳୟରେ ପାଠ ପଢ଼ାଇବା ପରିବର୍ତ୍ତେ ସର୍ବସାଧାରଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଛନ୍ତି। ଉପରିସ୍ଥ ଅଧିକାରୀଙ୍କ ବିନା ଅନୁମତିରେ ସେମାନେ ଏଣେତେଣେ ଚାଲିଯାଉଛନ୍ତି। ଯେଉଁଥିପାଇଁ ବିଦ୍ୟାଳୟ ଓ କ୍ଲଷ୍ଟର ସ୍ତରରେ ଶିକ୍ଷା-ଶିକ୍ଷଣ ବ୍ୟବସ୍ଥା ବହୁ ପରିମାଣରେ ପ୍ରଭାବିତ ହେଉଛି। ଓସିଏସ୍ ରୁଲ୍ର ସର୍ଭିସ୍ କୋଡ୍ ଉଲ୍ଲଂଘନ ହେଉଥିବା ନଜରକୁ ଆସିବା ପରେ ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ)ଙ୍କ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି। ଏଣିକି ଯେଉଁମାନେ ନିୟମ ଉଲ୍ଲଂଘନ କରିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲାର ସମସ୍ତ ବ୍ଲକ ଶିକ୍ଷା ଅଧିକାରୀ(ବିଇଓ)ଙ୍କୁ କୁହାଯାଇଛି। ସିଆର୍ସିସିମାନେ ସ୍କୁଲ ସମୟରେ କେଉଁଭଳି ଭାବେ ପରିଦର୍ଶନ କରିବେ ସେନେଇ ଓସେପା ପକ୍ଷରୁ ପ୍ରସ୍ତୁତ ହୋଇଥିବା ‘ରୋଲସ୍ ଅଫ୍ ସିଆର୍ସିସି’ରେ ଦର୍ଶାଯାଇଛି। ଯଦି କୌଣସି ପ୍ରଧାନଶିକ୍ଷକ/ଶିକ୍ଷୟିତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ କିମ୍ବା ସିଆରସିସି ଉପରିସ୍ଥ ଅଧିକାରୀମାନଙ୍କ ବିନା ଅନୁମତିରେ କ୍ୟାମ୍ପସ୍ ଛାଡ଼ି ଯାଇଥିବା ନଜରକୁ ଆସେ ତାହା ହେଲେ ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦିଆଯାଇଛି।
ହାଇସ୍କୁଲ୍ର ପ୍ରଧାନଶିକ୍ଷକମାନେ କ୍ଲାସ୍ କରୁ ନ ଥିବା ନେଇ ପୂର୍ବରୁ ମଧ୍ୟ ଅଭିଯୋଗ ଆସିଥିଲା। ପ୍ରଧାନଶିକ୍ଷକମାନେ ବିଦ୍ୟାଳୟ ପରିଚାଳନା ଓ ଅନ୍ୟାନ୍ୟ କାର୍ଯ୍ୟରେ ବ୍ୟସ୍ତ ରହୁଥିବାରୁ ସ୍କୁଲର ଅନ୍ୟ ଶିକ୍ଷକମାନେ ପଢ଼ାଉଛନ୍ତି କି ନାହିଁ, ତାହା ତଦାରଖ କରିବାକୁ ସେମାନଙ୍କ ପାଖରେ ସମୟ ରହୁ ନ ଥିବା ଗଣଶିକ୍ଷା ବିଭାଗ ଅଧିକାରୀମାନେ ରାଜ୍ୟର ବିଭିନ୍ନ ଜିଲ୍ଲା ଗସ୍ତ ସମୟରେ ଦେଖିବାକୁ ପାଇଥିଲେ। ନିୟମ ଅନୁଯାୟୀ ପ୍ରଧାନ ଶିକ୍ଷକ/ଶିକ୍ଷୟିତ୍ରୀମାନେ ବିଦ୍ୟାଳୟରେ ଅତିକମରେ ଦୈନିକ ଦୁଇଟି କ୍ଲାସ କରିବାକୁ ବାଧ୍ୟ। ମାତ୍ର ଅନେକ ସମୟରେ ପ୍ରଧାନଶିକ୍ଷକ/ଶିକ୍ଷୟିତ୍ରୀ ନିଜ ବିଦ୍ୟାଳୟରେ ଆଦୌ କ୍ଲାସ କରୁ ନ ଥିବା ଅଭିଯୋଗ ଆସିଥିଲା। ସେମାନଙ୍କ ପାଖରେ ଅଭିଜ୍ଞତା ଓ ଭଲ ଦକ୍ଷତା ରହିଥିଲେ ମଧ୍ୟ ତାହାର ସଦ୍ଉପଯୋଗ କରାଯାଉ ନାହିଁ। ଶିକ୍ଷାଗତ ଯୋଗ୍ୟତା ବି ସେମାନଙ୍କର ଉନ୍ନତ ମାନର। ତା’ ପରେ ବି ସେମାନେ ଆଦୌ କ୍ଲାସ ନନେବା ଚିନ୍ତାର ବିଷୟ ପାଲଟିଥିଲା। ଯେଉଁଥିପାଇଁ ୨୦୨୪ରେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ପତ୍ର ଲେଖି ନିୟମ କଡ଼ାକଡ଼ି ପାଳନ କରିବାକୁ କହିଥିଲେ। ତେବେ ଗତ କିଛି ମାସ ହେଲା ପ୍ରଧାନଶିକ୍ଷକ, ଶିକ୍ଷକ ଶିକ୍ଷୟିତ୍ରୀ ବ୍ଲକର ବିଭିନ୍ନ ସଂସ୍ଥାର ବାର୍ଷିକ ଉତ୍ସବ, ସମ୍ବର୍ଦ୍ଧନା ସଭାରେ ଯୋଗଦେଉଛନ୍ତି। ଉପରିସ୍ଥ ଅଧିକାରୀଙ୍କୁ ଜଣାଉ ନାହାନ୍ତି। ବର୍ଷକ ପରେ ମଧ୍ୟ ନିୟମକୁ ଠିକ୍ ଭାବେ ପାଳନ କରାଯାଉ ନ ଥିବା ନଜରକୁ ଆସିବା ପରେ ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ପ୍ରଶାସନ ଏବେ ପୁଣିଥରେ କଠୋର ହୋଇଛି।
ସୂଚନା ଅନୁଯାୟୀ, ପ୍ରଧାନଶିକ୍ଷକମାନେ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶାନାମା ମାନୁ ନଥିବା ଅଭିଯୋଗ ଆସିବା ପରେ ଗଣଶିକ୍ଷା ବିଭାଗ ୨୦୨୧ ମସିହା ଏପ୍ରିଲ ୫ ତାରିଖରେ ନିର୍ଦ୍ଦେଶନାମା ଜାରି କରିଥିଲା। ରାଜ୍ୟରେ ଥିବା ସମସ୍ତ ସରକାରୀ ବିଦ୍ୟାଳୟଗୁଡିକରେ ରହିଥିବା ପ୍ରଧାନଶିକ୍ଷକମାନେ ବିଦ୍ୟାଳୟର ଅତି ଅଭିଜ୍ଞ ଶିକ୍ଷକ ଭାବରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ପ୍ରଦାନ କରିବେ।
ସ୍କୁଲ୍ ସମୟରେ କ୍ୟାମ୍ପସ୍ରେ ରହୁନାହାନ୍ତି ଶିକ୍ଷକ
ବିଦ୍ୟାଳୟ ସମୟରେ ପ୍ରଧାନଶିକ୍ଷକ/ଶିକ୍ଷୟିତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ ସିଆରସିସିମାନେ କ୍ଲାସ କରୁନାହାନ୍ତି। ବିଦ୍ୟାଳୟରେ ପାଠ ପଢ଼ାଇବା ପରିବର୍ତ୍ତେ ସର୍ବସାଧାରଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଛନ୍ତି। ଉପରିସ୍ଥ ଅଧିକାରୀଙ୍କ ବିନା ଅନୁମତିରେ ସେମାନେ...
/sambad/media/media_files/2025/08/07/untitled-15-2025-08-07-07-31-13.jpg)