ଭୁବନେଶ୍ୱର: ଏକ ସଂଘ ବା ସଂଗଠନର ଜୀବନରେଖା ହେଉଛି ତାହାର ମୁଖପତ୍ର। ସଦସ୍ୟ, ସଦସ୍ୟା ତଥା କର୍ମକର୍ତ୍ତାମାନଙ୍କ ମଧ୍ୟରେ ସୁସମ୍ପର୍କ ଓ ସମନ୍ଵୟ ରହିଲେ ଗୋଟିଏ ସଂଘ ବହୁ ବର୍ଷ ବଞ୍ଚିବାରେ ସଫଳ ହୋଇପାରିବ। ‘ଓଡ଼ିଶା ଡିପ୍ଲୋମା ଇଂଜିନିୟର୍ସ ସେବା ସଂଘ’ (ଓଡେଶା) ରାଜ୍ୟର ଏକ ବଳିଷ୍ଠ ସଂଗଠନ ହେବା ପଛରେ ଏହାର ମୁଖପତ୍ର ‘ଟେକ୍ନୋସ୍କ୍ରାଇବ୍’ର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆଜି ଓଡେଶା ଭବନଠାରେ ଆୟୋଜିତ ‘ଟେକ୍ନୋସ୍କ୍ରାଇବ୍’ର ୪୫ ତମ ସ୍ୱନକ୍ଷତ୍ର ଉତ୍ସବ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପାଲଲହଡ଼ା ବିଧାୟକ ମହେଶ ସାହୁ ଏହା କହିଛନ୍ତି। ନିିର୍ମାଣ ପ୍ରକ୍ରିୟାରେ ଡିପ୍ଲୋମା ଇଂଜିନିୟର୍ମାନଙ୍କ ଅବଦାନ ସର୍ବାଧିକ ରହୁଥିବା ବେଳେ ଏହି ବୃତ୍ତି ପ୍ରତି ସମସ୍ତଙ୍କ ଆଭିମୁଖ୍ୟ ଓ ମାନସିକତା ସକାରାତ୍ମକ ହେବା ଆବଶ୍ୟକ ବୋଲି ଶ୍ରୀ ସାହୁ ମତ ଦେଇଥିଲେ।
ଉତ୍ସବରେ ମୁଖ୍ୟବକ୍ତା ଭାବେ ‘ସମ୍ବାଦ’ର ମୁଖ୍ୟ ମହାପ୍ରବନ୍ଧକ(ବାର୍ତ୍ତା) ଅରବିନ୍ଦ ଦାସ ଯୋଗ ଦେଇ କହିଲେ, ୪୫ବର୍ଷ ଧରି ନିରବଚ୍ଛିନ୍ନ ଭାବେ ଗୋଟିଏ ଓଡ଼ିଆ ପତ୍ରିକା ପ୍ରକାଶ କରିବା ଛୋଟ କଥା ନୁହେଁ। ଓଡ଼ିଆ ଭାଷାର ଦୁଃସମୟରେ ଡିପ୍ଲୋମା ଇଞ୍ଜିନିୟରମାନେ ଓଡ଼ିଆ ଭାଷା ପ୍ରତି ନିଜର କର୍ତ୍ତବ୍ୟକୁ ପାଳନ କରିବା ପ୍ରଶଂସନୀୟ ବୋଲି ଶ୍ରୀ ଦାସ କହିଥିଲେ। କାର୍ଯ୍ୟକ୍ରମରେ ସଂଘର ପୂର୍ବତନ ସଭାପତି ନିର୍ମଳ ସ୍ୱାଇଁ, ପୂର୍ବତନ ସାଧାରଣ ସଂପାଦକ ଯଶୋବନ୍ତ ନାୟକ, ସଂଘର ଅବସରପ୍ରାପ୍ତ ବରିଷ୍ଠ ସଦସ୍ୟ ରମେଶ ଚନ୍ଦ୍ର ମହାନ୍ତି ପ୍ରମୁଖ ସଭାରେ ଯୋଗଦେଇ ନିଜ ନିଜ ବକ୍ତବ୍ୟ ରଖିଥିଲେ। ପ୍ରଦୀପ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ସଂଘର ସାଧାରଣ ସଂପାଦକ ସଚିତ୍ର ମୋହନ ରାଉଳ ପ୍ରାରମ୍ଭିକ ସୂଚନା ଦେଇଥିଲେ। ନରେନ୍ଦ୍ର କୁମାର ନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/08/m22-1.jpg)