୫୦ ହଜାର କିଶୋରଙ୍କୁ ଟିକାକରଣ

ଭୁବନେଶ୍ବର : ୧୫ରୁ ୧୮ବର୍ଷର କିଶୋରଙ୍କ ଟିକାକରଣକୁ ୪୦ ଦିନ ପୂରିଛି। ଏହି ୪୦ ଦିନରେ ପ୍ରଥମ ଡୋଜ୍‌ ଟିକା ୫୦ ହଜାର ଅତିକ୍ରମ କରିଛି। ଆଜି ସୁଦ୍ଧା ୫୦ ହଜାର ୧୭୯ଜଣଙ୍କୁ ପ୍ରଥମ ଡୋଜ୍‌ ଦିଆଯାଇଥିବା ବିଏମ୍‌ସି ସୂଚନା ଦେଇଛି। ପ୍ରଥମ ଡୋଜ୍‌ର ୨୮ ଦିନ ପରେ ଦ୍ବିତୀୟ ଡୋଜ୍‌ ଟିକାକରଣ ମଧ୍ୟ ଆରମ୍ଭ ହୋଇଛି। ଆଜି ସୁଦ୍ଧା ୧୭ ହଜାର ୨ଶହ ଜଣ କିଶୋର ଦ୍ବିତୀୟ ଡୋଜ୍‌ ଟିକା ନେଇଛନ୍ତି।

ତେବେ ଧାର୍ଯ୍ୟ ସମୟ ଅନୁସାରେ ପ୍ରଥମ ଡୋଜ୍‌ ଟିକାକରଣ ବହୁତ୍‌ କମ ହୋଇଛି। ଗତ ୩ ତାରିଖରୁ ଆରମ୍ଭ ହୋଇଥିବା ଏହି ଟିକାକରଣରେ ଦିନକୁ ଅତି କମ୍‌ରେ ୧ ହଜାରରୁ ଊର୍ଦ୍ଧ୍ବ ଡୋଜ୍‌ ଟିକା ଦେବାକୁ ଯୋଜନା ଥିଲେ ମଧ୍ୟ ଦିନକୁ ଏବେ ଦୁଇଶହରୁ ୩ଶହ ଟିକାକରଣ ହେଉଛି। ଏଣୁ କିଶୋରଙ୍କ କ୍ଷେତ୍ରରେ ଧାର୍ଯ୍ୟ ଲକ୍ଷ୍ୟ ପୂରଣ ହୋଇନାହିଁ। ଉଲ୍ଲେଖଯୋଗ୍ୟ, ରାଜଧାନୀରେ ଶହେ ଦିନରେ ଲକ୍ଷେ କିଶୋରଙ୍କୁ ପ୍ରଥମ ଡୋଜ୍‌ ଦେବାକୁ ବିଏମ୍‌ସି ଲକ୍ଷ୍ୟ ରଖିଥିଲା। ସେହିଭଳି ଆଜି ପର୍ଯ୍ୟନ୍ତ ବିଏମ୍‌ସିରେ ମୋଟ ୨୯ ଲକ୍ଷ ୮୨ ହଜାର ୬୦୭ଟିକାକରଣ ହୋଇଥିବା ବେଳେ ପ୍ରଥମ ଡୋଜ୍‌ ୧୫ ଲକ୍ଷ ୨୩ ହଜାର ୨୧୬ ଓ ଉଭୟ ଡୋଜ୍‌ ସଂଖ୍ୟା ୧୩ ଲକ୍ଷ ୯୭ ହଜାର ୭୦୪ ରହିଛି। ୬୧ ହଜାର ୬୮୭ ଜଣଙ୍କୁ ବୁଷ୍ଟର ଡୋଜ୍‌ ଦିଆଯାଇଛି।

ସମ୍ବନ୍ଧିତ ଖବର