ଭୁବନେଶ୍ବର: ହଜାରେ ବର୍ଷର ପୁରୁଣା ଓଡ଼ିଆ ଭାଷା। ଭାଷାକୁ ନେଇ ପ୍ରଥମ ଭାଷା ଭିତ୍ତିକ ରାଜ୍ୟର ମାନ୍ୟତା ପାଇଛି ଓଡ଼ିଶା। କେବଳ ଓଡ଼ିଶାରେ ସାଢ଼େ ୪ କୋଟି ‌ଲୋକ ବାସ କରୁଛନ୍ତି। ହେଲେ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ପଛରେ ପଡ଼ିଛି ଓଡ଼ିଆ ଭାଷା। କମ୍ପ୍ୟୁଟର ଓ ମୋବାଇଲ୍‌ରେ ଓଡ଼ିଆ ଟାଇପ୍‌ ହେଉଛି ସତ କିନ୍ତୁ ଅନ୍ୟ ଭାଷା ଭଳି ସଠିକ୍‌ ହୋଇପାରୁନାହିଁ। ଅନ୍ୟଭାଷା ବୁଝି ଗୁଗଲ୍‌ ଉପଯୁକ୍ତ ଉତ୍ତର ଦେଉଥିବା ବେଳେ ଓଡ଼ିଆ ଭାଷାକୁ ବୁଝିପାରୁ ନାହିଁ। ଅନ୍ୟ ଭାଷାଭାଷୀ ଗୁଗଲ୍‌ରେ ଯେଉଁଭଳି ନିଜ ଭାଷାକୁ ବ୍ୟବହାର କରୁଛନ୍ତି, ଓଡ଼ିଶା କ୍ଷେତ୍ରରେ ତାହା ହୋଇପାରୁନାହିଁ। ସେଥିପାଇଁ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମରେ ଇଂରାଜୀ ଓ ହିନ୍ଦୀ ବ୍ୟବହାର ବଢ଼ିବଢ଼ି ଚାଲିଛି।  

Advertisment

ସୂଚନାନୁସାରେ ଓଡ଼ିଶାରେ ୮ ଲକ୍ଷ ‘ଏକ୍ସ’, ୨ କୋଟି ‌ଫେସ୍‌ବୁକ୍‌, ଇନ୍‌ଷ୍ଟାଗ୍ରାମ୍‌ ୨.୫କୋଟି ଓ ହ୍ବାଟସ୍‌ଆପ୍‌ ବ୍ୟବହାରକାରୀ ୩କୋଟିରୁ ବେଶି ଅଛନ୍ତି। ଏହି ସବୁ ବ୍ୟବହାରକାରୀଙ୍କ ମଧ୍ୟରୁ ମାତ୍ର ୧୦% ସୋସିଆଲ୍‌ ମିଡିଆରେ ଓଡ଼ିଆରେ ଲେଖାଲେଖି କରୁଛନ୍ତି। ସାମାଜିକ ଗଣମାଧ୍ୟମରେ ଓଡ଼ିଆ ଭାଷାର ବ୍ୟବହାର ଧୀରେ ଧୀରେ ବଢ଼ୁଥିଲେ ବି ଉତ୍ସାହଜନକ ହେଉନାହିଁ। ଯାହା ଫଳରେ ଗୁଗଲ୍‌ କିମ୍ବା ଅନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଓଡ଼ିଆ ଭାଷାକୁ ପ୍ରାଧାନ୍ୟ ଦିଆଯାଉନାହିଁ। 
କିଛି ଦିନ ତଳେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସାମାଜିକ ଗଣମାଧ୍ୟମରେ ଓଡ଼ିଆ ଭାଷାର ବହୁଳ ବ୍ୟବହାର କରିବା ପାଇଁ ଆହ୍ବାନ ଦେଇଥିଲେ। ସାମାଜିକ ଗଣମାଧ୍ୟମରେ ଭାଷାର ବ୍ୟବହାର ବଢ଼ିଲେ କ୍ଲାଉଡ୍‌ରେ ଓଡ଼ିଆ ଶବ୍ଦ ସଂଖ୍ୟା ବଢ଼ିବ ଏବଂ ଓଡ଼ିଆ ଭାଷା ଅନ୍ୟ ଭାଷା ଭଳି ପ୍ରାଧାନ୍ୟ ପାଇବ ବୋଲି କହିଥିଲେ। ଏ ସମ୍ପର୍କରେ ସୋସିଆଲ ମିଡିଆ ଏକ୍ସପର୍ଟ ସୂର୍ଯ୍ୟନନ୍ଦନ କହିଛନ୍ତି, ଓଡ଼ିଆ ଭାଷା ରୋଜଗାର ଦେଉ ନାହିଁ ‌ବୋଲି ଭାଷା ପ୍ରାଧାନ୍ୟ ପାଉନି। ହିନ୍ଦୀ ଓ ଇଂରାଜୀରେ ‌ଗୋଟେ ୱେବ୍‌ସାଇଟ୍‌ କଲେ ଗୁଗଲ୍‌ରୁ ବିଜ୍ଞାପନ ଆସୁଛି। କିନ୍ତୁ ଓଡ଼ିଆ ୱେବ୍‌ସାଇଟ୍‌କୁ ବିଜ୍ଞାପନ ମିଳୁନି। ନୂଆ ନୂଆ କଣ୍ଟେଣ୍ଟ୍‌ ବି ଓଡ଼ିଆରେ ପକାଯାଇ ପାରୁନାହିଁ। ପଇସା ନମିଳିଲେ କିଏ କାହିଁକି ଓଡ଼ିଆରେ ଲେଖିବ? ସାମାଜିକ ଗଣମାଧ୍ୟମରେ ଓଡ଼ିଆ ଭାଷା ଟାଇପ୍‌ କରିବା ସହଜ ହେଉନାହିଁ। ଯାହା ଫଳରେ ବ୍ୟବହାରକାରୀ ଅନ୍ୟ ଭାଷା ବ୍ୟବହାର କରୁଛନ୍ତି।

ପରିବହନ ବ୍ୟବସ୍ଥାରେ ଓଡ଼ିଆ କାହିଁ?
ଟିକେଟ୍‌ ବୁକିଂ କରିବାକୁ କ୍ରୁଟ୍‌ ପ୍ରସ୍ତୁତ କରିଥିବା ‘ଚଲୋ ଆପ୍‌’ରେ ହିନ୍ଦୀ, ଇଂରାଜୀ, ମରାଠୀ, ତେଲୁଗୁ ଭଳି ଭାଷା ଅଛି। ହେଲେ ଓଡ଼ିଆ ଭାଷା ନାହିଁ। ଓଡ଼ିଆ ଛଡ଼ା ଯଦି ଏହିସବୁ ଭାଷା ଜାଣିନି ତେବେ ତାକୁ ‘ଆମ ବସ୍‌’ମନା। ‘ମୋ ବସ୍‌’ ଶବ୍ଦରେ ଅହଙ୍କାର ଥିବା କହି ବର୍ତ୍ତମାନର ସରକାର ଏହାକୁ ‘ଆମ ବସ୍‌’ କରିଛନ୍ତି। ହେଲେ ଏଥିରେ କିଭଳି ଓଡ଼ିଆ ଅସ୍ମିତା ଯୋଡ଼ି ହୋଇ ରହିବ ତାହାର ବ୍ୟବସ୍ଥା କରିନାହାନ୍ତି। ନକଟ ଅତୀତରେ ‘ଓଡ଼ିଶା ଯାତ୍ରୀ’ ଆପ୍‌ ଆରମ୍ଭ ହୋଇଛି। ଏଥିରେ କେବଳ ନାଁକୁ ଛାଡ଼ି ଦେଲେ ପଞ୍ଜୀକରଣ, ଗାଡ଼ି ବୁକିଂ ପ୍ରଭୃତି ସବୁ କାମ ଇଂରାଜୀରେ କରିବାକୁ ହେଉଛି। ଡିଜିଟାଲ ସେବାର ଉତ୍କୃଷ୍ଟତା ପାଇଁ ପରିବହନ ସେବା ଜାତୀୟ ପୁରସ୍କାର ପାଇଛି। ହେଲେ ମାତୃଭାଷା ଠାରୁ ଏହି ବ୍ୟବସ୍ଥା ବହୁ ଦୂରରେ ରହିଛି। ଉତ୍କଳ ସମ୍ମିଳନୀର ସାଧାରଣ ସମ୍ପାଦକ ଦିଲ୍ଲୀ ଦାଶଶର୍ମାଙ୍କ କହିବା ଅନୁଯାୟୀ ଆମର ଦୁର୍ଭାଗ୍ୟ ଯେ ଭାଷାଭିତ୍ତିକ ରାଜ୍ୟ ଗଠନ ହେଲା। ଓଡ଼ିଆ ଅସ୍ମିତାକୁ ନେଇ ସରକାର ବଦଳିଗଲା। ହେଲେ ସରକାରୀ ଚିଠି ସବୁ ଇଂରାଜୀରେ ଆସୁଛି। ସରକାରୀ କାର୍ଯ୍ୟାଳୟ, ବିଚ୍ଛିନ୍ନାଞ୍ଚଳ, ବିଦ୍ୟାଳୟଗୁଡ଼ିକରେ ଭାଷାକୁ ସମୃଦ୍ଧ କରିବାର ଆବଶ୍ୟକତା ରହିଛି।