ଭୁବନେଶ୍ବର: ଓଡ଼ିଶା ପୁଲିସର ନିମନ୍ତ୍ରଣ ରକ୍ଷା କରି ଆଜି ସନ୍ଧ୍ୟାରେ ଫ୍ୟାନ୍ ଭିଲେଜ୍ରେ ପହଞ୍ଚି ଥିଲା ଟିମ୍ ଇଣ୍ଡିଆ। ପୁଲିସ ବ୍ରାସ ବ୍ୟାଣ୍ଡ ଓ ପାଇପ୍ ବ୍ୟାଣ୍ଡରେ ଟିମ୍ ଇଣ୍ଡିଆ କୋଚ୍ ଓ ଖେଳାଳିମାନଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା। ରଜନୀଗନ୍ଧା ଓ ଗୋଲାପ ଫୁଲ ଦେଇ ସମସ୍ତଙ୍କୁ ସ୍ବାଗତ କରାଯାଇଥିଲା। ଖାଲି ସେତିକି ନୁହେଁ ଟିମ୍ ଇଣ୍ଡିଆର ବିଜୟ ପାଇଁ ଓଡ଼ିଶା ପୁଲିସ ପକ୍ଷରୁ ପ୍ରତ୍ୟେକ ଖେଳାଳିଙ୍କୁ ରୁଦ୍ରାକ୍ଷ ପ୍ରଦାନ କରାଯାଇଥିଲା। ଖେଳାଳିଙ୍କ ମନରେ ଆତ୍ମବିଶ୍ବାସ ଆଣିବା ପାଇଁ ଏଭଳି କରାଯାଇଥିଲା। ଫ୍ୟାନ୍ ଭିଲେଜ୍ରେ ଆୟୋଜିତ ଏହି ଭବ୍ୟ ସ୍ବାଗତ ଉତ୍ସବରେ ପୁଲିସ ମହାନିର୍ଦେଶକ ରାଜେନ୍ଦ୍ର ପ୍ରସାଦ ଶର୍ମା ଯୋଗଦେଇ କହିଥିଲେ ଯେ, ଚାପମୁକ୍ତ ହୋଇ ଖେଳ। ଜିତିବା ଚାପ ନିଅନି। ଧୈର୍ଯ୍ୟ ଓ ଦୃଢ଼ ଆତ୍ମବିଶ୍ବାସର ସହିତ ଖେଳ। ଆମେ ୪୨ ବର୍ଷ ହେବ ଯାହାର ଅପେକ୍ଷା କରିଛନ୍ତି ତାହା ଅନ୍ତ ଘଟିବ। ଆଜି ଫ୍ୟାନ୍ ଭିଲେଜ୍ରେ ହକି ଟିମ୍ ଇଣ୍ଡିଆ ଖେଳାଳିଙ୍କୁ ବିଜୟ ପାଇଁ ଏଭଳି ଉତ୍ସାହ ଯୋଗାଇଥିଲେ ଡିଜି ଶ୍ରୀ ଶର୍ମା। ଏହି ଅବସରରେ ଓଡ଼ିଶା ପୁଲିସ ପକ୍ଷରୁ ଟିମ୍ ଇଣ୍ଡିଆର ପ୍ରତ୍ୟେକ ଖେଳାଳି ଓ କୋଚ୍ଙ୍କୁ ଭାରତର ଦେବଦେବୀଙ୍କ ଫଟୋଚିତ୍ର ଦିଆଯାଇ ସମ୍ବର୍ଧିତ କରାଯାଇଥିଲା।
ସେହିପରି କ୍ରୀଡ଼ା ଓ ପର୍ଯ୍ୟଟନ ବିଭାଗ ସଚିବ ବିଶାଲ ଦେବ ଓ କ୍ରୀଡ଼ା ନିର୍ଦେଶକ ଭିନିଲ୍ କ୍ରିଷ୍ଣାଙ୍କୁ ମଧ୍ୟ ଓଡ଼ିଶା ପୁଲିସ ପକ୍ଷରୁ ସମ୍ବର୍ଧିତ କରାଯାଇଥିଲା। ଏହାପରେ ଟିମ୍ ଇଣ୍ଡିଆ ସହ ଚା’ ଚର୍ଚ୍ଚା ହୋଇଥିଲା। ପରେ ଖେଳାଳିମାନେ ପୁଲିସ ପକ୍ଷରୁ ପ୍ରଦର୍ଶିତ ଅସ୍ତ୍ରଶସ୍ତ୍ର ସହ ସେଲ୍ଫି ନେଇଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ଏଡିଜି କ୍ରାଇମ୍ ସନ୍ତୋଷ ଉପାଧ୍ୟାୟ, କ୍ରାଇମ୍ ରେକର୍ଡ ବ୍ୟୁରୋର ନିର୍ଦେଶକ ସୁଧାଂଶୁ ଷଡ଼ଙ୍ଗୀ, ପୁଲିସ କମିସନର୍ ସତ୍ୟଜିତ୍ ମହାନ୍ତି, ଅତିରିକ୍ତ ପୁଲିସ କମିସନର ସଞ୍ଜୟ ସିଂହ, କ୍ରାଇମ୍ବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରା, ଆଇନ ଓ ଶୃଙ୍ଖଳା ଆଇଜି ଅମିତାଭ ଠାକୁର,ଏସ୍ଏପିର ଅତିରିକ୍ତ ଆରକ୍ଷୀ ମହା ନିର୍ଦେଶକ ମନୋଜ ଛାବ୍ରା, ଡିସିପି ଅନୁପ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରତିଦିନ ଫ୍ୟାନ୍ ଭିଲେଜକୁ ବିଶ୍ବକପରେ ଅଂଶଗ୍ରହଣ କରିଥିବା ଗୋଟିଏ ଦଳ ଆସିବା ନେଇ ଯୋଜନା ହୋଇଥିବା ସୂଚନା ମିଳିଛି। ଏପରିକି କେଉଁ ଦିନ କେଉଁ ଦଳର ଖେଳାଳି ଆସିବେ ତାହାର ଏକ ତାଲିକା ମଧ୍ୟ ପ୍ରସ୍ତୁତ ହୋଇଛି।