ରାଜଧାନୀରେ ଟିମ୍‌ କଡ୍‌ବି ହାଓ୍ଵା ୨୪ରେ ପରଦାକୁ ଆସିବ

ଭୁବନେଶ୍ୱର: ଜଳବାୟୁ ପରିବର୍ତନ ତଥା ବିଶ୍ୱ ତାପନର ଭୟାବହ ସ୍ଥିତିକୁ କାହାଣୀ ରୂପରେ ଆଣି ଲୋକଙ୍କ ଆଗରେ ବାଢ଼ିବା ଉଦ୍ଦେଶ୍ୟରେ ନିର୍ମିତ ହୋଇଛି ଚଳଚ୍ଚିତ୍ର ‘କଡ୍‌ବି ହାଓ୍ଵା’। ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ ନୀଳମାଧବ ପଣ୍ଡାଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ର ଆସନ୍ତା ୨୪ରେ ମୁକ୍ତିଲାଭ କରିବ। ଏହି ପରିପ୍ରେକ୍ଷୀରେ ଆଜି ଭୁବନେଶ୍ୱରରେ ପହଞ୍ଚିଥିଲେ ଟିମ୍‌ ‘କଡ୍‌ବି ହାଓ୍ଵା’।
ସ୍ଥାନୀୟ ହୋଟେଲ୍‌ ସ୍ୟାଣ୍ଡିସ୍‌ ଟାଓ୍ଵାର୍‌ରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ନିର୍ଦେଶକ ଶ୍ରୀ ପଣ୍ଡା କହିଥିଲେ ଯେ ପ୍ରକୃତି ନିଜର ଭୟଙ୍କର ରୂପ ଦେଖାଇବା ପୂର୍ବରୁ ଆମ୍ଭମାନେ ସଚେତନ ହୋଇଯିବା ଉଚିତ ବୋଲି ଏହି ଚଳଚ୍ଚିତ୍ରରେ ବାର୍ତା ଦିଆଯାଇଛି। ଏହାଛଡ଼ା ଚଳଚ୍ଚିତ୍ରଟି ମୁକ୍ତିଲାଭ ପୂର୍ବରୁ ଜାତୀୟ ପୁରସ୍କାର ମଧ୍ୟ ପାଇସାରିଛି। ସାମ୍ବାଦିକ ସମ୍ମିଳନୀରେ ଚଳଚ୍ଚିତ୍ରର ପ୍ରଯୋଜକ ଅକ୍ଷୟ କୁମାର ପରିଜା, ଅଭିନେତା ସଞ୍ଜୟ ମିଶ୍ରା, ରଣବୀର୍‌ ସୋରେ ଓ ଅଭିନେତ୍ରୀ ତିଳୋତ୍ତମା ସୋମ୍‌ ପ୍ରମୁଖ ଉପସ୍ଥିତ ଥିଲେ।

ଓଡ଼ିଶା କାହାଣୀରେ ଭରପୂର

ସଞ୍ଜୟ ମିଶ୍ରା। ବଲିଉଡ୍‌ର ଜଣେ ଆଗ ଧାଡ଼ିର ହାସ୍ୟ ଓ ଚରିତ୍ର ଅଭିନେତା। ‘ଗୋଲ୍‌ମାଲ୍‌’, ‘ଅଲ୍‌ ଦି ବେଷ୍ଟ’୍‍ ଓ ‘ଫସ୍‌ ଗୟେରେ ଓବାମା’ ଆଦି ଚଳଚ୍ଚିତ୍ରରେ ଅଭିନୟ କରି ସେ ଦର୍ଶକଙ୍କ ମନ ଜିଣିଛନ୍ତି। ବୟସ ସହିତ ଆହୁରି ପରିପକ୍ୱ ହୋଇଛି ତାଙ୍କ ଅଭିନୟ। ସେଇଥିପାଇଁ ତ’ ଆଜି ୫୪ ବର୍ଷ ବସୟର ଏହି ଅଭିନେତା ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଅବତ୍ତୀର୍ଣ୍ଣ ହୋଇ ଚଳଚ୍ଚିତ୍ର ‘କଡ୍‌ବି ହାଓ୍ଵା’କୁ ଆଗକୁ ନେବାର ଗୁରୁଦାୟିତ୍ୱ ସମ୍ଭାଳିଛନ୍ତି। ଆଜି ଭୁବନେଶ୍ୱର ଆସି ତାଙ୍କର ଏହି ଚଳଚ୍ଚିତ୍ର ରିଲିଜ୍‌ ସମ୍ବନ୍ଧୀୟ ବିବରଣୀକୁ ସାମ୍ବାଦିକମାନଙ୍କ ସହ ବାଣ୍ଟିବା ସମୟରେ ତାଙ୍କୁ ଭେଟିଥିଲେ ଆମ ପ୍ରତିନିଧି ସସ୍ମିତା ସାହୁ।

‘କଡ୍‌ବି ହାଓ୍ଵା’ ବିଷୟରେ କିଛି?
‘କଡ୍‌ବି ହାଓ୍ଵା’ ଏକ ପାଣିପାଗ ଉପରେ ଆଧାରିତ ଚଳଚ୍ଚିତ୍ର ନୁହେଁ। ଏହା ପାଣିପାଗ ଉପରେ ନିର୍ଭରଶୀଳ କୃଷକମାନଙ୍କ ଉପରେ ଆଧାରିତ। ଏବେ ଶୀତ ଋତୁରେ ବି ଓଡ଼ିଶାରେ ୫ ଦିନ ହେଲା ବର୍ଷା ଦିନ ଭଳି ଅନୁଭବ ହେଉଛି। ଦିଲ୍ଲୀରେ ପ୍ରଦୂଷଣଜନିତ କ୍ଷତି ସାଂଘାତିକ ହେଲାଣି। ପ୍ରକୃତି ମାନବ ସମାଜକୁ ସଚେତନ କରିବାକୁ ଚେଷ୍ଟା କଲାଣି ଯେ, ଦେଖ ମୋର ଯତ୍ନ ନିଅ ନଚେତ ଆଗକୁ ପରିଣତି ଭୟାବହ ହେବ। ‘କଡ୍‌ବି ହଓ୍ଵା’ ବି ସେହିପରି ଏକ ଚେତାବନୀ ଦେଉଛି। ସମ୍ଭାଳି ଯିବାକୁ କହୁଛି।

ଚଳଚ୍ଚିତ୍ରରୁ କ’ଣ ଆଶା ରହିଛି?
ଆୟ ୨୦୦ କୋଟି ହେବ ବୋଲି ତ’ ଆଶା କରାଯାଇ ନ ପାରେ। ୟା’ଠୁ ଭଲ ସଫଳତାକୁ ମାପିବାନି। ଚଳଚ୍ଚିତ୍ରଟି ଲୋକଙ୍କ ପର୍ଯ୍ୟନ୍ତ କେତେ ପହଞ୍ଚୁଛି କିମ୍ବା କେତେ ହୃଦୟକୁ ସ୍ପର୍ଶ କରୁଛି ତାହା ଦେଖିବା। ଯଦି ଏହି ଚଳଚ୍ଚିତ୍ର ଦେଖି କେହି ଜଣେ ଗୋଟିଏ ଗଛ ଲଗାଇବାକୁ ମନ ବଳାଏ ତେବେ ଆମ ଚଳଚ୍ଚିତ୍ର ସଫଳ ହେଲା ବୋଲି ଆମେ ଜାଣିବୁ।

ଚଳଚ୍ଚିତ୍ରର ପ୍ରସ୍ତୁତି ଯାତ୍ରା କେମିତି ଥିଲା?

ଜଳବାୟୁ ପରିବର୍ତ୍ତନ ସମ୍ବନ୍ଧୀୟ ଏହା ହେଉଛି ବିଶ୍ୱର ପ୍ରଥମ ଚଳଚ୍ଚିତ୍ର। ଏହି ଚଳଚ୍ଚିତ୍ର ଯାତ୍ରା ବହୁତ ଭଲ ଥିଲା। ବହୁତ କିଛି ଶିଖିବାକୁ ମିଳିବା ସହ ମାଟି ସହ ଯୋଡ଼ି ହେବାର ଅନୁଭୂତି ମଧ୍ୟ ମିଳିଲା। ମୁଁ ଏଥିରେ ଏକ ଦୃଷ୍ଟିହୀନ ଅବସରପ୍ରାପ୍ତ କୃଷକର ଚରିତ୍ର କରୁଛି। ଅବସରପ୍ରାପ୍ତ ଏଇଥିପାଇଁ କାରଣ ମରୁଡ଼ି ଯୋଗୁଁ ତା’ ପାଖରେ ପାଣି ଟିକେ ବି ପହଞ୍ଚିପାରୁନି। ତେବେ ସେ ଚାଷ କରିବ ତ’ କେମିତି କରିବ? ଏହି ଚରିତ୍ର ଦ୍ୱାରା ଭାରତର ଏଭଳି ଏକ ରୂପ ମୁଁ ଦେଖିଲି ଯେଉଁଠି କେବଳ ଯନ୍ତ୍ରଣା ହିଁ ଯନ୍ତ୍ରଣା ରହିଛି।

ଓଡ଼ିଶା ବିଷୟରେ କ’ଣ କହିବେ?
ଓଡ଼ିଶାରେ ବହୁ କାହାଣୀ ରହିଛି। କୋଣାର୍କ ହେଉ କି ଜଗନ୍ନାଥ ଧାମ। କାହାଣୀରେ ଭରପୂର ଏହି ରାଜ୍ୟ। କିନ୍ତୁ ସବୁଠୁ ବଡ଼ ଏହା ପ୍ରକୃତିର ବହୁ ନିକଟବର୍ତ୍ତୀ। ପ୍ରାକୃତିକ ବନାନିରେ ଭରପୂର। ‘କଡ୍‌ବି ହଓ୍ଵା’ ଚଳଚ୍ଚିତ୍ରରେ ମଧ୍ୟ ଏକ ଓଡ଼ିଆ ଚରିତ୍ର ରହିଛି। କାହାଣୀଟି ଓଡ଼ିଶାର କାହାଣୀ ନୁହେଁ। କିନ୍ତୁ ଚଳଚ୍ଚିତ୍ର ଦେଖିବା ପରେ ନିଶ୍ଚୟ ଦର୍ଶକ ଏହାକୁ ଓଡ଼ିଶା ସହ ଯୋଡ଼ି ପାରିବେ।

କମେଡି କିମ୍ବା ଗମ୍ଭୀର ଚରିତ୍ର ଅଭିନୟ, କ’ଣ ଆପଣଙ୍କ ବେଶି ପସନ୍ଦ?
ଅଭିନୟ କରିବା ମୋର ପସନ୍ଦ। ଯେ କୌଣସି ଚରିତ୍ର ହେଉ ମତେ ଅଭିନୟ କରିବାକୁ ଭଲ ଲାଗେ। କାରଣ ଏଥିରେ ହିଁ ମା’ ଲକ୍ଷ୍ମୀ ମୋ ଉପରେ ସନ୍ତୁଷ୍ଟ ହୁଅନ୍ତି।

୫୪ ବର୍ଷ ବୟସ ହିରୋ ହେବାର ଅଫର୍‌ ମିଳିଲା। କେମିତି ଲାଗୁଛି?
ହିରୋ ସଚିନ୍‌ ତେନ୍ଦୁଲକର୍‌ ବା ଭଗତ୍‌ ସିଂହ ଅଟନ୍ତି। ଆମ୍ଭମାନଙ୍କୁ କେବଳ ହିରୋ ବନାଯାଏ। ତାଙ୍କ ଚରିତ୍ରକୁ ପ୍ରଦର୍ଶିତ କରିବା ପାଇଁ। ମତେ ଖୁସି ଲାଗୁଛି ଯେ, ‘କଡ୍‌ବି ହଓ୍ଵା’ର ନିର୍ଦ୍ଦେଶକ ନୀଳମାଧବ ପଣ୍ଡା ଓ ଲେଖକ ନୀତିନ୍‌ ଦୀକ୍ଷିତ ମୋ ପାଇଁ ଏହି ଚରିତ୍ରଟି ତିଆରି କରିଛନ୍ତି।

ଓଲିଉଡ୍‌ରେ କେବେ କାମ କରିବାକୁ ଚାହିଁବେ?
ହଁ ନୀଳମାଧବ ପଣ୍ଡା ଭଳି ନିର୍ଦ୍ଦେଶକ ତଥା ଭଲ ସ୍କ୍ରିପ୍ଟ ମିଳିଲେ ନିଶ୍ଚେ କରିବି।

ଆଜି ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ, କ’ଣ ମାଗିଲେ?
ମାଗିଲି ଆମକୁ ପ୍ରକୃତିର ପ୍ରଚଣ୍ଡ କୋପରୁ ରକ୍ଷା କରନ୍ତୁ। ପ୍ରାକୃତିକ ବିପର୍ଯ୍ୟୟରେ ନ ମାରନ୍ତୁ।

ସମ୍ବନ୍ଧିତ ଖବର