ଭୁବନେଶ୍ବର: ଜୀବନ ଏକ ମଧୁର ଯନ୍ତ୍ରଣା। ମଧୁସିକ୍ତ ବେଦନା। ଏହାକୁ ମର୍ମେ ମର୍ମେ ଅନୁଭବ କରୁଛନ୍ତି ସେମାନେ। ଜୀବନର ସାୟାହ୍ନରେ ସନ୍ତାନର ଅନୁପସ୍ଥିତି... ମନର କେଉଁ ଏକ କୋଣରେ ଥାଏ ନିଶ୍ଚିତ, ହେଲେ ହାତ‌ରେ ଥିବା ଅନେକ ବଳକା ସମୟ ସେମାନଙ୍କୁ ବ୍ୟସ୍ତ, ବିଳଚିତ କି ବ୍ୟଥିତ କରିପାରେନା। ଦୁଃଖଠୁ ଦୂରକୁ ଯିବାର ପ୍ରଚେଷ୍ଟା ନ କରି ଉପଭୋଗ କରିବାକୁ ଉଦ୍ୟମ କରିଛନ୍ତି ସେମାନେ। ସାଥୀ ହୋଇ ଜୀଇଁବାର ଅଲିଖିତ ଚୁକ୍ତି ଥିଲେ ବି ସାଥୀ ହୋଇ ମରିବାର ନିଷ୍ପତ୍ତି ନଥିଲା ସେମାନଙ୍କ ଭିତରେ। ଅଭାବବୋଧ ଆଘାତ ଦେଇଛି, ଅଜାଣତରେ ପରସ୍ପରକୁ ନିକଟତର କରାଇଛି। କିଛି ଦ୍ବିଧା, କିଛି ଦ୍ବନ୍ଦ୍ବ ଓ ଦୃଢ଼ ନିଷ୍ପତ୍ତିକୁ ନେଇ ଏକ ନିଆରା ପ୍ରେମ କାହାଣୀ ‘ଏଇ ବୋଧେ ପ୍ରେମ’ ଆଜି ରବୀନ୍ଦ୍ର ମଣ୍ଡପଠାରେ ଦର୍ଶକଙ୍କ ଆଖିରେ ଦୁଇ ଟୋପା ଲୁହ ସହ ହୃଦୟରେ ପ୍ରେମ ଭରି ଦେଇଥିଲା। ଅବସର ଥିଲା ‘ବିଦ୍ୟାକନକ ସୃଜନାନୁଷ୍ଠାନ’ ପକ୍ଷରୁ ଆୟୋଜିତ ‘ପଞ୍ଚମ ଜାତୀୟ ନାଟ୍ୟ ମହୋତ୍ସବ-୨୦୨୩’ର ପ୍ରଥମ ସଂଧ୍ୟା। ଆଜି ମଞ୍ଚସ୍ଥ ନାଟକଟି ବିଦ୍ୟାକନକ ସୃଜନାନୁଷ୍ଠାନ ପକ୍ଷରୁ ପରିବେଷିତ ହୋଇଥିବା ବେ‌ଳେ ଏହି ନାଟକର ରଚନା କରିଥିଲେ ଦିଲ୍ଲୀପ ବଳବନ୍ତରାୟ, ନିର୍ଦ୍ଦେଶନା ନେଇଥିଲେ ଜଗଦୀଶ ମହାରଣା। ନାଟକର ବିଭିନ୍ନ ଭୂମିକାରେ ନବୀନ କୁମାର ପରିଡ଼ା, ରାକେଶ ଶତପଥୀ, ଦେବାଶିଷ ରାଉତ, ଅଭିଜିତ ଦାସ, ଶୁଭଙ୍କର ସାହୁ, ସୁନନ୍ଦା ପରିଡ଼ା, ଶୁଭସ୍ମିତା ସିଂହ, ବନିତା ନାୟକ ଓ ଶୁଭକାନ୍ତ ପାଢ଼ୀ ପ୍ରମୁଖ ଅଭିନୟ କରିଥିଲେ।

Advertisment

ଆଜିର ସଂଧ୍ୟାର ଅତିଥି ଭାବେ ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ପଣ୍ଡା, ନାଲ୍‌କୋର ସିଏମ୍‌ଡି ଶ୍ରୀଧର ପାତ୍ର, ନାଟ୍ୟ ନିର୍ଦ୍ଦେଶକ ଧୀରେନ୍ଦ୍ର ମଲ୍ଲିକ, ବରିଷ୍ଠ ସାମ୍ବାଦିକ ଦେବେନ୍ଦ୍ର ସୁଆର ଓ ରୋଟାରିଆନ୍‌ ମନୋଜ ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ଅଂଶୁମାନ ଦାସ ଓ ସଭାପତି ସୁଧାକର ପତ୍ରୀ ଉପସ୍ଥିତ ଥିଲେ। ଅନୁଷ୍ଠାନର ସମ୍ପାଦକ ଶୁଭକା‌ନ୍ତ ପାଢ଼ୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମ ଅବସରରେ ନାଟ୍ୟ ନିର୍ଦ୍ଦେଶକ ସୁଶୀଲ ପଟ୍ଟନାୟକ, ସୁସ୍ମିତା ରାଣା ଓ ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ମହାନ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।