ଭୁବନେଶ୍ବର: ମଣିଷ ଭିତରେ ସମ୍ପର୍କ ଜନ୍ମ ଜନ୍ମାନ୍ତରର। ପିତୃତ୍ବର କଠୋରତା ଭିତରେ କୋମଳ ହୃଦୟଟିଏ ସଦାସର୍ବଦା ସନ୍ତାନର ମଙ୍ଗଳ କାମନା କରିଥାଏ। ପିତା ଜୀବିତ ଥିବା ସମୟରେ ପୁତ୍ର ବିୟୋଗକୁ କେବେ ହେଲେ ଗ୍ରହଣ କରିପାରେନି କି ସହ୍ୟ କରିପାରେନି। ମାନସିକ ଭାରସାମ୍ୟ ହରାଇ ବସେ। ସେହିପରି ଜନ୍ମଦାତା ଭଳି ଜନ୍ମମାଟିର ଆକର୍ଷଣ ବଡ଼ ବିଚିତ୍ର। ଜନ୍ମମାଟିର ମୋହମାୟା ମଣିଷକୁ ଅନେକ ଦୂରରୁ ଟାଣି ଆଣେ। ସେଇ ମାଟିର ସୁରକ୍ଷା ପାଇଁ ମଣିଷ ହିଂସ୍ର ହୋଇଉଠେ। ପ୍ରତିହିଂସାର ଅଗ୍ନିରେ କେତେ ପରିବ‌ାର ଜଳିପୋଡ଼ି ଧ୍ବଂସ ହୋଇଯାଏ। ସେଇ ବିଭୀଷିକାରେ କିଛି ସରଳ ନିଷ୍ପାପ ମଣିଷ ବଳି ପଡ଼ିଯାଆନ୍ତି। ପୁନର୍ଜନ୍ମ, ପ୍ରତିଶୋଧ ଏବଂ ପୁତ୍ର ସ୍ନେହର କାହାଣୀ ‘ସହର ସେଦିନ ଅନ୍ଧାର ଥିଲା’ ନାଟକ ଆଜି ରବୀନ୍ଦ୍ର ମଣ୍ଡପ ପ୍ରେକ୍ଷାଳୟରେ ଦର୍ଶକଙ୍କ ଆଖିରେ ଲୁହ ଭରି ଦେଇଥିଲା।

Advertisment

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଓ ଓଡ଼ିଶା ସଂଗୀତ ନାଟକ ଏକାଡେମି ଆନୁକୂଲ୍ୟରେ ଓଡ଼ିଶା ନାଟ୍ୟସଂଘର ନିୟମିତ ନାଟକ ପରିକ୍ରମା ନାଟ୍ୟଧାରାର ଏହି ସାମାଜିକ ନାଟକ ପରିବେଷିତ ହୋଇଥିଲା। ‘ଖଡ଼ିଆଳ ସାଂସ୍କୃତିକ ଅନୁଷ୍ଠାନ’ର କଳକାରମାନଙ୍କ ନିଖୁଣ ଅଭିନୟ ଦର୍ଶକଙ୍କୁ ବିମୋହିତ କରିଥିଲା। ପୂର୍ଣ୍ଣଚନ୍ଦ୍ର କାନୁନ୍‌ଗୋଙ୍କ ରଚିତ ଏହି ନାଟକକୁ ଜିତେନ୍ଦ୍ରନାଥ ପଟ୍ଟନାୟକ ନିର୍ଦ୍ଦେଶନା ଦେଇଥିଲେ। ବିଭୂତି ଭୂଷଣ ବିଶି, ଧର୍ମବୀର ରାଉତ, ଅମୂଲ୍ୟ ବାରିକ, ସୀମା ରାଉତ ଓ ସରସ୍ବତୀ ମହାପାତ୍ର ପ୍ରମୁଖ ଅଭିନୟ କରିଥିଲେ। ଅତିଥି ଭାବେ ନାଟ୍ୟଧାରାର ସଭାପତି ହରେନ୍‌ ସାହୁ, ସମ୍ପାଦକ ଶୁଭକାନ୍ତ ପାଢ଼ୀ, ଉପ ସଭାପତି ଜିତେନ୍ଦ୍ର ପଟ୍ଟନାୟକ, ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ଧୀର ମଲ୍ଲିକ, ବିଧୂଭୂଷଣ ପଣ୍ଡା ଯୋଗ ଦେଇଥିଲେ।